ଭୁୁବନେଶ୍ୱର: ଏସିଆନ୍ ଗେମ୍ସରେ ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା ଦୂତି ଚାନ୍ଦଙ୍କ ପାଇଁ ଆଜି ସମସ୍ତେ ଗର୍ବିତ । ତାଙ୍କ ପାଇଁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଦୂତିଙ୍କ ସଫଳତା ଖବର ପାଇଲା କ୍ଷଣି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୂତିଙ୍କ ପାଇଁ ସବୁ ଓଡ଼ିଆ ଗର୍ବିତ ବୋଲି ପ୍ରତିକ୍ରିୟା ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଦୂତିଙ୍କ ପାଇଁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ତାଙ୍କ ସାଧନା ଓ କଠିନ ପରିଶ୍ରମର ସ୍ୱୀକୃତ ସ୍ୱରୂପ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଦେଇଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଦେଢ଼ କୋଟି ପୁରସ୍କାରରେ କୁଆଡ଼େ ସନ୍ତୁଷ୍ଟ ହୋଇନାହାନ୍ତି ଦୂତି ଚାନ୍ଦ । ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ପଦକ ବିଜେତାଙ୍କୁ ଅଧିକ ଅର୍ଥ ମିଳୁଛି । ଭୁବନେଶ୍ୱରରେ ଖଣ୍ଡେ ଘର କିମ୍ବା ଜାଗା ଦେଲେ ଖୁସି ହେବି ବୋଲି ଦୂତି କିଛି ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ କୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଭୁବନେଶ୍ୱରରେ ଘର କିମ୍ବା ଜାଗା ଖଣ୍ଡେ ପାଇଁ ଦୂତିଙ୍କର ଦାବି ଆଜି ନୁହଁ । କିଛି ମାସ ତଳେ ସୋସିଆଲ୍ ମିଡ଼ିଆରେ ସେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ତେବେ ଏସିଆନ୍ ଗେମ୍ସରେ ତାଙ୍କର ସଫଳତା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଆନନ୍ଦର ଉତ୍ସବ ପାଳୁଥିବା ବେଳେ ପୁରସ୍କାରକୁ ନେଇ ଦୂତି ଅସନ୍ତୁଷ୍ଟ ହେବା ଖବର ଅନେକଙ୍କୁ ବିସ୍ମିତ କରିଛି । ଦୂତି ଏହା ଉପରୁ ବର୍ତ୍ତମାନ ଧ୍ୟାନ ହଟାଇ ଆସନ୍ତାକାଲିର ପ୍ରତିଯୋଗିତାରେ ଭାରତକୁ ପୁଣି ଗୌରାବାନ୍ୱିତ କରିବାକୁ ଶୁଭେଚ୍ଛୁମାନେ ତାଙ୍କଠାରୁ ଆଶା ବାନ୍ଧିଛନ୍ତି ।
ସୂଚନାଯୋଗ୍ୟ, ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ଗତକାଲି ଦୂତିଙ୍କୁ ମିଳିଛି ରୌପ୍ୟ ପଦକ । ୧୦୦ ମିଟର ଦୂରତ୍ୱକୁ ଦୂତି ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଥିଲେ । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ଏସିଆନ୍ ଗେମ୍ସରେ ଦୂତିଙ୍କୁ ମିଳିଛି ଏହି ପଦକ । ସେହିଭଳି ଦୀର୍ଘ ୧୮ ବର୍ଷ ପରେ ଭାରତକୁ ମହିଳା ୧୦୦ ମିଟର ଦୌଡ଼ରେ ମିଳିଛି ପଦକ । ଆସନ୍ତାକାଲି ମହିଳା ୨୦୦ ମିଟର ଦୌଡ଼ରେ ପୁଣି ଥରେ ନିଜର ଭାଗ୍ୟ ପରୀକ୍ଷା ଦେବେ ଦୌଡ଼ରାଣୀ ଦୂତି ।