କଟକ: ରାଜ୍ୟର ଯୁବକମାନଙ୍କ ପାଖରେ ଥିବା ପ୍ରତିଭାକୁ ଚିହ୍ନଟ କରି ତାହାକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୁଁ ହିରୋ… ମୁଁ ଓଡ଼ିଶା’ ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଏହାର ଶୁଭାରମ୍ଭ କରିଛନ୍ତି । ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡ଼ିୟମ୍ ରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବିଜୁ ଯୁବ ବାହିନୀର ୱେବସାଇଟ୍ କୁ ଉଦଘାଟନ କରିଛନ୍ତି । ଆଜିଠାରୁ ଦୁଇ ମାସ ଧରି ‘ମୁଁ ହିରୋ..’ ରଥ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ- ଓଡ଼ିଶା ବୀର ମାଟି । ଏ ମାଟିର ସନ୍ତାନମାନେ ଓଡ଼ିଆ ସ୍ୱାଭିମାନ ଓ ଗୌରବ ପାଇଁ ସବୁବେଳେ ସଂଗ୍ରାମ କରି ଆସିଛନ୍ତି । ଆମର ପ୍ରତି ଗାଁ, ପ୍ରତି ସହର ଓ ପ୍ରତି ଘରେ ଗୋପବନ୍ଧୁ ଅଛନ୍ତି । ମଧୁ ବାବୁ ଅଛନ୍ତି । ବିଜୁ ବାବୁ ଅଛନ୍ତି । ଧର୍ମପଦ ଅଛନ୍ତି । ପ୍ରତି ଲୋକ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ସେ ଡାକ୍ତର ହୁଅନ୍ତୁ ବା ଇଞ୍ଜିନିୟର, ଶିକ୍ଷକ, ଚାଷୀ ହୁଅନ୍ତୁ, ସମାଜ ପ୍ରତି ଏମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଆମର ଲକ୍ଷ୍ୟ । ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ଼ କାମ କରିଥାଏ । ନିରବରେ କାମ କରୁଥିବା ଏହି ଲୋକମାନେ ହେଉଛନ୍ତି ରିଅଲ୍ ହିରୋ । ଆମପାଖରେ ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ ପରିବର୍ତ୍ତନର ବାହାକ, ସମାଜ ପାଇଁ ପ୍ରେରଣା । ଆପଣମାନଙ୍କ ସମସ୍ତଙ୍କର ମିଳିତ ଉଦ୍ୟମ ହିଁ ଓଡ଼ିଶାର ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ଚନ୍ଦ୍ରସାରଥୀ ବେହେରା, ବିଧାୟକ ଦେବୀ ମିଶ୍ର, ପ୍ରଭାତ ତ୍ରିପାଠୀ, ଦେବାଶିଷ ସାମନ୍ତରାୟ, ସାଂସଦ ନରେନ୍ଦ୍ର ସ୍ୱାଇଁ, ଅନୁଭବ ମହାନ୍ତି, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଚଳଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଯୁବ ଓ କ୍ରୀଡ଼ା ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ‘ମୁଁ ହିରୋ… ମୁଁ ଓଡ଼ିଶା’ ଅଭିଯାନ ରାଜ୍ୟ ସରକାରଙ୍କ “ବିଜୁ ଯୁବ ବାହିନୀ” ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ । ଏଥିରେ ୧୫ ରୁ ୩୫ ବର୍ଷ ମଧ୍ୟରେ ଥିବା ସ୍ଥାନୀୟ ହିରୋ/ ପରିବର୍ତ୍ତନର ବାହକଙ୍କୁ ଚିହ୍ନଟ କରି ପୁରସ୍କୃତ କରାଯିବ । ଆବେଦନକାରୀ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ଅନଲାଇନ୍ ମଧ୍ୟ ଆବେଦନ କରିପାରିବେ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଦରଖାସ୍ତଗୁଡ଼ିକର ଯାଞ୍ଚ ଏବଂ ଚୟନ କରାଯିବ । ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଯୁବ ସମାବେଶରେ “ହିରୋ” ମାନଙ୍କୁ ପୁରସ୍କୃତ କରାଯିବ ।
ତେବେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି । ବିଜେଡ଼ି ନିଜର ପ୍ରଚାର ପାଇଁ ଏହି ସ୍ଲୋଗାନ୍ ତିଆରି କରିଛି ବୋଲି ଦୁଇ ଦଳ ଅଭିଯୋଗ କରିଛନ୍ତି । ନିର୍ବାଚନକୁ ଆଖିରେ ରଖି ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏଥିରୁ ସୁଫଳ ମିଳିବ ନାହିଁ ବୋଲି ସେମାନେ କହିଛନ୍ତି ।