ଭୁବନେଶ୍ୱର: ମହାନ୍ ରାଷ୍ଟ୍ରନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭାରେ ଆଜି ସବୁ ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଗୋଟିଏ ଜାଗାରେ ଏକତ୍ର ହୋଇଥିଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।
ରାଜ୍ୟ ବିଜେପି ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ସ୍ମୃତିସଭା ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା । ଆରମ୍ଭରୁ ସେଠି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ମୃତିଚାରଣରେ କହିଥିଲେ, ବାଜପେୟୀଙ୍କ ନିଧନ ଦେଶ ଓ ବ୍ୟକ୍ତିଗତ ଭାବେ ତାଙ୍କ ନିଜ ପାଇଁ ଏକ ବିରାଟ କ୍ଷତି । ରାଜନୈତିକ ଜୀବନ ପ୍ରାରମ୍ଭରେ ବାଜପେୟୀଙ୍କ ସହ ସମ୍ପର୍କ ସବୁଦିନ ପାଇଁ ମନେ ରହିବ । ରାଜନୀତିରେ ଆଦର୍ଶ ଓ ସହନଶୀଳତାର ସେ ଥିଲେ ଅନନ୍ୟ ପ୍ରତୀକ । ମେଣ୍ଟ ସରକାର ପରିଚାଳନା କଳା ତାଙ୍କୁ ହିଁ ଜଣା ଥିଲା । ଓଡ଼ିଶା ପାଇଁ ତାଙ୍କର ବିଶାଳ ହୃଦୟ ଥିଲା । ଓଡ଼ିଶା ଲୋକେ ବି ତାଙ୍କୁ ବହୁତ ଭଲ ପାଉଥିଲେ । ଆମେ ସମସ୍ତେ ତାଙ୍କୁ ହରାଇ ମ୍ରିୟମାଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବାଜପେୟୀଙ୍କ ସ୍ମୃତିସଭାରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଓ ରାଜ୍ୟ ଉପସଭାପତି ସମୀର ମହାନ୍ତି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଏହି ନିମନ୍ତ୍ରଣ ରକ୍ଷା କରି ସ୍ମୃତିସଭାରେ ଯୋଗ ଦେଇଥିଲେ । ପୂର୍ବରୁ ବାଜପେୟୀଙ୍କ ଅସୁସ୍ଥ ଖବର ପାଇ ମୁଖ୍ୟମନ୍ତ୍ରୀ ଗତ ୧୬ ତାରିଖରେ ଦିଲ୍ଲୀ ଏମସ୍ ଯାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିଲା ବେଳକୁ ବାଜପେୟୀ ଆଖି ବୁଜି ସାରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବା ସହ ଅନ୍ତେଷ୍ଟିକ୍ରିୟାରେ ମଧ୍ୟ ଯୋଗ ଦେଇଥିଲେ ।
ବାଜପେୟୀଙ୍କ ଭଳି ମହାନ୍ ରାଷ୍ଟ୍ରନେତାଙ୍କ ସ୍ମୃତିସଭାରେ ସବୁ ଦଳର ନେତାଙ୍କ ଏହି ଅପୂର୍ବ ମିଳନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହାକୁ ଏକ ସୁସ୍ଥ ପରମ୍ପରା ବୋଲି ଅଭିହିତ କରାଯାଇଛି ।