ଆସନ୍ତା ବିଧାନସଭା ଅଧିବେସନରେ ପାରିତ ହେବ ସଂକଳ୍ପ
ଭୁବନେଶ୍ୱର: ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଂଜୁରୀ ମିଳିଛି । ସେପ୍ଟେମ୍ବର ୪ ରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେସନରେ ଏହା ଉପରେ ରିଜୋଲ୍ୟୁସନ୍ ବା ସଂକଳ୍ପ ଅଣାଯିବ । ବିଧାନସଭାରେ ସଂକଳ୍ପ ପାରିତ ହେଲା ପରେ ତାହା ପାର୍ଲିଆମେଣ୍ଟର ଉଭୟ ଗୃହର ମଂଜୁରୀ ପାଇଁ ଯିବ । ରାଷ୍ଟ୍ରପତିଙ୍କ ମୋହର ଲାଗିଲା ପରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକ୍ରିୟା ଶେଷ କରେଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ବିଧାନ ପରିଷଦ ଗଠନ ପାଇଁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଥିଲେ । ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ, ମନୋହର ରାନ୍ଧାରୀ, କଂଗ୍ରେସ ବିଧାୟକ ଭୁଜବଳ ମାଝୀ ଓ ବିଜେପି ବିଧାୟକ ନୀତେଶ ଗଙ୍ଗଦେବ ସଭ୍ୟ ଥିଲେ । ପ୍ରଥମ ପର୍ଯ୍ୟାୟରେ କମିଟି ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ଗସ୍ତ କରି ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି କମିଟି ବିହାର ଓ ତେଲେଙ୍ଗାନ ରାଜ୍ୟ ଗସ୍ତ କରି ଗତ ଅଗଷ୍ଟ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ । ତେଲେଙ୍ଗାନା ଢ଼ାଞ୍ଚାରେ ଏଠି ବିଧାନ ପରିଷଦ ଗଠନ ପାଇଁ କମିଟି ଦେଇଥିବା ରିପୋର୍ଟକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ ।
ବିଧାନ ପରିଷଦ ଗଠନ କ୍ଷେତ୍ରରେ ଓଡ଼ିଶା ହେବ ଦେଶର ଅଷ୍ଟମ ରାଜ୍ୟ । ଏଥିରେ ମୋଟ ୪୯ ଜଣ ସଦସ୍ୟ ରହିବେ । ସେଥିମଧ୍ୟରୁ ୧୬ ଜଣ ସଦସ୍ୟ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଆଉ ୧୬ ଜଣ ସଦସ୍ୟ ପଞ୍ଚାୟତ/ପୌରପାଳିକା/ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ । ୮ ରୁ ୯ ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ । ୪ ଜଣ ଗ୍ରାଜୁଏଟ୍ ଙ୍କ ଦ୍ୱାରା ଏବଂ ୪ ଜଣ କଲେଜ/ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଦ୍ୱାରା ମନୋନୀତ ହେବେ । ରାଜ୍ୟସଭା ସଦସ୍ୟଙ୍କ ଭଳି ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ । ପ୍ରତି ଦୁଇବର୍ଷରେ ଥରେ ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ । ବିଧାୟକଙ୍କ ଭଳି ସେମାନେ ସମସ୍ତ ସୁବିଧା ସୁଯୋଗ ପାଇବେ । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୩୫ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ।