ଭୁବନେଶ୍ୱର: ବିଜେଡ଼ି କରୁଛି କ’ଣ ? ବିଜେପିର ମିସନ୍ ୧୨୦ ପ୍ଲସ୍ ର କ’ଣ ସେମାନଙ୍କ କାଉଣ୍ଟର ଷ୍ଟ୍ରାଟେଜି ? କେବଳ ନବୀନ ପଟ୍ଟନାୟକଙ୍କ ନାଁକୁ ନେଇ କ’ଣ ୧୨୩ ସଂଖ୍ୟାର ଆକଳନ ? ଦଳର ତଳିଆ ମହଲରେ ଆଜି ଏହି ପ୍ରଶ୍ନ ଉଙ୍କି ମାରିଛି । ଅମିତ୍ ଶାହାଙ୍କ ମିସନ୍ ୧୨୦ ଅଭିଯାନକୁ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ୍ ଜୋରଦାର କରିଥିବା ବେଳେ ବିଜେଡ଼ି ଆଁ କରି ଅନେଇଛି । ୧୭ ବର୍ଷ ଶାସନର ଗର୍ବ ଓ ଅହଂକାର ମନରୁ ଯାଉନି । ବିଜେପି ଶିବିରରେ କ’ଣ ଚାଲିଛି ସେ ଖବର ଜାଣୁନାହାନ୍ତି ବିଜେଡ଼ି ନେତା । ଅନ୍ୟର ଗୋଛି କାଟି ନିଜର କାଟତି ରଖିବା କସରତରେ ନେତାଙ୍କ ଦିନ ଯାଉଛି । ବିଜେପିର ଜୋରଦାର ପ୍ରଚାରକୁ ଟକ୍କର ଦେବାର ମାନସିକତା ନାହିଁ । ପୂର୍ବପରି ନବୀନଙ୍କ ଭରସାରେ ନିର୍ବାଚନ ନଦୀ ପାର୍ ହେବାକୁ ନେତା ଏଥର ବି ଚାହିଁ ବସିଛନ୍ତି ।
ଅମିତ୍ ଶାହାଙ୍କ ଗସ୍ତ ପରେ ଧର୍ମେନ୍ଦ୍ର କ୍ୟାମ୍ପ ଅଧିକ ଚଳଚଞ୍ଚଳ ହୋଇଛି । ହାତଗଣତି ହେଲେ ମଧ୍ୟ ନେତାମାନେ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଦିଲ୍ଲୀବଳ ଓ ଅର୍ଥବଳକୁ ପୁଂଜି କରି ଆଗକୁ ବଢ଼ୁଛନ୍ତି । ମିଡ଼ିଆ ଆଗରେ କହିବାରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ତେବେ ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡ଼ି ଏ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରିନାହିଁ । ବ୍ୟକ୍ତିଗତ ଭାବେ ନେତାଙ୍କ ପାଖରେ ଦଳର ସୁରକ୍ଷା ପାଇଁ ଉଦ୍ୟମ ନାହିଁ । ଦଳ ସୁପ୍ରିମୋଙ୍କର ମଧ୍ୟ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ନାହିଁ । ପ୍ରତାପ ଦେବଙ୍କ ଭଳି ହାତଗଣତି ନେତାଙ୍କୁ ମୁଣ୍ଡରେ ବସାଇ ଦଳ ପରିଚାଳନା କରୁଛନ୍ତି । ମୁଖପାତ୍ର ତାଲିକାରେ ଦମ୍ଭିଲା ଲୋକଙ୍କୁ ସ୍ଥାନ ମିଳିନି । କିଛି ମାସ ତଳେ ଯେଉଁ ସୁଲୋଚନା ଦାସ ନବୀନଙ୍କ ସାତପୁରୁଷ ଖୋଳୁଥିଲେ ତାଙ୍କୁ ଦଳ ମୁଣ୍ଡରେ ବସାଇ ମୁଖପାତ୍ର କରିଛି । ନା ସୁଲୋଚନା ବିଜେଡ଼ି ସପକ୍ଷରେ କହିବାର ନୈତିକତା ପାଉଛନ୍ତି ନା ସହଯୋଗୀ ମୁଖପାତ୍ରଙ୍କୁ ସାଥ୍ ଦେଉଛନ୍ତି । ଟିଭିରେ ତାଙ୍କର ନବୀନଗାନକୁ ଲୋକେ ନାକ ଟେକୁଥିଲେ ମଧ୍ୟ ଦଳର ମୁଣ୍ଡିମାନଙ୍କୁ ଫରକ୍ ପଡୁନି ।
ବିଜେପି ପ୍ରାୟୋଜିତ ମନୋଜ ନାୟକଙ୍କ ଟିଭି ଚାନେଲ୍ ବିତର୍କରେ ସୁଲୋଚନାକୁ ବସେଇବା ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେଥିପାଇଁ ଦଳୀୟ ନେତାମାନେ ପ୍ରତାପ ଦେବଙ୍କୁ ସମାଲୋଚନା କରିଛନ୍ତି । ବିଜେପି ଶିବିରର ଏହି ଆୟୋଜନକୁ କାର୍ପଟଦାର ସାଜିଥିବା ପ୍ରତାପ ଦେବ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଜାଣିଥିଲେ, ସୁଲୋଚନାଙ୍କୁ ନେବାର କି ଆବଶ୍ୟକତା ଥିଲା ? ବିଜେପିର କୁହାଳିଆ ନେତା,ନେତ୍ରୀଙ୍କୁ ଟକ୍କର ଦେବା ପାଇଁ ଦଳରେ ଟାଣୁଆ ନେତାଙ୍କର କ’ଣ ଅଭାବ ଥିଲା ? ପ୍ରତାପ ଦେବ ନିଜେ, ସୁଲୋଚନା ଓ ସସ୍ମିତ୍ ପାତ୍ର ନ ଯାଇ ସୁବାସ ସିଂ ଏବଂ ଲେଲିନ୍ ମହାନ୍ତିଙ୍କ ଭଳି ଫାୟାର୍ ବ୍ରାଣ୍ଡ ନେତାଙ୍କୁ ପଠାଇବାରେ କ’ଣ ଥିଲା ଅସୁବିଧା ? ସେମାନେ ଯାଇଥିଲେ ହୁଏତ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାଟିକୁ ଟକ୍କର ଦେଇପାରିଥାଆନ୍ତେ ।
ଧର୍ମେନ୍ଦ୍ର ପ୍ରଧାନ ମାଷ୍ଟର ଷ୍ଟ୍ରାଟେଜି ଖେଳୁଥିବା ବେଳେ ବିଜେଡ଼ି କମାଣ୍ଡରଙ୍କ ନନ୍ କମାଣ୍ଡିଂ ଆଟିଚ୍ୟୁଡ୍ ଦଳ ପାଇଁ ବିପଦ ସୃଷ୍ଟି କରିଛି ।
ପଞ୍ଚାୟତ ନିର୍ବାଚନରୁ ବିଜେଡ଼ି କିଛି ବୁଦ୍ଧି ଶିଖିଥିବା ଜଣାପଡୁନାହିଁ । ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାରେ ବୁଲାଇ ସୋ ବାଜି କରୁଥିଲେ ମଧ୍ୟ ସବୁସ୍ତରରେ ଦଳର ନିଷ୍କ୍ରିୟତା ଧରାପଡ଼ିଯାଉଛି । ଖୋଦ୍ ବିଧାନସଭାରେ ତାରା ବାହିନୀପତି ପିସି କାରବାର ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କୁ ଟାର୍ଗେଟ୍ କରି ଅଫିସରଙ୍କୁ ବାଡେଇବା ଧମକ ଦେଇଥିଲେ ମଧ୍ୟ ଜଣେ ବି ବିଧାୟକ ପ୍ରତିବାଦ କରିବାକୁ ସାହସ କରିନାହାନ୍ତି । ଯାହା ଦଳର ଦୋଷଦୁର୍ବଳତାକୁ ପଦାରେ ପକାଇଛି ।