ଭୁବନେଶ୍ୱର: ମାଲକାନଗିରିର ବିଜେଡ଼ି ବିଧାୟକ ମାନସ ମାଡ଼କାମୀ ବଡ଼ ଅଡୁଆରେ ଫସିଛନ୍ତି । ଜିଲ୍ଲା ପ୍ରଶାସନରେ ଚାଲିଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୁର୍ଗତି ଡାକିଆଣିଛନ୍ତି । ଜିଲ୍ଲାପାଳ ଓ ଏପସିଙ୍କଠାରୁ ଆରମ୍ଭ କରି ତଳିଆ ଅଫିସରଙ୍କ ଦୁର୍ନୀତି ଓ ମନମାନି ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବା ତାଙ୍କ ପାଇଁ କାଳ ହୋଇଛି । ପରିସ୍ଥିତି ଏଭଳି ହୋଇଛି ଯେ ଅଫିସରମାନେ ତାଙ୍କୁ ଆଉ ସହଯୋଗ କରୁନାହାନ୍ତି, ଓଲଟି ବିଭିନ୍ନ ଉପାୟରେ ରାଗ ସୁଝାଉଛନ୍ତି । ମାଡ଼କାମୀ ଗୋପନରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାଟେ ଜିଲ୍ଲା ପ୍ରଶାସନ ହାତରେ ପଡ଼ିବା ସବୁ ବିଗିଡ଼େଇ ଦେଇଛି ।
ଗତ ଜୁନ୍ ୨୫ ତାରିଖରେ ମାଡ଼କାମୀ ନିଜ ପ୍ୟାଡ୍ ରେ ଏହି ଚିଠିଟି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଦଳ ସଭାପତି ଭାବେ ନବୀନ ପଟ୍ଟନାୟକଙ୍କୁ ଚିଠି ଦେଇଥିଲେ । ସେଥିରେ ସେ ଜିଲ୍ଲାର ସବୁ ଅଣଓଡ଼ିଆ କଲେକ୍ଟରଙ୍କ ବିରୋଧରେ କଡ଼ା ଭାଷାରେ ବିଷ ଓଗାଳିଥିଲେ । ଜିଲ୍ଲାପାଳ ନିଜକୁ ଡେମିଗଡ଼ ଭଳି ବ୍ୟବହାର କରୁଛନ୍ତି । ସଚ୍ଚୋଟ ଅଫିସରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲା ବେଳେ ଦୁର୍ନୀତିଖୋର ଅଫିସରଙ୍କୁ ସୁରକ୍ଷା ଦେଉଛନ୍ତି । ଜିଲ୍ଲାପାଳଙ୍କ ଅହଂକାର ଓ ମନମାନି ଯୋଗୁଁ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି । ଜିଲ୍ଲାର ଭାଗ୍ୟ ତାଙ୍କ ହାତରେ ବନ୍ଧାପଡ଼ିଛି । ଥ୍ରୀ ଟି କାର୍ଯ୍ୟକ୍ରମ ସାଂଘାତିକ ଭାବେ ଅକାମୀ ହୋଇପଡ଼ିଛି ।
ସେହିଭଳି ଏସପି ମଧ୍ୟ ଲୁଟେରାଙ୍କ ସୁରକ୍ଷାକର୍ତ୍ତା ସାଜିଛନ୍ତି । ଥାନା ଆଇଆଇସିମାନଙ୍କ ମାଧ୍ୟମରେ ନିଜେ ଦୁର୍ନୀତିରେ ବୁଡ଼ି ଅରାଜକତା ଚଳାଇଛନ୍ତି । ଗଞ୍ଜେଇ ବେପାରୀ ଓ ଟେଣ୍ଡର ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ବି ଆଖିବୁଜା ଦୁର୍ନୀତି କରୁଛନ୍ତି । ଜିଲ୍ଲାର ଚାଷୀମାନଙ୍କୁ ଅଭାବୀ ଧାନ ବିକ୍ରୀ ପାଇଁ ବାଧ୍ୟ କରାଯାଉଛି । ମିଲର୍ ମାନଙ୍କଠାରୁ ସିଏସଓ ବର୍ଷକୁ ୭୦ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରୁଥିବା ବିଧାୟକ ଲେଖିଥିଲେ । ଆଗକୁ ମାଲକାନଗିରି ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଏହା ଦଳ ପାଇଁ ମହଙ୍ଗା ପଡ଼ିବ । ଆଜିଠାରୁ ନ ସଜାଡ଼ିଲେ ସାଧାରଣ ନିର୍ବାଚନରେ ଲୋକଙ୍କୁ ସାମନା କରିବା କଷ୍ଟକର ହୋଇପଡ଼ିବ ବୋଲି ବିଧାୟକ ଜଣାଇଥିଲେ ।
ତେବେ ବିଧାୟକଙ୍କୁ ହଟହଟା କରିଛି ଭୁଲ୍ ଯୋଗାଯୋଗ । ନବୀନ ନିବାସ ଦଳ ସଭାପତିଙ୍କ ପାଖକୁ ସେ ଚିଠି ଲେଖିଥିଲେ ମଧ୍ୟ ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଡ଼ିଯାଇଛି । ଆଉ ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିଟି ଆସି ପହଞ୍ଚିଛି ଜିଲ୍ଲାପାଳଙ୍କ ଦପ୍ତରରେ । ଜିଲ୍ଲାପାଳଙ୍କ ଦପ୍ତରରେ ଚିଠି ପହଞ୍ଚିଲା ପରେ ଏବେ ଜିଲ୍ଲାପାଳ,ଏସପି, ସିଏସଓ ସମସ୍ତେ ଖଡ଼ଗହସ୍ତ । ଏମିତିକି ବିଡ଼ିଓ/ହସିଲଦାରମାନେ ବି ତାଙ୍କଠାରୁ କରଛଡ଼ା ଦେଇଛନ୍ତି । ଚିଠିଟି ଜିଲ୍ଲା ଦପ୍ତରରେ କିଭଳି ପହଞ୍ଚିଲା ସେକଥା ଭାବି ବିଧାୟକଙ୍କ ମୁଣ୍ଡ ବି ଗୋଲ୍ । ସେ ସାଂଘାତିକ ସତକଥା ଲେଖିଥିବା ତାଙ୍କ ସମର୍ଥକମାନେ କହୁଥିଲେ ମଧ୍ୟ ବିଧାୟକ ନିଜ ସୁରକ୍ଷା ଖୋଜୁଛନ୍ତି । ବୁଲି ବୁଲି ସଫେଇ ଦେଉଛନ୍ତି ମୁଁ ସେ ଚିଠି ଲେଖିନି । ହେଲେ ବୁଦ୍ଧିଆ ଅଫିସରଙ୍କଠାରୁ ସେ ଖସିପାରିନାହାନ୍ତି । ଏ ସମ୍ପର୍କରେ ଆମେ ବିଧାୟକଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି କହିନଥିଲେ ।