ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ବର୍ତ୍ତମାନ ଅର୍ଥ କମିଶନ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ଉର୍ଜିତ ପଟେଲଙ୍କ ଜାଗାରେ ସେ ହେବେ ଆରବିଆଇର ନୂଆ ଗଭର୍ଣ୍ଣର । ଆଜି କେନ୍ଦ୍ର ସରକାର ତାଙ୍କର ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଓଡ଼ିଶାରେ ଜନ୍ମିତ ୬୧ ବର୍ଷୀୟ ଶକ୍ତିକାନ୍ତ ୧୯୮୦ ବ୍ୟାଚର୍ ତାମିଲନାଡୁ କ୍ୟାଡର ଆଇଏଏସ୍ ଅଧିକାରୀ । ୨୦୧୫ରୁ ୧୭ ମସିହା ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ମୋଦୀ ସରକାର ବିମୁଦ୍ରାକରଣ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଓ ଏହାର ନିୟମକାନୁନ ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ଶ୍ରୀ ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଚର୍ଚ୍ଚାକୁ ଆସିଥିଲେ । ଉଭୟ ମନମୋହନ ସିଂ ଓ ନରେନ୍ଦ୍ର ମୋଦୀଙ୍କ ସରକାରରେ ବଜେଟ୍ ପ୍ରସ୍ତୁତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ । ଚାକିରିରୁ ଅବସର ନେଲା ପରେ ପଞ୍ଚଦଶ ଅର୍ଥ କମିଶନ ସଦସ୍ୟ ପଦରେ ନିଯୁକ୍ତି ପାଇଥିଲେ । ଏଥିସହ ଜି-୨୦ରେ ତାଙ୍କୁ ଭାରତର ପ୍ରତିନିଧିତ୍ୱ ମିଳିଥିଲା ।
ଶ୍ରୀ ଦାସ ପ୍ରଥମ ଓଡ଼ିଆ ଭାବେ ଆରବିଆଇ ଗଭର୍ଣ୍ଣର ପଦ ଅଳଙ୍କୃତ କରିଛନ୍ତି । ଭୁବନେଶ୍ୱର ଡିଏମ୍ ସ୍କୁଲ ର ସେ ଥିଲେ ଛାତ୍ର ।