ନୂଆଦିଲ୍ଲୀ: ରାଜସ୍ଥାନ ଓ ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ ବିଜେପିର ପରାଜୟ ସ୍ପଷ୍ଟ ହୋଇଛି । ରାଜ୍ୟରେ ବିଜେପି ସହ କଡ଼ା ଟକ୍କରରେ କଂଗ୍ରେସ ବାଜି ମାରିଛି । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୧୧୪ ଟି ଆସନ ମିଳିଛି । ବିଜେପି ୧୦୯ ଆସନ ପାଇଥିବା ବେଳେ ବହୁଜନ ସମାଜବାଦୀ ପାର୍ଟି(ବିଏସପି)କୁ ଦୁଇଟି, ସମାଜବାଦୀ ପାର୍ଟି(ଏସପି)କୁ ଗୋଟିଏ ଆସନ ମିଳିଛି । ୪ ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ସକାଳେ ଭୋଟଗଣତି ଶେଷ ହୋଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି । ଏଥିସହ ସରକାର ଗଠନ ପାଇଁ ୧୧୬ ମ୍ୟାଜିକ୍ ନମ୍ବରକୁ କଂଗ୍ରେସ ହାସଲ କରିଛି । ବିଏସପି, ଏସପି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ କଂଗ୍ରେସକୁ ସମର୍ଥନ ଘୋଷଣା କଲା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଇତିମଧ୍ୟରେ ରାଜ୍ୟ ରାଜଭବନରେ ରାଜନୈତିକ କାର୍ଯ୍ୟକ୍ରମ କେନ୍ଦ୍ରୀଭୂତ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲଙ୍କୁ ଭେଟି ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ସେପଟେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ବିଧାୟକ ଦଳ ସେମାନଙ୍କ ନେତା ନିର୍ବାଚନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ତାପରେ ରାଜ୍ୟପାଳ ବିଧାୟକ ଦଳ ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ । ଭୋପାଳରେ କଂଗ୍ରେସ ବିଧାୟକ ଦଳ ଯେ କୌଣସି ମୁହୁର୍ତ୍ତରେ ବୈଠକ କରି ନେତା ନିର୍ବାଚନ କରିବେ ବୋଲି ସୂଚନା ମିଳିଛି । ଆଜି ରାତିରେ ହିଁ ନୂଆ ସରକାରର ଶପଥ ପାଇଁ କଂଗ୍ରେସ ଆଗ୍ରହ ପ୍ରକାଶ କରିଛି ।
କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କମଲନାଥଙ୍କ ନାଁ ସର୍ବାଗ୍ରେ ରହିଛି । ଜ୍ୟୋର୍ତିଆଦିତ୍ୟ ସିଂ ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।