ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ନିଜର ଓଡ଼ିଆ ଟିଭି ଚାନେଲ । ଓଡ଼ିଶାର ନମ୍ବର ୱାନ୍ ଚାନେଲ୍ । ନିଜ ରାଜ୍ୟବାସୀ(ଓଡ଼ିଆ)ଙ୍କୁ କୁଆଡ଼େ ତାଙ୍କର ଭାରି ଆଦର । ସେଥିପାଇଁ ଅଣଓଡ଼ିଆ ଅଫିସରଙ୍କୁ ନାକ ଟେକନ୍ତି । ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ଲୁହ ଗଡ଼ାନ୍ତି । ନିଜ ଓଡ଼ିଆ ଚାନେଲକୁ ଆୟୁଧ କରି ଓଡ଼ିଶାରେ ନିଜର ପତିଆରା ବଢ଼ୋଉଥିବା ବୈଜୟନ୍ତଙ୍କର କିନ୍ତୁ ଓଡ଼ିଆ ଗଣମାଧ୍ୟମକୁ କାହିଁକି କେଜାଣି ଭୀଷଣ ଆଲର୍ଜି । ଓଡ଼ିଆ ଚାନେଲ୍ ରେ ମୁହଁ ଦେଖାଇବା ହୀନମନ୍ୟତାର ପରିଚାୟକ ବୋଲି ସମ୍ଭବତଃ ଭାବିନେଇଛନ୍ତି । ବୈଜୟନ୍ତ ନିଜର ପବ୍ଲିସିଟି ଓ ମାର୍କେଟିଂ ପାଇଁ ଜାତୀୟ ଗଣମାଧ୍ୟମକୁ ଭରସା କରିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ଓଡ଼ିଶାରେ ବୈଜୟନ୍ତ ଓଡ଼ିଆ ଗଣମାଧ୍ୟମକୁ ଡାକି ପ୍ରେସ୍ କନଫରେନ୍ସ କରିବା, ଟିଭିରେ ବାଇଟ୍ ଦେବା କିମ୍ବା ଟିଭି ଆଲୋଚନାରେ ଭାଗ ନେବା କେହି ଦେଖିନାହାନ୍ତି । ଏଠି ଯାହା କହନ୍ତି କେବଳ ଟୁଇଟରେ । ନିଜର ହେଉ କି ରାଜ୍ୟର ହେଉ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ କେବଳ ଟୁଇଟରରେ ଉଭା ହୁଅନ୍ତି । ତାଙ୍କ ଟିଭି ଓ କିଛି ସଙ୍ଗିନୀ ଗଣମାଧ୍ୟମ ତାହାକୁ ବ୍ରେକିଂ ଖବର କରି ପକାନ୍ତି । ଭୁବନେଶ୍ୱରରେ ଉପସ୍ଥିତ ରହି ବି ସେ ଓଡ଼ିଆ ଗଣମାଧ୍ୟମରେ ଆସିବାକୁ ଭଲ ପାଆନ୍ତିନି । ପୂର୍ବକଥା ଛାଡ଼ନ୍ତୁ, ବିଜେଡ଼ିରୁ ତଡ଼ା ଖାଇବାଠାରୁ ଆରମ୍ଭ କରି ଇସ୍ତଫା ଦେବା ପ୍ରସଙ୍ଗରେ ସେ କେବେ ବି ଓଡ଼ିଆ ଗଣମାଧ୍ୟମରେ ମୁହଁ ଦେଖାଇନାହାନ୍ତି । ଓଡ଼ିଆ ସାମ୍ବାଦିକମାନଙ୍କ ପାଇଁ ସେ ସବୁବେଳେ ଅପହଞ୍ଚ ରହିଛନ୍ତି । ତାଙ୍କର ଅଣଓଡ଼ିଆ ସାକ୍ଷାତକାରକୁ ଯାହା ତାଙ୍କ ଚାନେଲ ଓଡ଼ିଆରେ ଅନୁବାଦ କରି ମୁଖ୍ୟ ସମ୍ବାଦ କରାଏ ।
ବୈଜୟନ୍ତଙ୍କର ଇଂରାଜୀ ଓ ହିନ୍ଦୀ ଖବରକାଗଜ/ଟିଭିପ୍ରୀତି କାହାରିକୁ ଅଜଣା ନାହିଁ । ସେ ବିଜେଡ଼ିରୁ ଇସ୍ତଫା ଦେବା ପରେ ତାଙ୍କ ମୁହଁରୁ ପ୍ରତିକ୍ରିୟା ଆଣିବା ପାଇଁ ଓଡ଼ିଆ ସାମ୍ବାଦିକମାନେ ନିରାଶ ହୋଇଥିଲା ବେଳେ ଅଣଓଡ଼ିଆ ‘ସ୍ୱରାଜ୍ୟ’ ପତ୍ରିକାଠାରୁ ଆରମ୍ଭ କରି ରିପବ୍ଲିକ୍ ଟିଭି, ଏନଡିଟିଭି, ଟାଇମସ୍ ଅଫ ଇଣ୍ଡିଆ, ଦି ଉଇକ୍ ସବୁଥିରେ ଦେଖୁଛନ୍ତି ବୈଜୟନ୍ତଙ୍କୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅଫିସରଙ୍କୁ ବୁଲି ବୁଲି ଗାଳି କରୁଛନ୍ତି । ଅର୍ଣ୍ଣବ ଗୋସ୍ୱାମୀ, ନିଧି ରାଜଦାନ, ବର୍ଖା ଦତ୍ତଙ୍କ ଭଳି ସେଲିବ୍ରିଟିଙ୍କ ସହ ଇଂରାଜୀରେ ଗପି ନିଜର କାଟତି ଦେଖାଉଛନ୍ତି ।
ବିଭିନ୍ନ ମହଲ ଚର୍ଚ୍ଚା ଅନୁଯାୟୀ, ଓଡ଼ିଆ ମିଡ଼ିଆକୁ ବୈଜୟନ୍ତଙ୍କ ମନରେ ଭୀଷଣ ଘୃଣା ଭାବ । ଓଡ଼ିଆ ସାମ୍ବାଦିକଙ୍କୁ ଟିଭିରେ ବାଇଟ୍ ଦେବା ଓ ଆଲୋଚନାରେ ବସିବାକୁ ସେ ପ୍ରେଷ୍ଟିଜ୍ ଇସ୍ୟୁ ବୋଲି ଭାବନ୍ତି । ଅନ୍ୟପକ୍ଷରେ ଏବେ ଜାତୀୟ ଗଣମାଧ୍ୟମରେ ବାରମ୍ବାର ଆସିବା ପଛରେ ତାଙ୍କର ତିନି ତିନିଟି ଉଦ୍ଦେଶ୍ୟ ରହିଛି । ପ୍ରଥମତଃ, ନିଜକୁ ଭଲ ଇଂରାଜୀ କହିପାରୁଥିବା ଜଣେ ସଫଷ୍ଟିକେଟେଡ୍ ରାଜନେତା ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଦ୍ୱିତୀୟରେ, ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ତୃତୀୟରେ, ନିଜ ଲକ୍ଷ୍ୟସ୍ଥଳ ବିଜେପିରେ ନିଜର ବାର୍ଗେନିଂ ବଢ଼ାଇ କାଟତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ବିଚକ୍ଷଣ ଭାବମୂର୍ତ୍ତିସମ୍ପନ୍ନ, ଲୋକଙ୍କ ସହ ନିବିଡ଼ ସମ୍ପର୍କ ଓ ଜାତୀୟ ରାଜନୀତିରେ ନିଜର ଦଖଲ ଥିବା ଏକ ବ୍ୟକ୍ତିତ୍ୱର ଛବି ଉପସ୍ଥାପନ କରି ବିଜେପି ନେତାଙ୍କୁ ଇମ୍ପ୍ରେସ୍ କରିବାକୁ ଚେଷ୍ଟା କରୁଛନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ସେ ହିଁ ଏକମାତ୍ର ବିକଳ୍ପ ବୋଲି ଦେଖେଇବାକୁ ଚାହୁଁଛନ୍ତି ବୈଜୟନ୍ତ ।





