ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଜୟପୁରର ଏକମ୍ବାଠାରେ ନିର୍ବାଚନୀ ସଭାରେ ଭାଷଣ ଦେଇ କଂଗ୍ରେସ ଓ ରାଜ୍ୟର ବିଜେଡ଼ି ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଛନ୍ତି । ୧୯ ବର୍ଷର ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନ ଥିଲେ ମୋଦି ।
ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରି ମୋଦି କହିଥିଲେ, ଓଡ଼ିଶାରେ ଏକ ସ୍ଥିର ସରକାର ଥିଲେ ବୋଲି ବିକାଶ ହୋଇନାହିଁ । ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । ମାତ୍ର ପ୍ରାକୃତିକ ସମ୍ପଦରେ ଓଡ଼ିଶା ଧନୀ, ମାତ୍ର ଏଠି ଲୋକ ଗରିବ । ଏଠାରେ ଶାସନ କରୁଥିବା ଲୋକ ଓଡ଼ିଶାକୁ ଗରିବ କରି ରଖିଛନ୍ତି । ଏଠି ସରକାର ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ଆଦିବାସୀ ସମ୍ପତ୍ତି ଲୁଟ୍ ହେଉଛି । ଶାସନ ବ୍ୟବସ୍ଥାରେ ଦଲାଲ ଫାଇଦା ନେଉଛନ୍ତି, ସାଧାରଣ ଲୋକ ମୁଣ୍ଡ ପିଟୁଛନ୍ତି । ଆୟୁଷ୍ମାନ୍ ଯୋଜନା ଲାଗୁ ନ କରି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ କରାଯାଇଛି । ଚିଟଫଣ୍ଡ ଘୋଟାଲାକାରୀଙ୍କୁ ସୁରକ୍ଷା ଦେଉଥିବା ଲୋକ ଓଡ଼ିଶାର ବିକାଶ କରିପାରିବେ କି ବୋଲି ପ୍ରଶ୍ନ କରିଥିଲେ ମୋଦି ।
ମୋଦି କହିଥିଲେ, କେବଳ ଏଇ ଚୌକିଦାର ହିଁ ଦେଶ ଓ ରାଜ୍ୟକୁ ସୁରକ୍ଷା ଦେଇପାରିବ । ଦେଶ ଓ ରାଜ୍ୟର ବିକାଶ କରିବାକୁ ହେଲେ ଡବଲ୍ ଇଞ୍ଜିନ୍ ଲଗାଇବାକୁ ପଡ଼ିବ । ରାଜ୍ୟରେ ବର୍ତ୍ତମାନର ସରକାର ପରିବର୍ତ୍ତନ କରିବାକୁ ସେ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ ।
ବିଜେଡ଼ିର ପ୍ରତିକ୍ରିୟା: ମୋଦିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି, ମୋଦି ନିର୍ବାଚନ ପ୍ରଚାରରେ ଆସି ଓଡ଼ିଶାର ବିକାଶ କଥା କହୁଛନ୍ତି । ମାତ୍ର ତାଙ୍କ ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କରିନାହାନ୍ତି ସେ ସମ୍ପର୍କରେ ପଦୁଟିଏ କହିଥିଲେ ଭଲ ହୋଇଥାଆନ୍ତା । କୋଷ୍ଟାଲ୍ ହାଇୱେଠାରୁ ଆରମ୍ଭ କରି ରାଉରକେଲାର ଆଇଜିଏଚ୍ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ୍, ବ୍ରାହ୍ମଣୀ ଦ୍ୱିତୀୟ ସେତୁ କାହିଁକି ନିର୍ମାଣ ହୋଇନି ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ । ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା କାଟ୍ ଓ ରେଳବାଇ ବିକାଶରେ ଓଡ଼ିଶାକୁ କାହିଁକି ଅଣଦେଖା କରାଯାଉଛି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଜଣାଇଥିଲେ ଭଲ ହୋଇଥାଆନ୍ତା ବୋଲି ଡ. ପାତ୍ର କହିଛନ୍ତି ।