ଭୁୁବନେଶ୍ୱର: ରାଜ୍ୟସଭାର ମର୍ଯ୍ୟାଦାଜନକ ଉପାଧ୍ୟକ୍ଷ ପ୍ୟାନେଲ୍ ରେ ସ୍ଥାନ ପାଇଛନ୍ତି ବିଜେଡ଼ି ସାଂସଦ ଡ. ସସ୍ମିତ୍ ପାତ୍ର । ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଓଡ଼ିଆ ଯୁବ ସାଂସଦଙ୍କୁ ଏଭଳି ମର୍ଯ୍ୟାଦାପୂର୍ଣ୍ଣ ଗୁରୁଦାୟିତ୍ୱ ମିଳିବା ରାଜ୍ୟ ପାଇଁ ଗର୍ବର ବିଷୟ ହୋଇଛି । ୨୦ ବର୍ଷରେ ପ୍ରଥମ ଓଡ଼ିଆ ସାଂସଦ ଭାବେ ସସ୍ମିତ୍ ଙ୍କୁ ଏହି ଗୌରବ ମିଳିଛି । ଆଜି ରାଜ୍ୟସଭା ସେକ୍ରେଟାରୀଏଟ୍ ପକ୍ଷରୁ ତାଙ୍କ ସମେତ ୬ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲ୍ ଘୋଷଣା କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଏମାନେ ଗୃହର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ସସ୍ମିତ୍ ସମ୍ପୂର୍ଣ୍ଣ ନୂଆ ହୋଇଥିଲା ବେଳେ ଅନ୍ୟ ୫ ଜଣ ହେଉଛନ୍ତି ବରିଷ୍ଠ ସାଂସଦ ।
ଗତବର୍ଷ ଜୁନ୍ ମାସରେ ୪୦ ବର୍ଷୀୟ ସସ୍ମିତ୍ ବିଜୁ ଜନତା ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମ କରି ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇ ଇଂରାଜୀରେ ଉଚ୍ଚକୋଟିର ବକ୍ତବ୍ୟ ରଖି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ତଥା ଭାରତର ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ମଧ୍ୟ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ ।
ଅଭିଜ୍ଞତାରେ ବର୍ଷଟିଏ ପୂରଣ ହୋଇ ନ ଥିଲେ ମଧ୍ୟ ନିଜର ଦକ୍ଷତା ବଳରେ ସେ କିଛି ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ପାଇଛନ୍ତି । ପାର୍ଲିଆମେଣ୍ଟ ଯୁଗ୍ମ କମିଟି(ଅଫିସ୍ ଅଫ୍ ପ୍ରଫିଟ୍)କୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ରାଜ୍ୟସଭାରେ ପ୍ରଥମେ ତାଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ସସ୍ମିତ୍ । ତାଙ୍କୁ ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନୋନୀତ କରିଥିବାରୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନେନୀତ ଅନ୍ୟ ବରିଷ୍ଠ ସଦସ୍ୟମାନେ ହେଲେ ଭୁବନେଶ୍ୱର କାଲିତା, ଶ୍ରୀମତୀ ବନ୍ଦନା ଚଭନ, ସୁଖେନ୍ଦୁ ଶେଖର ରାୟ, ସୁରେନ୍ଦ୍ର ସିଂ ନଗର ଏବଂ ଡ. ଏଲ୍.ହନୁମନଥୈୟେ ।