ଡ. ଜ୍ୟୋତି ପ୍ରକାଶ ମହାପାତ୍ର
ଆମ ଗାଁ ଗୋଟେ ବ୍ଲକରେ । ଆଉ ଆମ ଗାଁ ଖେଳ ପଡ଼ିଆ ଆଉ ଗୋଟେ ବ୍ଲକରେ । ମଝିରେ ସୀମାରେଖା ନଈଟେ, ଯାର ନାଁ- କାଣୀ । ବର୍ଷ ତମାମ ମଲା ସାପ ପରି ଗୁଡ଼େଇ ତୁଡ଼େଇ ହୋଇ ପଡ଼ିଥିବା ସେ ନଈ ବର୍ଷା ଦିନ ଆସିଲେ ଭୟଙ୍କର ବନ୍ୟା ଆଣେ । ସେମିତି ଖେଳ ପଡ଼ିଆ ଆର ପାଖକୁ ଆଉ ଗୋଟେ ଗାଁ ଓ ତାର କଡ଼କୁ ବି ଆଉ ଗୋଟେ ନଈ, ଯୋଉଟି ଜୁଆରିଆ । ଦିନରେ ଓ ସଂଜକୁ ସେଥିରେ ଜୁଆର ଆସେ ।
ଖେଳ ପଡ଼ିଆ ଚାରି ପାଖେ ବିରି, ମୁଗ କ୍ଷେତ । ପୁଣି କେବେ ସେଇ ପଡ଼ିଆ କଡ଼ରେ ବିରି କି ମୁଗ ବେଙ୍ଗଳା ବି ପଡ଼େ । ତେବେ ପଡ଼ିଆଟି ଥିଲା ବେଶ ବିସ୍ତୃତ, ଲମ୍ବା ଓ ଅସରନ୍ତି ଲାଗୁଥିଲା ମତେ ପିଲାବେଳେ । ଯଦିଓ ସେ ଭାବନା କଲେଜ ପଢିଲା ବେଳକୁ କମି କମି ଆସିଥିଲା ।
ସେଇ ପଡ଼ିଆରେ ଚାଲେ କ୍ରିକେଟ-ସକାଳୁ ସଂଜ ଯାଏ । ମୁଁ ସ୍କୁଲରେ ପଢିଲା ବେଳେ ମୋ କକା, ବିଟାଳ ଦାଦା, ଟୁକୁମ କକା, ସୁକୁଟି ନା’ ଆଦି ଭାରି ଭଲ କ୍ରିକେଟ ଖେଳୁଥିଲେ । ସେତେବେଳେ ଆମ ଗାଁ ଟିମର ଭାରି ନାଁ ଡାକ ଥିଲା । ଆଖପାଖ ଗାଁରେ ସବୁଦିନେ ଚମ୍ପିଆନ ହେଉଥିଲା ସବୁ କ୍ରିକେଟ ପ୍ରତିଯୋଗିତାରେ ଆମ ଗାଁ ଟିମ୍ ।
ତା’ ଆଗରୁ ବାପାଙ୍କ ବେଳେ ଆମ ଗାଁର ବେଶ ନାଁ ଡାକ ଥିଲା ଭଲିବଲ ଖେଳରେ । ବାପା, ଶିବ ସାର୍, ନିତିଆ ପଣ୍ଡା, ରମେଶ ଦାଦା, ବିମଳ ସାର୍, ଅମି କକା, ଶରତ କକା ଆଦି ଚମକ୍ରାର ଭଲିବଲ ଖେଳୁଥିଲେ । ଗାଁର କ୍ଲବ ନାଁ ଥିଲା- ପାରାଡାଇଜ୍ କ୍ଲବ୍ । ଆମ ଗାଁ ଭଲିବଲ ଟିମ ଖେଳିବାକୁ ଯାଉଥିଲା କାହିଁ କେତେଦୂର- ପାରାଦୀପ, ଯାଜପୁର ରୋଡ଼, ସୁକିନ୍ଦା, କଟକ ଆଦି ଅନେକ ଜାଗା ।
ସେତେବେଳେ ତ ବାଇକ୍ କି ସ୍କୁଟର ନଥିଲା । ସାଇକେଲ ନେଇ ଟିମ୍ ପିଲା ଯାଉଥିଲେ ଦୂର ଗାଁକୁ ଖେଳିବାକୁ । ଗୋଟେ ସାଇକେଲରେ ଦୁଇ କି ତିନି ଜଣ ଏକାଠି ହୋଇ ଯାଉଥିଲେ ଓ ତାଙ୍କ ସାଙ୍ଗରେ ଉଠି ଯାଉଥିଲା ସମୁଦାୟ ଗାଁ । ବନା ଦା’ଙ୍କ ଠାରୁ ଆରମ୍ଭ କରି ରତ୍ନାକର ସାରଙ୍କ ପରି ସମସ୍ତେ ଯାଉଥିଲେ ଗାଁ ଟିମ୍ ସହିତ । ଯେତେବେଳେ ଗାଁ ଟିମ୍ କୋଉଠି ମ୍ୟାଚ୍ ଖେଳୁଥିଲା, ସେତେବେଳେ ସାରା ଗାଁ ବିଜୟ ପାଇଁ ପ୍ରାର୍ଥନା କରୁଥିଲା । ଗାଁରେ ଚର୍ଚ୍ଚାର ବିଷୟ ଜମାରୁ ରାଜନୀତି କି ସିନେମା କି କାହାର ପ୍ରେମ କାହାଣୀ ଆଦୌ ନଥିଲା । ବରଂ- ଆମ ଟିମ କେମିତି ଖେଳୁଛି, ଆଜି ନିଶ୍ଚିତ ଜିତିବ- ତାହା ହିଁ ଥିଲା ସମୁଦାୟ କଥାଭାଷାର ବିଷୟବସ୍ତୁ ।
ଏମିତି ଗାଁ ଟିମ ଖେଳିବାକୁ ଯାଇଥିବ ସକାଳୁ ଓ ସଂଜ ବୁଡ଼ି ଆସୁଥିବ, କିଛି ଖବର ନଥିବ କାହା ପାଖରେ । ଗାଁଟା ଯାକର ବୁଢା, ପିଲା ସମସ୍ତେ ଯାଇ ନଦୀ ବନ୍ଧରେ ଅପେକ୍ଷା କରି ବସିଥିବେ ବହଳ ଅନ୍ଧାର ଭିତରେ । ଏମିତି ଅପେକ୍ଷାର ପରିବେଶ ଭିତରେ ଅଚାନକ ବିଲ ମଝିରୁ କାହିଁ କେତେ ଦୂରରୁ ଶୁଭିବ- ଥ୍ରୀ ଚିୟର୍ସ ଫର୍ ପାରାଡାଇଜ୍ କ୍ଲବ… ଆଉ ଗାଁଟା ସାରା ଲୋକେ ନଦୀବନ୍ଧରୁ ସ୍ୱର ଧରିବେ- ହିପ ହିପ ହୁରେ…ରେ…ରେ… । ଖୁସିରେ ଫାଟି ପଡ଼ିବ ସାରା ଗାଁ । ଅନ୍ଧାର ବହଳ ଭିତରୁ ସତେ ଯେମିତି ଉଠି ବସି ଉତ୍ସବ ମନାଉ ଥିଲା ଆମ ଗାଁ । ସିଆଡ଼େ ସାଙ୍ଗେ ସାଙ୍ଗେ ମହାଦେବ ମନ୍ଦିରରେ କିଏ ଯାଇ ପ୍ରାର୍ଥନା ଆରମ୍ଭ କରି ଦେଇଥିବ, ଆଉ ସେଦିନର ପୂଜକ ପାଦୁକା ଧରି ଛିଡ଼ା ହୋଇ ଯାଇଥିବେ- ସାରା ଟିମକୁ ପାଦୁକା ଦେବାକୁ । ଆଗାମୀ ବିଜୟ ପାଇଁ ଶୁଭ ମନାସିବାକୁ ।
ଆମେ ଖେଳିଲା ବେଳକୁ ଭଲିବଲରେ ଆମ ଗାଁର ନାଁ ଡାକ ସେମିତି ଜବରଦସ୍ତ ଥିଲା । ତେବେ କ୍ରିକେଟ ବି ପଶି ଯାଇଥିଲା ସେଇ ଗାଁର ଖେଳର ସଂସାରକୁ । ଗାଁ ଖେଳ ପଡ଼ିଆରେ ଶୀତୁଆ ସକାଳେ ପଖାଳ ଖାଇ ଦେଇ ଆରମ୍ଭ ହୋଇ ଯାଉଥିଲା ଟେଷ୍ଟ ମ୍ୟାଚ୍, କୋଡ଼ିଏ ଓଭର ବାଲା ୱାନ ଡେ’ ମ୍ୟାଚ୍ । ଦିନ ସରି ଯାଉଥିଲା, ଖେଳ ସରୁ ନଥିଲା । ଶରୀର ହାଲିଆ ହୋଇ ଯାଉଥିଲା, ମନ ହାଲିଆ ହେଉ ନଥିଲା । ପୁଣି ଖେଳ ମଝିରେ କିଏ ଥକା ହୋଇଗଲେ ଅଳ୍ପ ଦୂରରେ ଥିବା ବରଗଛ ଛାଇରେ ହାଲୁକା ନିଶ୍ୱାସ ମାରୁଥିଲା । ଶୋଷ ହେଲେ କିଏ ଯାଇ ଗାଁ ଟିୱେଲରୁ ବାଲତିଏ ପାଣି ଧରି ଆସୁଥିଲା । ସମସ୍ତେ ସେଇଠି ମୁହଁ ଲଗେଇ ସେ ପାଣି ପିଇ ଯାଉଥିଲେ । ଫକୁନି ନା’, କୁବୁଲି, ବାଫୁନି, ନାଲୁ, କାଳିଆ, ବକୁ, ବୁବୁନା, ଜଟିଆ କକା, ନିଲୁଆ କକା- ଏ ତାଲିକା ତ ଲେଖିଲେ ସରିବ ନାହିଁ କେବେ ବି । କିଏ ଏମିତି ନଥିଲା ଯେ ଖେଳୁ ନଥିଲା ।
ଖେଳ ତ ଗାଁକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା । ଖେଳ ତ ଗାଁକୁ ଏକମନ କରିଥିଲା । ଖେଳ ତ ଗାଁକୁ ଯୋଡ଼ିଥିଲା । ଖେଳ ତ ଗାଁକୁ ନୂଆ ପରିଚୟ ବି ଦେଇଥିଲା ।
ସଂଜକୁ ଖେଳ ସରିଲା ପରେ ସେଇ ପଡ଼ିଆରେ ଗାମୁଛା ବିଛେଇ ଆମେ ଶୋଇ ପଡ଼ୁ । ଉପରେ ତାରା ଭରା ଆକାଶ, ଜହ୍ନ ଆଲୁଅ, ନଈ କୂଳରୁ ଆସୁଥିବା ପବନ ଭିତରେ ତେଣିକି ଗପ ଚାଲେ । ସୂର୍ଯ୍ୟ ସେତେବେଳକୁ ଦୂର ବ’ଢିଅ ପାହାଡ଼ ସନ୍ଧିରେ ଅସ୍ତ ହୋଇ ସାରି ଥାଆନ୍ତି କେତେବେଳୁ । ଅନ୍ଧାରରେ କାହାରି ମୁହଁ କାହାରିକୁ ଦେଖା ଯାଏନି, କିନ୍ତୁ କଥାର ଖିଅ ଛିଡ଼େନି ସେଇ ଅନ୍ଧାର ଭିତରେ । ମଣିଷ ସେତେବେଳେ ସତରେ ଅନ୍ୟ ଜଣକୁ ନିଚ୍ଛକ ଢଙ୍ଗରେ ଭଲ ପାଉଥିଲା । ସେଠି ହିଂସା, ବାଦ ସେମିତି ଶବ୍ଦ କେହି ଶୁଣି ନଥିଲେ କି ଶିଖି ନଥିଲେ । ଏକମନ ହୋଇ ସମସ୍ତେ ବାସ୍ ଖେଳୁଥିଲେ ଓ ନିଜ ଗାଁ ପାଇଁ ଗର୍ବ କରୁଥିଲେ ।
ପୁଣି ଆମ ଗାଁରେ ଶୀତଦିନେ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଥିଲା । ଆମେ ସମସ୍ତେ ଚାନ୍ଦା କରି ଫିକ୍ସର (ମ୍ୟାଚ୍ ସୂଚୀ) ତିଆରି କରି, ତାକୁ କାର୍ବନ କାଗଜରେ ଦଶ, କି ପନ୍ଦର କପି କାଢି ପାଖ କି ଦୂର ଗାଁକୁ ନେଇ ଯାଉଥିଲୁ ସେ ଗାଁର କ୍ୟାପଟେନକୁ ଆମନ୍ତ୍ରଣ କରିବାକୁ । ଟୁର୍ଣ୍ଣାମେଂଟ ବେଳେ ଗାଁରେ ପ୍ରତିଟି ଘର ଆନନ୍ଦରେ ଭାତ, ଡାଲମା କି ରୁଟି, ଆଳୁଦମ ତିଆରି କରି ଦେଉଥିଲେ ସଭିଙ୍କ ପାଇଁ । ଆଉ ସେଇ ପଡ଼ିଆ ଭିତରେ ଶୀତୁଆ ଖରାର ତାତିରେ ଏକାଠି ବସି ଯାଉଥିଲେ ପାଖ ଗାଁ ଟିମ ସହିତ ଆମ ଗାଁର ପିଲା ଖାଇବା ପାଇଁ ।
ଖେଳ ଥିଲା ଗାଁରେ ଜୀବନ । ଖେଳ ଥିଲା ଗାଁକୁ ଏକତା ସୂତାରେ ବାନ୍ଧି ରଖିବାର ଅନ୍ୟତମ ବଳିଷ୍ଠ ମାଧ୍ୟମ ।
ଖେଳୁଥିଲେ ସମସ୍ତେ । ଆଉ କଲେଜ ଛୁଟିରେ ମୁଁ ଗାଁକୁ ଯାଇ ସେଇ ନିଶାରେ ଏକାଥରେ ମାସେରୁ ଅଧିକ ଲୁଚି ରହି ଯାଉଥିଲି ।
ପରେ ଗାଁରେ ରାଜନୀତି ପଶିଲା । ଖେଳ ବଦଳରେ ଆମ ପିଲାଏ ରାଜନୀତିରେ ବେଶି ବେଶି ମାତିଲେ । ଅସଲି ଖେଳ ଛାଡ଼ି ନକଲି ଖେଳରେ ମନ ଦେଲେ । ଆଉ ତାରି ପରିଣାମ ସ୍ୱରୂପ- ଗାଁ ପଡ଼ିଆ ଛାତି ଚିରି ଗୋଟେ ରାସ୍ତା ତିଆରି ହୋଇଗଲା । ଅଙ୍କାବଙ୍କା, ମୋଡ଼ିମାଡ଼ି ରାସ୍ତା । ଯା’ ଭିତରେ ହଜିଗଲା ଖେଳ ପଡ଼ିଆ, କିମ୍ବା ଏମିତି କୁହା ଯାଇପାରେ ଯେ- ଆମର କୁଜି ଓ ଅତି କୁଜି ନେତାମାନେ ମିଶି ଷଡ଼ଯନ୍ତ୍ର କରି ସେ ପଡ଼ିଆକୁ ନିଭେଇ ଦେବାର ପ୍ରୟାସ କଲେ ।
ଏବେ ସେ ପଡ଼ିଆ ଆମ ଗାଁ ମଲା ନଈ ପରି ଗୁଡ଼େଇ ତୁଡ଼େଇ ରାସ୍ତା ଓ ରାଜନୀତି ଭିତରେ ଛନ୍ଦି ହୋଇ ଅଣନିଶ୍ୱାସୀ ହୋଇ ପଡ଼ିଛି।
ଖେଳ ସରି ଯାଇଛି।
(ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଦୀର୍ଘ ବର୍ଷର ସକ୍ରିୟ ସାମ୍ବାଦିକତା ପରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରକୁ ଆସିଥିଲେ । ଢ଼େଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସେ ସହକାରୀ ପ୍ରଫେସର ଭାବେ ଏବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ jpm.iimc@gmail.com ରେ ଯୋଗାଯୋଗ କରିହେବ)