Tuesday, June 23, 2026 05:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖେଳ ଓ ଖେଳ ପଡ଼ିଆ

by Jyoti prakash Mohapatra
25 Jul, 2020- 10:47 AM
in Guest Column, Latest News
1 min read
0
ଖେଳ ଓ ଖେଳ ପଡ଼ିଆ
ଡ. ଜ୍ୟୋତି ପ୍ରକାଶ ମହାପାତ୍ର
ଆମ ଗାଁ ଗୋଟେ ବ୍ଲକରେ । ଆଉ ଆମ ଗାଁ ଖେଳ ପଡ଼ିଆ ଆଉ ଗୋଟେ ବ୍ଲକରେ । ମଝିରେ ସୀମାରେଖା ନଈଟେ, ଯାର ନାଁ- କାଣୀ । ବର୍ଷ ତମାମ ମଲା ସାପ ପରି ଗୁଡ଼େଇ ତୁଡ଼େଇ ହୋଇ ପଡ଼ିଥିବା ସେ ନଈ ବର୍ଷା ଦିନ ଆସିଲେ ଭୟଙ୍କର ବନ୍ୟା ଆଣେ । ସେମିତି ଖେଳ ପଡ଼ିଆ ଆର ପାଖକୁ ଆଉ ଗୋଟେ ଗାଁ ଓ ତାର କଡ଼କୁ ବି ଆଉ ଗୋଟେ ନଈ, ଯୋଉଟି ଜୁଆରିଆ । ଦିନରେ ଓ ସଂଜକୁ ସେଥିରେ ଜୁଆର ଆସେ ।
ଖେଳ ପଡ଼ିଆ ଚାରି ପାଖେ ବିରି, ମୁଗ କ୍ଷେତ । ପୁଣି କେବେ ସେଇ ପଡ଼ିଆ କଡ଼ରେ ବିରି କି ମୁଗ ବେଙ୍ଗଳା ବି ପଡ଼େ । ତେବେ ପଡ଼ିଆଟି ଥିଲା ବେଶ ବିସ୍ତୃତ, ଲମ୍ବା ଓ ଅସରନ୍ତି ଲାଗୁଥିଲା ମତେ ପିଲାବେଳେ । ଯଦିଓ ସେ ଭାବନା କଲେଜ ପଢିଲା ବେଳକୁ କମି କମି ଆସିଥିଲା ।
ସେଇ ପଡ଼ିଆରେ ଚାଲେ କ୍ରିକେଟ-ସକାଳୁ ସଂଜ ଯାଏ । ମୁଁ ସ୍କୁଲରେ ପଢିଲା ବେଳେ ମୋ କକା, ବିଟାଳ ଦାଦା, ଟୁକୁମ କକା, ସୁକୁଟି ନା’ ଆଦି ଭାରି ଭଲ କ୍ରିକେଟ ଖେଳୁଥିଲେ । ସେତେବେଳେ ଆମ ଗାଁ ଟିମର ଭାରି ନାଁ ଡାକ ଥିଲା । ଆଖପାଖ ଗାଁରେ ସବୁଦିନେ ଚମ୍ପିଆନ ହେଉଥିଲା ସବୁ କ୍ରିକେଟ ପ୍ରତିଯୋଗିତାରେ ଆମ ଗାଁ ଟିମ୍ ।
ତା’ ଆଗରୁ ବାପାଙ୍କ ବେଳେ ଆମ ଗାଁର ବେଶ ନାଁ ଡାକ ଥିଲା ଭଲିବଲ ଖେଳରେ । ବାପା, ଶିବ ସାର୍, ନିତିଆ ପଣ୍ଡା, ରମେଶ ଦାଦା, ବିମଳ ସାର୍, ଅମି କକା, ଶରତ କକା ଆଦି ଚମକ୍ରାର ଭଲିବଲ ଖେଳୁଥିଲେ । ଗାଁର କ୍ଲବ ନାଁ ଥିଲା- ପାରାଡାଇଜ୍ କ୍ଲବ୍ । ଆମ ଗାଁ ଭଲିବଲ ଟିମ ଖେଳିବାକୁ ଯାଉଥିଲା କାହିଁ କେତେଦୂର- ପାରାଦୀପ, ଯାଜପୁର ରୋଡ଼, ସୁକିନ୍ଦା, କଟକ ଆଦି ଅନେକ ଜାଗା ।
ସେତେବେଳେ ତ ବାଇକ୍ କି ସ୍କୁଟର ନଥିଲା । ସାଇକେଲ ନେଇ ଟିମ୍ ପିଲା ଯାଉଥିଲେ ଦୂର ଗାଁକୁ ଖେଳିବାକୁ । ଗୋଟେ ସାଇକେଲରେ ଦୁଇ କି ତିନି ଜଣ ଏକାଠି ହୋଇ ଯାଉଥିଲେ ଓ ତାଙ୍କ ସାଙ୍ଗରେ ଉଠି ଯାଉଥିଲା ସମୁଦାୟ ଗାଁ । ବନା ଦା’ଙ୍କ ଠାରୁ ଆରମ୍ଭ କରି ରତ୍ନାକର ସାରଙ୍କ ପରି ସମସ୍ତେ ଯାଉଥିଲେ ଗାଁ ଟିମ୍ ସହିତ । ଯେତେବେଳେ ଗାଁ ଟିମ୍ କୋଉଠି ମ୍ୟାଚ୍ ଖେଳୁଥିଲା, ସେତେବେଳେ ସାରା ଗାଁ ବିଜୟ ପାଇଁ ପ୍ରାର୍ଥନା କରୁଥିଲା । ଗାଁରେ ଚର୍ଚ୍ଚାର ବିଷୟ ଜମାରୁ ରାଜନୀତି କି ସିନେମା କି କାହାର ପ୍ରେମ କାହାଣୀ ଆଦୌ ନଥିଲା । ବରଂ- ଆମ ଟିମ କେମିତି ଖେଳୁଛି, ଆଜି ନିଶ୍ଚିତ ଜିତିବ- ତାହା ହିଁ ଥିଲା ସମୁଦାୟ କଥାଭାଷାର ବିଷୟବସ୍ତୁ ।
ଏମିତି ଗାଁ ଟିମ ଖେଳିବାକୁ ଯାଇଥିବ ସକାଳୁ ଓ ସଂଜ ବୁଡ଼ି ଆସୁଥିବ, କିଛି ଖବର ନଥିବ କାହା ପାଖରେ । ଗାଁଟା ଯାକର ବୁଢା, ପିଲା ସମସ୍ତେ ଯାଇ ନଦୀ ବନ୍ଧରେ ଅପେକ୍ଷା କରି ବସିଥିବେ ବହଳ ଅନ୍ଧାର ଭିତରେ । ଏମିତି ଅପେକ୍ଷାର ପରିବେଶ ଭିତରେ ଅଚାନକ ବିଲ ମଝିରୁ କାହିଁ କେତେ ଦୂରରୁ ଶୁଭିବ- ଥ୍ରୀ ଚିୟର୍ସ ଫର୍ ପାରାଡାଇଜ୍ କ୍ଲବ… ଆଉ ଗାଁଟା ସାରା ଲୋକେ ନଦୀବନ୍ଧରୁ ସ୍ୱର ଧରିବେ- ହିପ ହିପ ହୁରେ…ରେ…ରେ… । ଖୁସିରେ ଫାଟି ପଡ଼ିବ ସାରା ଗାଁ । ଅନ୍ଧାର ବହଳ ଭିତରୁ ସତେ ଯେମିତି ଉଠି ବସି ଉତ୍ସବ ମନାଉ ଥିଲା ଆମ ଗାଁ । ସିଆଡ଼େ ସାଙ୍ଗେ ସାଙ୍ଗେ ମହାଦେବ ମନ୍ଦିରରେ କିଏ ଯାଇ ପ୍ରାର୍ଥନା ଆରମ୍ଭ କରି ଦେଇଥିବ, ଆଉ ସେଦିନର ପୂଜକ ପାଦୁକା ଧରି ଛିଡ଼ା ହୋଇ ଯାଇଥିବେ- ସାରା ଟିମକୁ ପାଦୁକା ଦେବାକୁ । ଆଗାମୀ ବିଜୟ ପାଇଁ ଶୁଭ ମନାସିବାକୁ ।
ଆମେ ଖେଳିଲା ବେଳକୁ ଭଲିବଲରେ ଆମ ଗାଁର ନାଁ ଡାକ ସେମିତି ଜବରଦସ୍ତ ଥିଲା । ତେବେ କ୍ରିକେଟ ବି ପଶି ଯାଇଥିଲା ସେଇ ଗାଁର ଖେଳର ସଂସାରକୁ । ଗାଁ ଖେଳ ପଡ଼ିଆରେ ଶୀତୁଆ ସକାଳେ ପଖାଳ ଖାଇ ଦେଇ ଆରମ୍ଭ ହୋଇ ଯାଉଥିଲା ଟେଷ୍ଟ ମ୍ୟାଚ୍, କୋଡ଼ିଏ ଓଭର ବାଲା ୱାନ ଡେ’ ମ୍ୟାଚ୍ । ଦିନ ସରି ଯାଉଥିଲା, ଖେଳ ସରୁ ନଥିଲା । ଶରୀର ହାଲିଆ ହୋଇ ଯାଉଥିଲା, ମନ ହାଲିଆ ହେଉ ନଥିଲା । ପୁଣି ଖେଳ ମଝିରେ କିଏ ଥକା ହୋଇଗଲେ ଅଳ୍ପ ଦୂରରେ ଥିବା ବରଗଛ ଛାଇରେ ହାଲୁକା ନିଶ୍ୱାସ ମାରୁଥିଲା । ଶୋଷ ହେଲେ କିଏ ଯାଇ ଗାଁ ଟିୱେଲରୁ ବାଲତିଏ ପାଣି ଧରି ଆସୁଥିଲା । ସମସ୍ତେ ସେଇଠି ମୁହଁ ଲଗେଇ ସେ ପାଣି ପିଇ ଯାଉଥିଲେ । ଫକୁନି ନା’, କୁବୁଲି, ବାଫୁନି, ନାଲୁ, କାଳିଆ, ବକୁ, ବୁବୁନା, ଜଟିଆ କକା, ନିଲୁଆ କକା- ଏ ତାଲିକା ତ ଲେଖିଲେ ସରିବ ନାହିଁ କେବେ ବି । କିଏ ଏମିତି ନଥିଲା ଯେ ଖେଳୁ ନଥିଲା ।
ଖେଳ ତ ଗାଁକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା । ଖେଳ ତ ଗାଁକୁ ଏକମନ କରିଥିଲା । ଖେଳ ତ ଗାଁକୁ ଯୋଡ଼ିଥିଲା । ଖେଳ ତ ଗାଁକୁ ନୂଆ ପରିଚୟ ବି ଦେଇଥିଲା ।
ସଂଜକୁ ଖେଳ ସରିଲା ପରେ ସେଇ ପଡ଼ିଆରେ ଗାମୁଛା ବିଛେଇ ଆମେ ଶୋଇ ପଡ଼ୁ । ଉପରେ ତାରା ଭରା ଆକାଶ, ଜହ୍ନ ଆଲୁଅ, ନଈ କୂଳରୁ ଆସୁଥିବା ପବନ ଭିତରେ ତେଣିକି ଗପ ଚାଲେ । ସୂର୍ଯ୍ୟ ସେତେବେଳକୁ ଦୂର ବ’ଢିଅ ପାହାଡ଼ ସନ୍ଧିରେ ଅସ୍ତ ହୋଇ ସାରି ଥାଆନ୍ତି କେତେବେଳୁ । ଅନ୍ଧାରରେ କାହାରି ମୁହଁ କାହାରିକୁ ଦେଖା ଯାଏନି, କିନ୍ତୁ କଥାର ଖିଅ ଛିଡ଼େନି ସେଇ ଅନ୍ଧାର ଭିତରେ । ମଣିଷ ସେତେବେଳେ ସତରେ ଅନ୍ୟ ଜଣକୁ ନିଚ୍ଛକ ଢଙ୍ଗରେ ଭଲ ପାଉଥିଲା । ସେଠି ହିଂସା, ବାଦ ସେମିତି ଶବ୍ଦ କେହି ଶୁଣି ନଥିଲେ କି ଶିଖି ନଥିଲେ । ଏକମନ ହୋଇ ସମସ୍ତେ ବାସ୍ ଖେଳୁଥିଲେ ଓ ନିଜ ଗାଁ ପାଇଁ ଗର୍ବ କରୁଥିଲେ ।
ପୁଣି ଆମ ଗାଁରେ ଶୀତଦିନେ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଥିଲା । ଆମେ ସମସ୍ତେ ଚାନ୍ଦା କରି ଫିକ୍ସର (ମ୍ୟାଚ୍ ସୂଚୀ) ତିଆରି କରି, ତାକୁ କାର୍ବନ କାଗଜରେ ଦଶ, କି ପନ୍ଦର କପି କାଢି ପାଖ କି ଦୂର ଗାଁକୁ ନେଇ ଯାଉଥିଲୁ ସେ ଗାଁର କ୍ୟାପଟେନକୁ ଆମନ୍ତ୍ରଣ କରିବାକୁ । ଟୁର୍ଣ୍ଣାମେଂଟ ବେଳେ ଗାଁରେ ପ୍ରତିଟି ଘର ଆନନ୍ଦରେ ଭାତ, ଡାଲମା କି ରୁଟି, ଆଳୁଦମ ତିଆରି କରି ଦେଉଥିଲେ ସଭିଙ୍କ ପାଇଁ । ଆଉ ସେଇ ପଡ଼ିଆ ଭିତରେ ଶୀତୁଆ ଖରାର ତାତିରେ ଏକାଠି ବସି ଯାଉଥିଲେ ପାଖ ଗାଁ ଟିମ ସହିତ ଆମ ଗାଁର ପିଲା ଖାଇବା ପାଇଁ ।
ଖେଳ ଥିଲା ଗାଁରେ ଜୀବନ । ଖେଳ ଥିଲା ଗାଁକୁ ଏକତା ସୂତାରେ ବାନ୍ଧି ରଖିବାର ଅନ୍ୟତମ ବଳିଷ୍ଠ ମାଧ୍ୟମ ।
ଖେଳୁଥିଲେ ସମସ୍ତେ । ଆଉ କଲେଜ ଛୁଟିରେ ମୁଁ ଗାଁକୁ ଯାଇ ସେଇ ନିଶାରେ ଏକାଥରେ ମାସେରୁ ଅଧିକ ଲୁଚି ରହି ଯାଉଥିଲି ।
ପରେ ଗାଁରେ ରାଜନୀତି ପଶିଲା । ଖେଳ ବଦଳରେ ଆମ ପିଲାଏ ରାଜନୀତିରେ ବେଶି ବେଶି ମାତିଲେ । ଅସଲି ଖେଳ ଛାଡ଼ି ନକଲି ଖେଳରେ ମନ ଦେଲେ । ଆଉ ତାରି ପରିଣାମ ସ୍ୱରୂପ- ଗାଁ ପଡ଼ିଆ ଛାତି ଚିରି ଗୋଟେ ରାସ୍ତା ତିଆରି ହୋଇଗଲା । ଅଙ୍କାବଙ୍କା, ମୋଡ଼ିମାଡ଼ି ରାସ୍ତା । ଯା’ ଭିତରେ ହଜିଗଲା ଖେଳ ପଡ଼ିଆ, କିମ୍ବା ଏମିତି କୁହା ଯାଇପାରେ ଯେ- ଆମର କୁଜି ଓ ଅତି କୁଜି ନେତାମାନେ ମିଶି ଷଡ଼ଯନ୍ତ୍ର କରି ସେ ପଡ଼ିଆକୁ ନିଭେଇ ଦେବାର ପ୍ରୟାସ କଲେ ।
ଏବେ ସେ ପଡ଼ିଆ ଆମ ଗାଁ ମଲା ନଈ ପରି ଗୁଡ଼େଇ ତୁଡ଼େଇ ରାସ୍ତା ଓ ରାଜନୀତି ଭିତରେ ଛନ୍ଦି ହୋଇ ଅଣନିଶ୍ୱାସୀ ହୋଇ ପଡ଼ିଛି।
ଖେଳ ସରି ଯାଇଛି।
(ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଦୀର୍ଘ ବର୍ଷର ସକ୍ରିୟ ସାମ୍ବାଦିକତା ପରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରକୁ ଆସିଥିଲେ । ଢ଼େଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସେ ସହକାରୀ ପ୍ରଫେସର ଭାବେ ଏବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ jpm.iimc@gmail.com ରେ ଯୋଗାଯୋଗ କରିହେବ)
Previous Post

ଓଡ଼ିଶା ପାଇଁ ଗର୍ବ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ୍ ପାତ୍ର

Next Post

ଦିନକରେ କରୋନା ନେଲା ୧୦ ମୁଣ୍ଡ, ନୂଆ ୧୩୨୦ ପଜିଟିଭ୍

Next Post
ଦିନକରେ କରୋନା ନେଲା ୧୦ ମୁଣ୍ଡ, ନୂଆ ୧୩୨୦ ପଜିଟିଭ୍

ଦିନକରେ କରୋନା ନେଲା ୧୦ ମୁଣ୍ଡ, ନୂଆ ୧୩୨୦ ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA