ଭୁବନେଶ୍ୱର: ପିସିସିର ନୂଆ କ୍ୟାପଟନ୍ ନିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ନେଇ କାମ କରିବେ ବୋଲି କହିଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ କୁ ବାସ୍ତବ ରୂପ ଦେବାକୁ ନିରଞ୍ଜନ ଅଣ୍ଟା ଭିଡ଼ିଛନ୍ତି । ୧୮ ବର୍ଷ ଧରି ଓଡ଼ିଶାବାସୀଙ୍କଠାରୁ ପ୍ରତ୍ୟାଖ୍ୟାତ ହୋଇ ରହିଥିବା କଂଗ୍ରେସର ଦୋଷ ଦୁର୍ବଳତାକୁ ନିରଞ୍ଜନ ଖାଲି ଖୋଲିନାହାନ୍ତି ବରଂ ଲୋକଙ୍କ ବିଶ୍ୱାସଭାଜନ ଫେରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । କଂଗ୍ରେସ ମୁଖିଆ ଦାୟିତ୍ୱ ପାଇ ଭୁବନେଶ୍ୱର ଫେରିବା ପରେ ନିରଞ୍ଜନ ପୂରା ଜୋସ୍ ଲଗାଇଛନ୍ତି । ସିଧା ସିଧା ମାନିଛନ୍ତି ଯେ କଂଗ୍ରେସ ନେତାମାନେ ଲୋକଙ୍କ କଥା ଭୁଲି ଭୁବନେଶ୍ୱରରେ ଚୁଙ୍ଗୁଲିମେଳି କରୁଛନ୍ତି । ଗୋଷ୍ଠୀଭୁକ୍ତ ହୋଇ ଦଳକୁ ତଳିତଳାନ୍ତ କରୁଛନ୍ତି । ପ୍ରସାଦ ହରିଚନ୍ଦନଙ୍କୁ ଆମେ ଦୋଷ ଦେଇ ଲାଭ ନାହିଁ । ତାଙ୍କୁ ଆମେ କେହି ସହଯୋଗ କଲେ ନାହିଁ ବୋଲି ନିରଞ୍ଜନଙ୍କ ମନ୍ତବ୍ୟ କଂଗ୍ରେସକୁ ବିପଦରୁ ଉଦ୍ଧାର କରିବା ପାଇଁ ଏକ ମହାର୍ଘ ଅନୁଭବ ବୋଲି କୁହାଯାଉଛି ।
ଗର୍ବ ଓ ଅହଂ ଭାବ ରଖିଲେ ଲୋକେ ଗ୍ରହଣ କରିବେ ନାହିଁ । ଦୁଇ ଦଶନ୍ଧିର ଏହି ଅନୁଭବ କଂଗ୍ରେସକୁ ଏବେ ନୂଆ ଦିଶା ଦେଇଥିବା ବାରି ହେଉଛି । ଗତକାଲି ଟିମ ନିରଞ୍ଜନଙ୍କ ପାଇଁ ଆୟୋଜିତ ସ୍ୱାଗତ ମେଳାରେ ଅନ୍ତତଃ ଏହା ସ୍ପଷ୍ଟ ହୋଇଛି । ନୂଆ ଟିମ୍ ଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱରରେ ଲାଗିଥିବା ହୋର୍ଡିଂ ଓ ତୋରଣ ଅନେକ କଥା ସୂଚାଇଛି । ସ୍ୱାଗତ ହୋର୍ଡିଂରେ ସମୁଦାୟ ୬ ଜଣଙ୍କ ଫଟୋ ସ୍ଥାନିତ ହୋଇଥିଲା । ସବା ଉପରେ ଡ. ମନମୋହନ ସିଂ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ଫଟୋ ଥିବା ବେଳେ ଦ୍ୱିତୀୟ ଧାଡ଼ିରେ ନବନିଯୁକ୍ତ ତିନି ସହପ୍ରଭାରୀଙ୍କ ଫଟୋ ରହିଥିଲା । ତଳେ ଦଳୀୟ ଚିହ୍ନ ହାତ ଏବଂ ଜିତେନ୍ଦ୍ର ସିଂ ଙ୍କ ଫଟୋ ଥିଲା । ହୋର୍ଡିଂରେ ପିସିସି ସଭାପତି ଏବଂ ତାଙ୍କ ନୂଆ ଟିମ୍ ର ଚେହେରା ସ୍ଥାନିତ ହୋଇ ନ ଥିଲା । କଂଗ୍ରେସ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ନିଜେ ନିରଞ୍ଜନ ପଟ୍ଟନାୟକ ତାଙ୍କ ଫଟୋ ନ ରଖିବାକୁ ପରାମର୍ଶ ଦେଇଥିଲେ । ଯଦି ତାଙ୍କର ରହିବ ତେବେ ଟିମ୍ ମେମ୍ବର ସମସ୍ତଙ୍କ ରହିବ । ନିରଞ୍ଜନ ଏହି ବାର୍ତ୍ତା ଦେବାକୁ ଚାହିଁଥିଲେ ଯେ ରାଜ୍ୟ କଂଗ୍ରେସରେ କୋଉ ନେତା ବଡ଼ ନୁହଁନ୍ତି । ସବୁ ନେତା ସମାନ । ସମସ୍ତେ ଏକାଠି ହୋଇ କାମ କଲେ ରାଜ୍ୟରେ କଂଗ୍ରେସ ଉଠିବ ।
ବିଦାୟୀ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ବି ଯଥେଷ୍ଟ ସମ୍ମାନ ଦେଇଥିଲେ ନିରଞ୍ଜନ । କଂଗ୍ରେସ ଭବନରେ ଆୟୋଜିତ ସ୍ୱାଗତ ସଭାରେ ଯୋଗଦେବାକୁ ପ୍ରସାଦ ଯଥେଷ୍ଟ ପୂର୍ବରୁ ସେଠାରେ ପହଞ୍ଚଥିଲେ । ମଞ୍ଚ ତଳେ ସବା ଆଗରେ ବସିବାକୁ ଆୟୋଜକମାନେ ତାଙ୍କୁ ଅନୁରୋଧ କରିଥିଲେ ମଧ୍ୟ ପ୍ରସାଦ ସାଧାରଣ କର୍ମୀଙ୍କ ମେଳରେ ପଛ ଚାରି ଧାଡିରେ ବସିଥିଲେ । ତେବେ ଟିମ୍ ନିରଞ୍ଜନ ପହଞ୍ଚି ସଭା ଆରମ୍ଭ ହେଉଥିବା ବେଳେ ନିରଞ୍ଜନଙ୍କ ଆଖି ଚାଲିଗଲା ପ୍ରସାଦଙ୍କ ଉପରକୁ । ପ୍ରସାଦ ସଭାମଞ୍ଚ ଉପରକୁ ଆସିବାକୁ ସେ ଅନୁରୋଧ କରିଥିଲେ । ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ନିଜ ଆସନରୁ ଉଠି ପ୍ରସାଦଙ୍କୁ ସଭାମଞ୍ଚକୁ ପାଛୋଟି ନେଇଥିଲେ । ନିରଞ୍ଜନ ଓ ଜିତେନ୍ଦ୍ରଙ୍କ ଏଭଳି ସୌଜନ୍ୟତାକୁ ସମସ୍ତେ ବେଶ୍ ତାରିଫ କରିଥିଲେ ।
କଂଗ୍ରେସ ନବକଳେବରରେ ପ୍ରସାଦଙ୍କୁ ସ୍ଥାନ ମିଳିନାହିଁ ସତ ହେଲେ ନେତୃତ୍ୱଙ୍କ ଆସ୍ଥା ତାଙ୍କ ଉପରୁ ତୁଟିନାହିଁ । ପ୍ରସାଦଙ୍କ ପ୍ରତି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ହାବଭାବ ଏୟା ହିଁ ସୂଚେଇ ଦେଇଥିଲା । ନିରଞ୍ଜନ ବି ସମସ୍ତଙ୍କ ସହ ପ୍ରସାଦଙ୍କୁ ସାଙ୍ଗରେ ଧରି ଆଗକୁ ବଢ଼ିବେ ବୋଲି ଇସାରା ଦେଇଥିଲେ । ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ କଂଗ୍ରେସକୁ ନେତୃତ୍ୱ ଦେବାରେ ପ୍ରସାଦ ଫେଲ୍ ହୋଇଥିଲେ ମଧ୍ୟ ଦିଲ୍ଲୀରେ ତାଙ୍କ ପତିଆରା କମିନାହିଁ । ରାହୁଲ ଗାନ୍ଧୀଙ୍କର ଏବେ ବି ସେ ପ୍ରିୟପାତ୍ର । ଏଆଇସିସି ପୁର୍ନଗଠନରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ବୋଧହୁଏ ନିରଞ୍ଜନଙ୍କୁ ଏହା ମାଲୁମ ଥିବାରୁ ସେ ପ୍ରସାଦଙ୍କୁ ନିରାଶ କରିବାକୁ ଚାହିଁନାହାନ୍ତି ।
ତେବେ ରାଜନୀତି ଯାହା ହେଉ ନା କାହିଁକି ଜିତେନ୍ଦ୍ର-ନିରଞ୍ଜନଙ୍କ ଯୋଡି ରାଜ୍ୟ କଂଗ୍ରେସକୁ ନୂଆ ଦିଶା ଦେବାରେ ସକ୍ଷମ ହୋଇପାରିବେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । କଂଗ୍ରେସ ଶାସନକ୍ଷମତାକୁ ଫେରିବା ଅବସ୍ଥାରେ ନ ଥିଲେ ମଧ୍ୟ ବିଜେଡ଼ି ଓ ବିଜେପିକୁ ଯେ ପାଣି ପିଆଇବେ ତାହା ସମସ୍ତଙ୍କ ଅନୁମାନ । ଗତକାଲିର କଂଗ୍ରେସ ଶକ୍ତି ପ୍ରଦର୍ଶନ ଉଭୟ ବିଜେଡ଼ି ଓ ବିଜେପି ଶିବିରକୁ ଥରେଇ ଦେଇଛି । ଦୁଇ ଦୁଇଟି ବିରୋଧୀ ଶକ୍ତିଙ୍କୁ ମୁକାବିଲା ପାଇଁ ବିଜେଡ଼ି ପ୍ରସ୍ତୁତ ହୋଇଯାଇଥିବା ବେଳେ ବିଜେପି ନୂଆ ଷ୍ଟ୍ରାଟେଜି ଆପଣେଇବାକୁ ଯାଉଛି । ବିଜେଡ଼ି ସହ ଏକାକୀ ଲଢ଼େଇ ପାଇଁ ବିଜେପି କରିଥିବା ଯୋଜନା ପଣ୍ଡ ହୋଇଥିବାରୁ ନେତାମାନଙ୍କ ଭାଳେଣି ପଡ଼ିଛି । ଏବେ ଦେଖିବାର କଥା, ବିଜେଡ଼ିର ଲଢ଼େଇ ବିଜେପି ସହ ହେବ ନା କଂଗ୍ରେସ ସହ । ନିରଞ୍ଜନଙ୍କ ଜୋସ୍ କର୍ମୀଙ୍କଠାରେ ଦେଖାଗଲେ ବିଜେପି ନିଶ୍ଚିତ ପଛରେ ପଡ଼ିଯିବ ବୋଲି ରାଜନୈତିକ ଆକଳନ କହୁଛି ।