ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା ଆଜି ଢ଼େଙ୍କାନାଳ ଜିଲ୍ଲାର ଜାମ୍ମୁଗଡ଼ିଆ ଗ୍ରାମରେ ଏକ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ । ସେଠାକୁ ଯିବା ପୂର୍ବରୁ ସେ ଏକ ଟୁଇଟ୍ କରିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ତାଙ୍କୁ ବାରଣ କରିବା ପାଇଁ କୁଆଡେ ପାୱାରଫୁଲ ବ୍ୟୁରେକ୍ରାଟ୍ ‘ପି’ ଙ୍କ ନିର୍ଦ୍ଦେଶ ଅଛି ବୋଲି ଲେଖିଥିଲେ । ଖାଲି ସେତିକି ନୁହେଁ, ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇସାରି ସେ ତାଙ୍କ ଟିଭିକୁ ବାଇଟ୍ ଦେଲେ ଯେ ସେ କୌଣସି ଧମକକୁ ଭ୍ରୃକ୍ଷେପ କରନ୍ତି ନାହିଁ । ପାଣ୍ଡିଆନ୍ ଙ୍କ ଲକ୍ଷ୍ୟ କରି କହିଥିଲେ ସେ ଯେଉଁଠିକି ଯିବେ ତାଙ୍କୁ ହଇରାଣ ଓ ଅଟକେଇବାକୁ ଯୋଜନା ହୋଇଛି । ତେବେ ତାଙ୍କୁ ହଜାର ହଜାର ସମର୍ଥକ ସ୍ନେହ ଦେଇଥିବାରୁ ସେ ଖୁସି ।
ଏକ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବରେ ବୈଜୟନ୍ତଙ୍କ ଯୋଗଦାନ ଓ ମନ୍ତବ୍ୟକୁ ତାଙ୍କର ତଥାକଥିତ ନିରପେକ୍ଷ ଟିଭି ପ୍ରାଇମ୍ ଟାଇମ୍ ବ୍ରେକିଂ ଖବର କରିଦେଲା । ସେୟାଡ଼େ ବୈଜୟନ୍ତଙ୍କ ସମର୍ଥକଙ୍କ ଟୁଇଟ୍ କୁ ରିଟୁଇଟ୍ କରିଚାଲିଲେ ବୈଜୟନ୍ତ । ତେବେ ବାସ୍ତବ କଥାଟି ହେଲା, ମନ୍ଦିର ପ୍ରତିଷ୍ଠା ଉତ୍ସବରେ ତାଙ୍କୁ ପୂରାଇ ନ ଦେବା ପାଇଁ କିଏ ଧମକ ଦେଇଥିଲା ସେକଥା କେହି ଜାଣନ୍ତିନି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିଲା ବୋଲି ବୈଜୟନ୍ତ କୋଉଠୁ ଜାଣିଲେ ନା ଶୁଣିଲେ କହିନାହାନ୍ତି । ପାଣ୍ଡିଆନ୍ ଙ୍କୁ ସବୁବେଳେ ଝୁରୁଥିବା ବୈଜୟନ୍ତଙ୍କୁ ତାଙ୍କ ଛାଇ ମନେ ପଡ଼ିଗଲା କି ବୋଲି ସାଧାରଣ ଚା ଖଟିରେ ବି ଲୋକେ କଟାକ୍ଷ କରିଛନ୍ତି । ସବୁକଥାରେ ପାଣ୍ଡିଆନ୍ ହୋଇ ହୋଇ ବୈଜୟନ୍ତ ନିଜକୁ ଶସ୍ତା କରିସାରିଲେଣି ଏବଂ ତାଙ୍କ କଥାର ଆଉ ଗୁରୁତ୍ୱ ରହୁନି ବୋଲି ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି ।
ସୋସିଆଲ୍ ମିଡ଼ିଆରେ ସକ୍ରିୟ ଥିବା ବୈଜୟନ୍ତ ଏହି ଇସ୍ୟୁରେ କିଛି ସମର୍ଥକଙ୍କ ଟୁଇଟ୍ କୁ ରିଟୁଇଟ୍ କରି ନିଜକୁ ଗୌରାବନ୍ୱିତ ମନେ କରିଛନ୍ତି । ଟୁଇଟ୍ ରେ ନିଜ ପ୍ରତି ସମର୍ଥନ ଅଜାଡ଼ି ହେଉଥିବାରୁ ଭାବବିହ୍ୱଳ ହୋଇପଡ଼ିଛନ୍ତି । ତେବେ ଜଣେ ଅଫିସରଙ୍କ ପଛରେ ଟିଙ୍କ ପରି ଲାଗିବା ତାଙ୍କ ଭଳି ଜଣେ ଜ୍ଞାନୀ, ଗୁଣି ଓ ପ୍ରଭାବଶାଳୀ ସାଂସଦଙ୍କ ପକ୍ଷରେ ଶୋଭା ପାଉନି ବୋଲି ସାଧାରଣରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହା ତାଙ୍କର ଦୁର୍ବଳତାକୁ ପଦାରେ ପକାଇଥିବା କୁହାଯାଉଛି । ଯଦି ଏତେ ତାକତ୍ ଅଛି ତେବେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପଛରେ ପଡ଼ି ନିଜକୁ ଛୋଟ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ ଆସିଛି । ବୈଜୟନ୍ତଙ୍କର ରାଜନୀତିକୁ ଅନେକ କଲେଜ ଇଲେକ୍ସନ୍ ରାଜନୀତି ବୋଲି କଟାକ୍ଷ କରିଛନ୍ତି ।
ବୁଦ୍ଧିଜୀବି ମହଲର କହିବା କଥା, ବୈଜୟନ୍ତ ନିଜ ଇତିହାସକୁ ଭୁଲିଯିବା ଉଚିତ୍ ନୁହେଁ । ନବୀନ ସରକାରଙ୍କଠାରୁ ଯଦି ଓଡ଼ିଶାର କେଉଁ ବ୍ୟବସାୟୀ ସଂସ୍ଥା ସର୍ବାଧିକ ଉପକୃତ ହୋଇଥାଏ ସିଏ ହେଉଛି ବୈଜୟନ୍ତଙ୍କ ପରିବାରର ଇମଫା କମ୍ପାନୀ । ୨୩୦୦ କୋଟି ଋଣ ଛାଡ଼ଠାରୁ ଛୋଟମୋଟ ବହୁତ ବାଟରେ ତାଙ୍କ ପରିବାର ବ୍ୟବସାୟ ଲାଭବାନ ହୋଇଛି । ନବୀନଙ୍କ ଦୟା ଓ ଆର୍ଶିବାଦରୁ ରାଜନୀତିରେ ପ୍ରତିଷ୍ଠା ଅର୍ଜିଛନ୍ତି । ସେଇ ପାଣ୍ଡିଆନ୍ ଙ୍କ ସାହାଯ୍ୟରେ ନିଜ ସ୍ୱାର୍ଥ ହାସଲ କରିଛନ୍ତି । ମାତ୍ର ନିଜ ସ୍ୱାର୍ଥରେ ବ୍ୟାଘାତ ପହଞ୍ଚିଲାରୁ ସେ ବିରୋଧୀ ପାଲଟିଛନ୍ତି । ବିଜେଡ଼ିରୁ ବିତାଡ଼ିତ ହେବା ପରେ ତାଙ୍କର ରାଜନୈତିକ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି । ପରିଚୟ ସଙ୍କଟରୁ ଉଦ୍ଧାର ପାଇଁ ସେ ନିଜକୁ ଚର୍ଚ୍ଚାରେ ରଖିବାକୁ ବିଭିନ୍ନ ଚାଲ୍ ଖେଳୁଛନ୍ତି । ତେବେ ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ନ୍ୟାୟରେ ତାଙ୍କର ସବୁ ଚାଲ୍ ଧରାପଡ଼ିଯାଉଛି । ତିନି ଦିନ ତଳେ ତାଙ୍କ ଅଫିସ୍ ରେ ଜଣେ ସମର୍ଥକଙ୍କ ପାଇଁ ପ୍ରେସ୍ ମିଟ୍ ର ଆୟୋଜନ କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ରର ଗୁମର ଖୋଲିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେମାନେ କହିଛନ୍ତି ।