ଭୁବନେଶ୍ୱର: ଦୋକାନ ଖୋଲିବା କଟକଣାକୁ କେନ୍ଦ୍ର ସରକାର ରାତିଅଧିଆ କୋହଳ କରିବା ପରେ ରାଜ୍ୟ ସରକାର ପୁରୁଣା ନିଷ୍ପତ୍ତିର ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କେଉଁ ଦୋକାନ ଖୋଲିବ, କେଉଁଟା ଖୋଲିବନି ତାହାର ତାଲିକା ସହ କିଛି ସର୍ତ୍ତ ରଖାଯାଇଛି । ମଦ ଦୋକାନ କିନ୍ତୁ ଖୋଲିବ ନାହିଁ । ଏହା ଉପରୁ କଟକଣା କୋହଳ ହୋଇନି । କରୋନା ହଟସ୍ପଟ୍ କିମ୍ବା କଣ୍ଟେନମେଣ୍ଟ ଜୋନ୍ ରେ ଦୋକାନ ଖୋଲିବା କଟକଣା ପୂର୍ବଭଳି ବଳବତ୍ତର ରହିଛି । ସେହି ଅଞ୍ଚଳରେ କୌଣସି ଦୋକାନ ଖୋଲିପାରିବ ନାହିଁ । କୌଣସି ଜାଗାରେ ସେଲୁନ୍ ଖୋଲିବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି ।
କେଉଁ ଦୋକାନ ଖୋଲିବ, କେଉଁଟା ଖୋଲିବନି
ରାଜ୍ୟ ସରକାରଙ୍କ ଓଡ଼ିଶା ସପସ୍ ଆଣ୍ଡ କମର୍ସିଆଲ୍ ଏଷ୍ଟାବ୍ଲିସମେଣ୍ଟସ୍ ଆକ୍ଟ,୧୯୫୬ରେ ପଞ୍ଜୀକୃତ ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ନିୟମରେ ଆସୁଥିବା ଗ୍ରାମାଞ୍ଚଳର ସବୁ ଦୋକାନ ଏବଂ ରେସିଡେନସିଆଲ୍ କମ୍ପ୍ଲେକ୍ସ ଖୋଲାଯାଇପାରିବ । ଏପରିକି ମାର୍କେଟ୍ କମ୍ପ୍ଲେକ୍ସ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ମଲଟି ବ୍ରାଣ୍ଡ କିମ୍ବା ସିଙ୍ଗଲ୍ ବ୍ରାଣ୍ଡ ମଲ୍ ଉପରେ କଟକଣା ପୂର୍ବଭଳି ରହିବ ।
ସହରାଞ୍ଚଳର ସାହି, ଗଳିରେ ଗୋଟି ଗୋଟିକିଆ ରହିଥିବା ଦୋକାନଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ରେସିଡେନସିଆଲ୍ କମ୍ପ୍ଲେକ୍ସ ରେ ମଧ୍ୟ ଦୋକାନ ଖୋଲାଯାଇପାରିବ । ତେବେ ସହରାଞ୍ଚଳରେ କୌଣସି ମଲ୍ , ମାର୍କେଟ୍ କମ୍ପ୍ଲେକ୍ସ ଖୋଲା ଯାଇପାରିବନି ।
ଦୋକାନ ଖୋଲିଲେ ମଧ୍ୟ ଅଧା କର୍ମଚାରୀଙ୍କୁ ନେଇ ଦୋକାନ ଚଳାଇବେ । ଦୋକାନରେ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ । ସେହିଭଳି ମାସ୍କ ପିନ୍ଧିବାକୁ ସମସ୍ତେ ବାଧ୍ୟ ବୋଲି ସରକାରଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।
ତେବେ ଜିଲ୍ଲାରେ କେଉଁ ଦୋକାନ କେଉଁ ସମୟରେ ଖୋଲିବ ଜିଲ୍ଲାପାଳ ତାହାର ନିଷ୍ପତ୍ତି ନେବେ । ସେହିଭଳି ସହରାଞ୍ଚଳରେ କେଉଁ ଦୋକାନ ଖୋଲିବ ମ୍ୟୁନିସିପାଲ୍ କମିଶନର ନିଷ୍ପତ୍ତି ନେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ।







