ବରେନ୍ଦ୍ର କୃଷ୍ଣ ସାହୁ
ଡ୍ରାଏ ଇଣ୍ଡିଆ ବା ଶୁଖିଲା ଭାରତକୁ ପୂରିଲା ମାସେ । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ଲକ୍ ଡାଉନ୍ ଘୋଷଣା ସହ ଗ୍ରୀଲ୍ ହାଉସ୍ ବା ମଦ ଦୋକାନରେ ବିକ୍ରି ମାସେ ହେଲା ସମ୍ପୂର୍ଣ୍ଣ ବନ୍ଦ ରହିଛି । ସରକାରଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ, ମଦ ଦୋକାନରେ ଜଉ ମୁଦ ନାଦି ଦେଇଛି । ଯାହା 57 ନିୟୂତ (ଆଲକହଲ ସେବନକାରୀ) ଭାରତୀୟଙ୍କ ନିଦ ହଜାଇ ଦେଇଛି ।
କରୋନା ମହାମାରୀର ଭୟାବହତାକୁ ଦେଖି ଲକ୍ ଡାଉନ୍ ମଝିରେ ମଝିରେ ଲାଗୁ ହେଉଛି ସଟ୍ ଡାଉନ୍ । ପୁଣି କିଛି ସ୍ଥାନରେ ପ୍ରବେଶ-ପ୍ରସ୍ଥାନ ସମ୍ପୂର୍ଣ୍ଣ ବନ୍ଦ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ତେବେ ଗତ 20 ତାରିଖରୁ କିଛି କିଛି ସ୍ଥାନରେ ପର୍ଯ୍ୟାୟ କ୍ରମେ କୋହଳ କରାଯିବ ବୋଲି କୁହାଗଲା । ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି, ଆବଶ୍ୟକତା ଏବଂ ସର୍ବୋପରି ଦେଶ ଓ ରାଜ୍ୟର ଅର୍ଥନୀତିକୁ କିଛିଟା ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳିଲା । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ବା ଓସଡମା ପକ୍ଷରୁ ଗାଇଡ୍ ଲାଇନ୍ ଜାରି ହେଲା ।
ଚୋର ମନ ଚୋର ଗଣ୍ଠୁଲିରେ ଭଳି, ମଦ୍ୟ ସେବନକାରୀ ପୂରା ଗାଇଡ୍ ଲାଇନକୁ ତନ୍ନ ତନ୍ନ କରି ପଢ଼ିଲେ । କିନ୍ତୁ ସବା ତଳକୁ ଲେଖା ଥିଲା, ମଦ ଦୋକାନ କିମ୍ବା ବାର୍ ମେ’ 3 ଯାଏଁ ବନ୍ଦ । ମନ କଥା ମନରେ ମାରି ହତାଶ ହେଲେ ମଦ୍ୟ ସେବନକାରୀ । ପରିସ୍ଥିତି ପାଇଁ 20 ତାରିଖ କୋହଳ ଗାଇଡ୍ ଲାଇନ୍ କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ଆଜି ପୁଣି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂଶୋଧିତ ଗାଇଡ୍ ଲାଇନ୍ ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ମଦ୍ୟପଙ୍କ ନିରାଶାଜନକ ସ୍ଥିତି ଆଉ କିଛି ଦିନ ଜାରି ରହିବ ।
କହିବାକୁ ଗଲେ ମଦରୁ ମଦୁଆ ଯେତିକି ଫାଇଦା ନପାଆନ୍ତି, ତା ଠାରୁ ଢେର ଫାଇଦା ସରକାରଙ୍କୁ ମିଳିଥାଏ । ସରକାର ପାଉଥିବା କରର ସିଂହ ଭାଗ ମଦରୁ ହିଁ ମିଳିଥାଏ । କିନ୍ତୁ କରୋନା ପାଇଁ ଭାରତରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି, ମଦ ବିକ୍ରିକୁ ନିଷିଦ୍ଧ କରି, ସରକାର କାହିଁକି ଏତେ ବଡ଼ ଆର୍ଥିକ କ୍ଷତି ସହୁଛନ୍ତି ? ସରକାରଙ୍କ ନିଷ୍ପତ୍ତି କିନ୍ତୁ ଯଥାର୍ଥ । କାରଣ ମଦ ଠାରୁ ଲୋକଙ୍କ ଜୀବନର ମୂଲ୍ୟ ଅଧିକ ଏବଂ ମାନବ ସମ୍ବଳ ସୁରକ୍ଷିତ ରହିଲେ ଆର୍ଥିକ କ୍ଷତି ଭରଣା କରିବା ଅସମ୍ଭବ ହେବନି । 2006ର ଖାଦ୍ୟ ନିରାପତ୍ତା ଏବଂ ମାନକ ଅନୁଯାୟୀ ମଦ, ଭାରତରେ ଏକ ଖାଦ୍ୟ ଶ୍ରେଣୀଭୁକ୍ତ । ତଥାପି କରୋନା ପାଇଁ ସରକାର ନେଇଥିବା ପଦକ୍ଷେପ ନିଶ୍ଚିତ ଭାବେ ଯେ, ଉଚିତ୍ ଏବଂ ପ୍ରଶଂସାଯୋଗ୍ୟ, ଏଥିରେ ଦ୍ୱିମତ ନାହିଁ ।
କେବଳ ଭାରତ କାହିଁକି, କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆ ଭଳି କିଛି ଦେଶ ମଧ୍ୟ ଲକ୍ ଡାଉନ୍ ସହ ମଦ ଦୋକାନରେ ସଟର୍ ପକାଇ ଦେଇଛନ୍ତି । ମଦ ଏବଂ ଅନ୍ୟାନ୍ୟ ନିଶା ଖାଉଥିବା ଲୋକଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି କମ୍ । ତେବେ କିଛି ୟୁରୋପୀୟ ଦେଶରେ ମଦ ବିକ୍ରି ସ୍ୱାଭାବିକ ରହିଛି । ଆମେରିକାରେ ମଦ, ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ କରୋନାରେ ସେଠାକାର ସ୍ଥିତି ପ୍ରାୟ ସମସ୍ତଙ୍କୁ ଜଣା । ମଦ ଯେ, କରୋନା ମହାମାରୀର ତ୍ୱରକ, ଏହା ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି । ଯେଉଁଥି ପାଇଁ ଗତ 14 ତାରିଖରେ ୟୁରୋପୀୟ ଦେଶଗୁଡ଼ିକ, ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି WHO । ତେବେ ଭାରତ କିନ୍ତୁ ଏ କ୍ଷେତ୍ରରେ ନେଇଥିବା ଆଗୁଆ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ବୋଲି ପ୍ରମାଣିତ ହେଉଛି ।
ଲକ୍ ଡାଉନ୍ ସହ ମଦ ବନ୍ଦ । ଏହାର ପ୍ରଭାବ ଯେ, ଆମ ଦେଶରେ ଦେଖିବାକୁ ମିଳିନି, ତାହା କହିବା ଭୁଲ୍ ହେବ । ଲକ୍ ଡାଉନର ପ୍ରଥମ ସପ୍ତାହରେ କେରଳରେ 12 ଜଣ ଆତ୍ମହତ୍ୟା କରିଛନ୍ତି । କିଏ ବାର୍ଣ୍ଣିସ୍ ତ ଆଉ ଆପ୍ଟର ସେଭ୍ ପିଇ… ଏମିତି ତାମିଲନାଡୁରେ 6 ଜଣଙ୍କ ଜୀବନ ଯାଇଛି । ଦେଶର ଆଉ କିଛି ସ୍ଥାନରେ ଲୋକେ ସାନିଟାଇଜର୍ ଓ ସ୍ପିରିଟ୍ ମଧ୍ୟ ପିଇ ଦେଇଥିବା ନଜରକୁ ଆସିଛି । ପରିସ୍ଥିତି ଦେଖି କେରଳ ସରକାର, ଡାକ୍ତରୀ ପରାମର୍ଶ ଅନୁସାରେ ମଦୁଆଙ୍କ ପାଇଁ ମଦ ବ୍ୟବସ୍ଥା କରିଦେଲେ । ମେଘାଳୟ, ତାର ମଦିରା ଆଳୟ ସମ୍ପୂର୍ଣ୍ଣ ଖୋଲା ରଖିଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ହୋମ୍ ଡେଲିଭରି ବ୍ୟବସ୍ଥା କରି ଦେଇଛନ୍ତି ।
ଓଡ଼ିଶାରେ କିନ୍ତୁ ଜାଲି ଘରେ ପଡ଼ିଛି ତାଲା । ମାସେ ଭିତରେ ରାଜ୍ୟରେ ମଦ ବିନା କେହି ପ୍ରାଣ ହରାଇଥିବା ସୂଚନା ନାହିଁ । ସେହିଭଳି ମଦ ବିନା କାହା ଠାରେ ସେଭଳି ଶାରିରୀକ କିମ୍ବା ମାନସିକ ଅସୁନ୍ତଳନ(Withdrawal Symptoms) ଦେଖା ଦେଇଥିବା ଖବର କୌଣସି ଗଣମାଧ୍ୟମରେ ବି ପ୍ରକାଶ ପାଇନି । ଯାହା ସୂଚାଉ ଦେଉଛି ଯେ, ଓଡ଼ିଶାରେ ଛତୁ ଫୁଟିଲା ଭଳି ମଦ ଦୋକାନ ଥିଲେ ମଧ୍ୟ, ଏଠି Drunkard ନାହାନ୍ତି ବରଂ ଅଛନ୍ତି Drinker ।
ତେବେ ବାସ୍ତବରେ କଣ ଏହା ସତ ? ନାଁ, କେବେ ନୁହେଁ । କାରଣ କଳାବଜାରରେ ଯେଉଁ ବ୍ରାଣ୍ଡ ଖୋଜିବ, ଯାହାକୁ ଯେତେ । କେବଳ ଯାହା, ଟଙ୍କାକ ଜାଗାରେ 4/5 ଟଙ୍କା ଦେବାକୁ ପଡ଼ିବ । ଦେଖିବାକୁ ଗଲେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗଳୁରୁ ଭଳି ମହାନଗରୀ ଠାରୁ ଓଡ଼ିଶାାରେ କଳାବଜାରୀ ମଦର ଦାମ୍ ଅଧିକ ରହିଛି । କିଛି ଦିନ ତଳେ ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ରାଜ୍ୟରେ ମଦ ବିକ୍ରି ବନ୍ଦ ଏବଂ ତାର କଳାବଜାରୀ ନେଇ ପ୍ରଶ୍ନ ଉଠାଇଥିଲେ । ଜଉ ମୁଦ ମାରି ରାଜ୍ୟ ସରକାର ସିନା କାଉଁଣ୍ଟରରେ ମଦ ବିକ୍ରିକୁ ବନ୍ଦ କରି ଦେଇଛନ୍ତି, କିନ୍ତୁ ଗଳାବାଟ ଦେଇ ମଦ କଳାବଜାରୀ ହେଉଛି । ଯେଉଁଥି ପାଇଁ ରାଜ୍ୟ ସରକାର ରାଜସ୍ୱ ହରାଇବା ସହ ଟଙ୍କାକ ଜିନିଷକୁ ଲୋକେ 5 ଟଙ୍କାରେ କିଣୁଥିବା ତାରା କହିଥିଲେ । ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ମଦ ବିକ୍ରିକୁ ପୂର୍ବ ଭଳି ଅନୁମତି ଦିଅନ୍ତୁ କିମ୍ବା ମଦକୁ ସମ୍ପୂର୍ଣ୍ଣ ବନ୍ଦ କରି କଳାବଜାରୀକୁ ଦୃଢ଼ ହସ୍ତରେ ରୋକିବାକୁ ସେ ପରାମର୍ଶ ଦେଇଥିଲେ । ଏପରିକି ଜଉମୁଦ ଦିଆ ଯାଇଥିବା ଦୋକାନରେ ଗଚ୍ଛିତ ଥିବା ମଦର ପରିମାଣ ଯାଞ୍ଚ କରାଯାଉ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ତାରା ବାହିନୀପତି ।
ରାଜ୍ୟରେ ଉଭୟ ଦେଶୀ ଓ ବିଦେଶୀ ମଦ, ଚୋରାରେ ମିଳୁଛି । ଯାହାର ପ୍ରମାଣ ବିଭିନ୍ନ ସ୍ଥାନରେ(ଗଞ୍ଜାମ, ଭୁବନେଶ୍ୱର) ପୋଲିସ ଦ୍ୱାରା ଜବତ ଟ୍ରକ୍ ଓ କାର୍ ଭର୍ତ୍ତି ନାଲିପାଣି । ଏହାଛଡ଼ା ଆଦିବାସୀଙ୍କ ହାତ ତିଆରି ହାଣ୍ଡିଆ ଏବଂ ରସିର ଚାହିଦା ବଢ଼ିଥିବା ବେଳେ ବଡ଼ି ଭୋରୁ ଖଜୁରୀ ତାଡ଼ି ଏବଂ ସଲପ ଭାଟିରେ ଭିଡ଼ ଜମୁଛି । ତେଣୁ ପ୍ରକୃତ ଚିତ୍ରକୁ ଯଦି ଦେଖିବା, ଓଡ଼ିଶା ଉପରକୁ ସିନା ଶୁଖିଲା ଭିତରେ କିନ୍ତୁ ପୂରା ଓଦା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାତିର ଘନ ଅନ୍ଧାରରେ ଖୋଲୁଛି ମଦ ଦୋକାନ । ଜଉ ମୁଦ ଦିଆ ତାଲାରେ ହାତ ନମାରି ପଛ ବାଟେ ଦୋକାନ ଖାଲି କରି ସାରିଲେଣି ମଦ ଦୋକାନୀ । ତେବେ ତାରା ବାହିନୀପତିଙ୍କ କହିବା ଅନୁଯାୟୀ, ଯଦି ମଦ ଦୋକାନ ଗୁଡ଼ିକରେ ଗଚ୍ଛିତ ଥିବା ମଦର ପରିମାଣ ଯାଞ୍ଚ କରାଯାଏ, ତେବେ ଖାଲି ଖୋଳ ମିଳିବ ସିନା ବୋଲତ ମିଳିବନି ।
ଅନ୍ତର୍ଜାତୀୟ ସ୍ପିରିଟ୍ ଏବଂ ୱାଇନ୍ ଆସୋସିଏସନର ତଥ୍ୟ ଅନୁଯାୟୀ, 2019-20 ଆର୍ଥିକ ବର୍ଷରେ ଆମ ଦେଶରେ ମଦରୁ 25 ହଜାର କୋଟି ଟଙ୍କା ରାଜସ୍ୱ ମିଳିଥିଲା । ସେହିଭଳି ରାଜ୍ୟ ଗୁଡ଼ିକ ସେମାନଙ୍କ ରାଜସ୍ୱର 15ରୁ 30 ପ୍ରତିଶତ ମଦରୁ ହିଁ ପାଇଥାନ୍ତି । କିନ୍ତୁ କରୋନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏତେ ବଡ଼ ଆର୍ଥିକ ସହୁଥିଲେ ମଧ୍ୟ ମଦୁଆଙ୍କ ମନ କିନ୍ତୁ ବୁଝୁନି ।
(ଲେଖକ ଜଣେ ସାମ୍ବାଦିକ, ମୋବାଇଲ୍ ନଂ 7377226029 )