ପିଏମ୍ କେୟରସ୍ ବା Prime Minister’s Citizen Assistance and Relief in Emergency Situations ଫାଣ୍ଠିର ଆୟ-ବ୍ୟୟ ଅଡିଟ୍ ହେବନି । କଂପ୍ଟ୍ରୋଲର୍ ଆଣ୍ଡ ଅଡିଟର ଜେନେରାଲ୍ ବା CAG ଏହି ପାଣ୍ଠିକୁ ମିଳିଥିବା ଅନୁଦାନ କିମ୍ବା ତାର ଖର୍ଚ୍ଚ ନେଇ ନିଜ ଆଡୁ କୌଣସି ଅଡିଟ୍ କରିପାରିବେ ନାହିଁ । ପୂର୍ବରୁ 1948ରୁ ଦେଶରେ ଥିବା Prime Minister’s National Relief Fund, ପିଏମଏନଆରଏଫ୍ ଭଳି ପିଏମ୍ କେୟାରସ୍ ଫଣ୍ଡ ମଧ୍ୟ ସିଏଜିଙ୍କର ଅଡିଟ୍ ପରିସରଭୁକ୍ତ ନୁହେଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାରସ୍ ଫଣ୍ଡର ଅଧ୍ୟକ୍ଷ ଥିବା ବେଳେ ତାଙ୍କ କ୍ୟାବିନେଟର କିଛି ବରିଷ୍ଠ ମନ୍ତ୍ରୀ ଏହାର ଟ୍ରଷ୍ଟି ଅଛନ୍ତି । ଏହି ପାଣ୍ଠିକୁ ସାଧାରଣ ଲୋକେ ଏବଂ କିଛି ସଂଗଠନ ଦେଶର ହିତ ଉଦ୍ଦେଶ୍ୟରେ ଦାନ କରିଥିବାରୁ ଏହା ଅଡିଟ୍ ପରିସରଭୁକ୍ତ ନୁହେଁ ବୋଲି ସିଏଜି କହିଛନ୍ତି । ତେବେ ଯଦି କୌଣସି ଟ୍ରଷ୍ଟି ଚାହାନ୍ତି, ଅଡିଟ୍ ହୋଇପାରେ ବୋଲି ସିଏଜିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ସରକାରୀ ନିୟମ ଅନୁୟାୟୀ ଅନ୍ୟ ଯେ କୌଣସି ଇଣ୍ଡିପେଣ୍ଡେଣ୍ଟ୍ ଅଡିଟ୍ ସଂସ୍ଥାକୁ ଅଡିଟ୍ ପାଇଁ ଟ୍ରଷ୍ଟିମାନେ ମଧ୍ୟ ନିଯୁକ୍ତ କରିପାରିବେ ।
ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ ଗତ ମାର୍ଚ୍ଚ 28 ତାରିଖରେ କେନ୍ଦ୍ର ସରକାର, ପିଏମ୍ କେୟାରସ୍ ଫଣ୍ଡ ଗଠନ କରିଛନ୍ତି । ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି ବା PMNRFକୁ ନେଇ କୌଣସି ବିବାଦ ନଥିବା ବେଳେ ସମାନ୍ତରାଳ ଭାବେ ଗଠନ ହେଲା ପିଏମ୍ କେୟାରସ୍ ଫଣ୍ଡ । ଯାହାକୁ ନେଇ ବିରୋଧୀ ଦଳ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଲେ । କିନ୍ତୁ ସରକାର, ତାହା ଉପରେ ସ୍ପଷ୍ଟୀକରଣ ଦେବା ବଦଳରେ ବିଭିନ୍ନ ଗଣମାଧ୍ୟମରେ ଛାଇଗଲା ବିଜ୍ଞାପନ ପରେ ବିଜ୍ଞାପନ । କ୍ୟାବିନେଟ୍ ସଚିବ ଠାରୁ ଆରମ୍ଭ କରି ମନ୍ତ୍ରୀ, ପିଏମ୍ କେୟାରସ୍ ଫଣ୍ଡ ପାଇଁ ଆଡଭୋକେସି କଲେ । ସେପଟେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ବିଜ୍ଞାପନ, ସାଧାରଣ ଲୋକ ଏବଂ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଆକୃଷ୍ଟ କରିଛି ଏହି ପାଣ୍ଠି ଆଡ଼କୁ ।
1948ରୁ ଗଠିତ Prime Minister’s National Relief Fundର ଆୟବ୍ୟୟକୁ ନେଇ ଅଡିଟ୍ ବ୍ୟବସ୍ଥା ନଥିବା ବେଳେ 2013ର ଉତ୍ତରାଖଣ୍ଡ ବନ୍ୟା ପରେ କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବନ୍ୟା ପରବର୍ତ୍ତୀ ରିଲିଫ୍ ପ୍ରଦାନ ନେଇ CAG ଅଡିଟ୍ କରି ନଥିଲେ ସତ, କିନ୍ତୁ ସରକାରୀ ଅଡିଟ୍ ସଂସ୍ଥାର ଏ ସଂକ୍ରାନ୍ତ ପ୍ରଶ୍ନକୁ ବିରୋଧ କରି ନଥିଲେ । ସେପଟେ କିନ୍ତୁ ବିଭିନ୍ନ ଦେଶର ଅନୁଦାନରେ ପରିଚାଳିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାଣ୍ଠି ନେଇ ଅଡିଟ୍ ବ୍ୟବସ୍ଥା ରହିଛି । ଆଗାମୀ 4 ବର୍ଷ ପାଇଁ ଭାରତର CAG, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠିର ଅଡିଟ୍ ଦାୟିତ୍ୱ ନେଇଛି ।
ଗୋଟିଏ ପାଣ୍ଠି ଥାଉ ଥାଉ ସମାନ ଉଦ୍ଦେଶ୍ୟରେ ସମାନ୍ତରାଳ ଭାବେ ଗଠନ ହେଲା ଆଉ ଗୋଟେ ପାଣ୍ଠି । ଯେଉଁଥିରେ ଦେଶର ହିତ ପାଇଁ ସାଧାରଣ ଲୋକେ, ବିଭିନ୍ନ କର୍ପୋରେଟ୍ ସଂସ୍ଥା ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମୁକ୍ତ ହସ୍ତରେ ଦାନ କରିଛନ୍ତି । ତେବେ ଏହି ଦାନ କରମୁକ୍ତ ଥିଲେ ମଧ୍ୟ ପାଣ୍ଠିରେ କେତେ ଟଙ୍କା ପଡ଼ିଲା, ତାହା ଜାଣିବାର ଅଧିକାର କାହାର ନାହିଁ ।