ଭୁବନେଶ୍ୱର: ଭୁବନେଶ୍ୱର ସହର ଏବେ କଣ୍ଟେନମେଣ୍ଟ ମୁକ୍ତ ହୋଇଛି । ୧୫ ଦିନ ପରେ ଆଜି ସଂଧ୍ୟାରୁ ବମିଖାଲ, ସୂର୍ଯ୍ୟନଗର ଏବଂ ସତ୍ୟନଗରରୁ କଣ୍ଟେନମେଣ୍ଟ କଟକଣା ଉଠାଇଛି ବିଏମସି । ବିଏମସି ପକ୍ଷରୁ ଏହି ଘୋଷଣା କରାଯିବା ପରେ ରାଜଧାନୀବାସୀ ଆଶ୍ୱସ୍ତ ହୋଇଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ଅଞ୍ଚଳଗୁଡ଼ିକରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନସ୍ ଜାରିି ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
ତେବେ ଲକ୍ ଡାଉନ୍ ନିୟମ ରେ କିଛି ପରିବର୍ତ୍ତନ କରାଯାଇନାହିଁ । ଲକ୍ ଡାଉନ୍ ଯେମିତି ଅଛି ସେମିତି ରହିବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱରରୁ ସର୍ବାଧିକ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବମିଖାଲ, ସୂର୍ଯ୍ୟନଗରରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ବମିଖାଲ୍ ଲିଙ୍କ୍ ରେ ସତ୍ୟନଗରରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଥିଲା । ସେହିପରି ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳକୁ ମଧ୍ୟ ସତର୍କ ଦୃଷ୍ଟି ଦିଆଯାଇଥିଲା ।
ଏହିସବୁ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସେହି ଅଞ୍ଚଳକୁ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ କରାଯାଇ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର କରାଯାଇଥିଲା । ଏହାର ସୁଫଳ ମିଳିଥିବାରୁ ଆଜି ଏହି କଟକଣାକୁ ବିଏମସି ସମ୍ପୂର୍ଣ୍ଣ ହଟାଇ ଦେଇଛି ।
ଭୁବନେଶ୍ୱର ୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ ୨୧ ଜଣ ସୁସ୍ଥ ହୋଇ ସାରିଲେଣି । ଆକ୍ଟିଭ୍ କେସ୍ ୨୪ ରହିଛି ।