ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଯାଜପୁର ଜିଲ୍ଲାର । ଏମାନଙ୍କ ମଧ୍ୟରେ ୪୮, ୭୦, ୮୦ ବର୍ଷୀୟା ୩ ଜଣ ମହିଳା ଓ ୨୧ ବର୍ଷର ଜଣେ ଯୁବକ ଅଛନ୍ତି । କୋଲକତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କର ସେମାନେ ପରିବାର ସଦସ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚିଛି ।
ଏହି ୪ ନୂଆ ପଜିଟିଭ୍ ଙ୍କ ସହ ଯାଜପୁର ଜିଲ୍ଲାରୁ ୧୨ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ଅଧିକାଂଶ କୋଲକତାରୁ ଫେରିଛନ୍ତି । ନିଜେ ସଂକ୍ରମିତ ହେବା ସହ ପରିବାର ସଦସ୍ୟଙ୍କୁ ସଂକ୍ରମଣରେ ପକାଇଛନ୍ତି । ମାର୍ଚ୍ଚ ୩୦ ପରେ କୋଲକତାରୁ ଜିଲ୍ଲାର ୭୦୦ ଲୋକ ଚାଲି ଆସିଥିବା ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତଙ୍କୁ ଟ୍ରେସିଂ କରାଯାଇ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିବା ସେ କହିଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫, ୯୮୪ ସାମ୍ପଲ୍ ଟେଷ୍ଟ ହୋଇଛି । ସେଥିରୁ ୮୭ ପଜିଟିଭ୍ ବାହାରିଛି । ଆଜି ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏହି ସଂଖ୍ୟା ୩୩ ରେ ପହଞ୍ଚିଛି । ୫୩ ଜଣ ଏବେ ଚିକିତ୍ସାଧୀନ(ଆକ୍ଟିଭ୍) ଅଛନ୍ତି ।