ଭୁୁବନେଶ୍ୱର: ରାଜ୍ୟରେ କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କର ପରିବାର ପ୍ରତି ସହୃଦୟତାର ହାତ ବଢ଼ାଇଛନ୍ତି ‘କିସ୍’ ଏବଂ ‘କିଟ୍’ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟତ ସାମନ୍ତ । ମୃତକଙ୍କ ଆଗ୍ରହୀ ପୁଅ କିମ୍ବା ଝିଅଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ବୈଷୟିକ(ଟେକନିକାଲ୍) ଓ ବୃତ୍ତିଗତ(ପ୍ରଫେସନାଲ୍) ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୦-୨୧ ଏବଂ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।
ଘୋଷଣା ଅନୁଯାୟୀ, ‘କିଟ୍’ ରେ ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କଲେ ସେମାନଙ୍କୁ ଏହି ସୁବିଧା ମିଳିବ । ଦାରିଦ୍ର୍ୟ ସୀମାରେଖା (ବିପିଏଲ୍), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ।
କରୋନା ମହାମାରୀ ସମୟରେ ଏହା ଅସହାୟ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେବ ବୋଲି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ସାମନ୍ତ କହିଛନ୍ତି । କରୋନାରେ ମୃତକଙ୍କ ପରିବାର ଏହାର ସୁଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, କରୋନା ଲକ୍ ଡାଉନ୍ ରେ ଘରେ ରହିଥିବା ‘କିସ୍’ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଘର ଘର ବୁଲି ସେମାନଙ୍କୁ ଶୁଖିଲା ଖାଦ୍ୟ, ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିଲା ।