ଭୁବନେଶ୍ୱର: କରୋନା ଆକ୍ରାନ୍ତ ରୋଗୀ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇବେ । ଆକ୍ରାନ୍ତଙ୍କୁ ରହିବା, ଖାଇବା ଖର୍ଚ୍ଚ ବି ଦେବାକୁ ପଡ଼ିବନି । ରାଜ୍ୟ ସରକାର ଏହି ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ହସ୍ପିଟାଲ୍ ସ୍ଥାପନ କରୁଛନ୍ତି । ଏହି ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଉଛି ବୋଲି ସେ କହିଛନ୍ତି ।
ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ଶ୍ରା ବାଗଚୀ କହିଛନ୍ତି, ଏ ପର୍ଯ୍ୟନ୍ତ ୩୭୦ ନମୁନାର ପରୀକ୍ଷା କରାଯାଇଛି । ସୌଭାଗ୍ୟବଶତଃ ପଜିଟିଭ୍ ସଂଖ୍ୟା ୩ରେ ରହିଛି । ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିଲେ । ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିଲେ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭୬ ଜଣଙ୍କୁ ହସ୍ପିଟାଲ୍ ଆଇସୋଲେସନ୍ ରେ ରଖାଯାଇଛି । ଅନ୍ୟପକ୍ଷରେ ସରକାରଙ୍କ ୱେବସାଇଟ୍ ରେ ୧୦,୨୧୭ ଜଣ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪,୨୯୧ ଜଣ ବିଦେଶରୁ ଆସିଛନ୍ତି ।
୧୦% ଅମାନିଆଙ୍କୁ ସାବାଡ଼: ଲକ୍ ଡାଉନ୍ ନିୟମକୁ ୯୦% ଲୋକ ମାନୁଥିବା ବେଳେ ୧୦% ଲୋକ ମାନୁନାହାନ୍ତି । ସେହି ୧୦% ଅମାନିଆ ଲୋକଙ୍କ ପାଇଁ ବାକି ୯୦% ଲୋକ ବିପଦରେ ପଡ଼ିପାରନ୍ତି । ତେଣୁ ସେହି ୧୦% ଲୋକଙ୍କୁ ସାବାଡ଼ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ସେଥିପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ବାଗଚୀ ଜଣାଇଥିଲେ ।
ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଶ୍ରୀ ଅଭୟ ଉଭୟ ଲକ୍ ଡାଉନ୍ ଏବଂ କ୍ୱାରେଣ୍ଟାଇନ୍ ଉଲ୍ଲଘଂନକାରୀଙ୍କୁ ଚେତାବନୀ ଦେଇଥିଲେ । ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଶୁଣାଇ ଦେଇଥିଲେ । ଲକ୍ ଡାଉନ୍ ପାଇଁ ଅଧିକ ୭୦୦ ଏସଆଇ, ୧୬୨ ପ୍ଲାଟୁନ୍ ଫୋର୍ସ ଏବଂ ୧ ହଜାରରୁ ଅଧିକ ଗାଡ଼ି ନିୟୋଜିତ ଅଛନ୍ତି । ପୁଲିସ କଠୋର ହେବେ କିନ୍ତୁ ଖରାପ ବ୍ୟବହାର କରିବେନି ବୋଲି ଡିଜି କହିଥିଲେ ।
ମା, ମାଉସୀ, ଭଉଣୀ, ଭାଉଜଙ୍କ ଉପରେ ବୋଝ ହୁଅନ୍ତୁ ନାହିଁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିଶେଷ ଅନୁରୋଧକୁ ଶ୍ରୀ ବାଗଚୀ ତାଙ୍କ ନିଜ ଭାଷାରେ ଶୁଣାଇଥିଲେ..
ମା, ମାଉସୀ, ଭଉଣୀ, ଭାଉଜଙ୍କୁ କୋଭିଡ୍-୧୯ ର ବୋଝଟି ଲଦି ଦିଅନ୍ତୁ ନାହିଁ । ଆପଣ ଘରେ ଅଛନ୍ତି । ତା ମାନେ ନୁହେଁ ଆପଣ ଘରେ ଚକ୍କା ପକେଇ ବସିବେ । ଏବଂ ତିନି ଥର ରୋଷେଇ ହେବ । ଚାରି ଥର ରୋଷେଇ ହେବ । ପକୁଡି ଛଣା ହେବ । ବିଭିନ୍ନ ରକମର ଭଲ ମନ୍ଦ ହେବ । ଆପଣ ବସିକି ଖାଇବେ । ଏ ବୋଝଟା ପଡୁଛି ମା, ମାଉସୀ, ଭଉଣୀ, ଭାଉଜଙ୍କ ଉପରେ । ଖରାଦିନ ଆସିଗଲାଣି । ତାଙ୍କୁ ଯଦି ରୋଷେଇ ଘରେ ଆପଣ ବନ୍ଦୀ କରିଦେବେ ତାହାହେଲେ ସେମାନେ ଭାଙ୍ଗି ପଡ଼ିବେ । ଆଉ ମା, ମାଉସୀ, ଭଉଣୀ, ଭାଉଜମାନେ ଭାଙ୍ଗି ପଡ଼ିଲେ ଦେଶ ଭାଙ୍ଗିପଡ଼ିବ । ତେଣୁ ଆଜିର ସମୟ ନିଜକୁ ସଂଯମରେ ରଖିବାକୁ ପଡ଼ିବ । ସଂକଳ୍ପ ନେବା, ଆଗରୁ ଯଦି ତିନି ଓଳି ଖାଉଥିଲି ଏବେ ଅଳ୍ପ ଖାଇବି । ନିଜେ ଯାଇ ରୋଷେଇ ଘରେ ପଶିବି । ନିଜେ ଘର କାମରେ ହାତ ବଢ଼େଇବି । ପିଲାମାନଙ୍କୁ ଉତ୍ସାହିତ କରିବି ଘର କାମରେ ହାତ ବଢ଼େଇବାକୁ ।