ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୮ ରେ ନୋଟ୍ ବନ୍ଦୀ ଘୋଷଣା କରିଥିଲେ ମଧ୍ୟ ବହୁପୂର୍ବରୁ ଏହି ସୂଚନା ଥିଲା ବିଜେପି ନେତାଙ୍କ ପାଖରେ । ଏ ଅଭିଯୋଗକୁ ପ୍ରମାଣ କରିବାକୁ ଯାଇ ଦିଲ୍ଲୀରେ କଂଗ୍ରେସ ମୁଖପାତ୍ର ଆର.ଏସ. ସୁଜେୱାଲା ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ବିହାର ଓ ଓଡ଼ିଶାର ବିଜେପି ନେତାମାନେ କିଭଳି କଳା ଟଙ୍କାକୁ ଧଳା କରିଛନ୍ତି ତାହାର ତଥ୍ୟପ୍ରମାଣ ରଖିଛନ୍ତି । ଓଡ଼ିଶାରେ ବିଜେପି ନେତାମାନେ ୧୮ ଟି ଜିଲ୍ଲାରେ ଜମି କିଣି କଳା ଟଙ୍କାକୁ ଧଳା କରିଥିବା ସେ ପ୍ରମାଣ ଦେଇଛନ୍ତି । ବଜାର ମୂଲ୍ୟଠାରୁ ବହୁ କମ୍ ଦାମରେ ଲ୍ୟାଣ୍ଡ ଲିଡ୍ ହୋଇ ବାକି ନଗଦ ଟଙ୍କାରେ ଜମି କ୍ରୟ ହୋଇଛି । ଏହି ବାଟରେ ଶହ ଶହ କୋଟି କଳା ଟଙ୍କାକୁ ଧଳା କରିଦିଆଇଥିବା ସେ ଦର୍ଶାଇଛନ୍ତି ।
ଓଡ଼ିଶା ବିଜେପିର କ୍ୟାସିୟର୍ ଭାବେ ଜଣାଶୁଣା ସୁରେନ୍ଦ୍ର ନାଥ ଲାଠ୍ କିଣିଥିବା ଜମିବାଡ଼ିର ତଥ୍ୟ ରଖିଛନ୍ତି ସୁଜେୱାଲା । ଏଇ ଅଗଷ୍ଟ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଏକରର ଏକ ପ୍ଲଟ୍ କୁ ସେ କାଗଜପତ୍ରରେ ୪୫ ଲକ୍ଷ ଟଙ୍କାରେ କିଣିଛନ୍ତି । ଜାଗାର ବଜାର ଦରଠାରୁ ଏହା ଯଥେଷ୍ଟ କମ୍ । ସୁତରାଂ ୪୫ ଲକ୍ଷ ଟଙ୍କାରେ ଲ୍ୟାଣ୍ଡ ଡିଡ୍ ହୋଇଥିଲେ ମଧ୍ୟ ନଗଦ ଆକାରରେ ଅବଶିଷ୍ଟ ଟଙ୍କା ଦିଆଯାଇଛି । ସେଇ ଏକା ଫର୍ମୂଲାରେ ଶ୍ରୀଯୁକ୍ତ ଲାଠ୍ ମହାଶୟ ଜଗତସିଂହପୁରରେ ୦.୨୩ ଏକର ଜାଗା କିଣିଛନ୍ତି ସେପ୍ଟେମ୍ବର ମାସରେ । ୮ ଲକ୍ଷ ୨୫ ହଜାର ଟଙ୍କାରେ ଜାଗା କିଣାଯାଇ ୬୬ ହଜାର ଷ୍ଟାମ୍ପ ଡ୍ୟୁଟି ଆକାରରେ ଦିଆଯାଇଛି । ଅକ୍ଟୋବର ମାସରେ ବ୍ରହ୍ମପୁର ନିକଟ ଜାତୀୟ ରାଜପଥ କଡ଼ରେ ୨୦ ଲକ୍ଷ ଟଙ୍କାରେ ପ୍ଲଟ୍ ବି କିଣିଛନ୍ତି ଲାଠ୍ । ଝାରସୁଗୁଡ଼ାରେ ବି ଆଉ ଏକ ମୂଲ୍ୟବାନ ପ୍ଲଟ୍ କିଣିଛନ୍ତି । ଖାଲି ଲାଠ୍ ନୁହଁନ୍ତି ବିଜେପିର ଅନ୍ୟ କିଛି ନେତା ନଭେମ୍ବର ପୂର୍ବରୁ କୋଟି କୋଟି ଟଙ୍କା ରିୟଲ୍ ଇଷ୍ଟେଟ୍ ବେପାରରେ ଖଟାଇଥିବା କଂଗ୍ରେସ ମୁଖପାତ୍ର ଅଭିଯୋଗ କରିଛନ୍ତି ।
ସୁଜେୱାଲା ଖାଲି ଅଭିଯୋଗ କରିନାହାନ୍ତି ବରଂ ଜାଗା କିଣାବିକା ସମ୍ପର୍କିତ ନଥିପତ୍ର ବି ଦେଖାଇଛନ୍ତି । ସାହାସ ଥିଲେ ଏହା ଭୁଲ୍ ବୋଲି ପ୍ରମାଣିତ କରିବାକୁ ସେ ବିଜେପିକୁ ଚାଲେଂଜ ଦେଇଛନ୍ତି । ସେ କହିଛନ୍ତି ସମଗ୍ର ଭାରତବର୍ଷରେ ବିଜେପି ନେତାମାନେ ଏଭଳି ଉପାୟରେ କଳାଟଙ୍କାକୁ ଧଳା କରିଛନ୍ତି । ବିମୁଦ୍ରାକରଣର ପୂର୍ବ ସୂଚନା ନ ଥିଲେ ଏମିତି ବିକଳିଆ ହୋଇ ସେମାନେ କାହିଁକି ଜାଗାବାଡ଼ି କିଣିଥାଆନ୍ତେ ବୋଲି ପ୍ରଶ୍ନ ପଚାରିଛନ୍ତି । ସୁଜେୱାଲାଙ୍କ ଅଭିଯୋଗକୁ ବହୁ ଅଣବିଜେପି ରାଜନୈତିକ ନେତା ଗ୍ରହଣ କର ସାଂଘାତିକ ଦର୍ଶାଇଛନ୍ତି । ଦେଶବାସୀଙ୍କ ପ୍ରତି ଏହା କଠୋର ବିଶ୍ୱାସଘାତକତା ବୋଲି ସେମାନେ ଦର୍ଶାଇଛନ୍ତି । ଆମେ ଏ ସମ୍ପର୍କରେ ଶ୍ରୀ ଲାଠ୍ ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନି ।