ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସରକାରୀ ଅର୍ଥରେ ବିଜୁ ଜନତା ଦଳ କିଭଳି ଦଳୀୟ ପ୍ରଚାରରେ ମାତିଛି ତାହାର ସାଂଘାତିକ ପ୍ରମାଣ ଲାଗିଛି ମିଡ-ଡେ ଓଡ଼ିଶା ହାତରେ । ୨୯ ତାରିଖ ଭୁବନେଶ୍ୱରରେ ମହିଳା ସମାବେଶ ଆୟୋଜନରେ ସରକାରୀ କଳକୁ ଫୁଲ୍ ଦମ୍ ରେ ଖଟାଯାଇଥିଲା ବେଳେ ବିଗ୍ ବ୍ରାଣ୍ଡର ବେସରକାରୀ ଅନୁଷ୍ଠାନକୁ ବି କାମରେ ଲଗାଯାଇଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ପିଡିଡିଆରଡିଏ) ଓ ବିଡ଼ିଓମାନେ ସେମାନଙ୍କ ଅଞ୍ଚଳରୁ ମହିଳା ଯୋଗାଡ଼ କରି ଭୁବନେଶ୍ୱର ଆଣିବାକୁ ନିର୍ଦ୍ଦେଶ ଥିଲା । କାଳେ ମହିଳାମାନେ ପିଲାଛୁଆ ଘରଦ୍ୱାର ଛାଡ଼ି ଭୁବନେଶ୍ୱର ଆସିବାକୁ ମଙ୍ଗିବେନି ସେଥିପାଇଁ ଟୁର୍ ପ୍ୟାକେଜ୍ ର ବନ୍ଦୋବସ୍ତ କରାଯାଇଥିଲା । ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ଏସବୁର ଆୟୋଜନ ଓ ତଦାରଖ ତଦାରଖ ଦାୟିତ୍ୱ ନେଇଥିଲେ ।
୨୯ ତାରିଖ ସମାବେଶରେ ୨୦ ହଜାର ମହିଳାଙ୍କୁ ଏକାଠି କରିବାକୁ ବନ୍ଦୋବସ୍ତ କରିଥିଲା ପଞ୍ଚାୟତିରାଜ ବିଭାଗ । ବିଜୁ ଜନ୍ମ ଶତବାର୍ଷିକୀ ପାଳନ ଆଳରେ ଏଥିରେ ସରକାରୀ ମୋହର ଲଗାଯାଇଥିଲେ ବି ତାହା ଯେ ବିଜେଡ଼ି ମହିଳା ସମାବେଶ ଥିଲା ତାହା କାହାରିକୁ ଅଛପା ନାହିଁ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମହିଳାଙ୍କୁ ଭୁବନେଶ୍ୱର ଆଣିବା ଦାୟିତ୍ୱ ଦିଆଯାଇଥିଲା ପିଡିଡିଆରଡିଏ ଓ ବିଡ଼ିଓମାନଙ୍କୁ । ସେଥିପାଇଁ ପଞ୍ଚାୟତିରାଜ ବିଭାଗ ସୁଚିନ୍ତିତ ଯୋଜନା ବି କରିଥିଲା । ପିଡିଡିଆରଡିଏ ଓ ବିଡ଼ିଓମାନଙ୍କୁ ସେମାନଙ୍କ ହେଡକ୍ୱାଟରରୁ ଦୁଇଦିନ ଛୁଟି ଦିଆଯାଇଥିଲା । ପଞ୍ଚାୟତିରାଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା ଭୁବନେଶ୍ୱରର ଭଞ୍ଜକଳାମଣ୍ଡପରେ ହେବ ବୋଲି ପିଡ଼ିଡିଆରଡିଏମାନଙ୍କୁ ନଭେମ୍ବର ୨୬ ତାରିଖରେ ଚିଠି(ନଂ ୨୨୧୩୦) କରାଯାଇଥିଲା । ବିିଡିଓମାନଙ୍କୁ ସାଙ୍ଗରେ ଆଣି ଆସିବାକୁ ଏଥିରେ ନିର୍ଦ୍ଦେଶ ଥିଲା । ୨୯ ଓ ୩୦ ତାରିଖ ସମୀକ୍ଷା ବୈଠକର ଦିନ ଧାର୍ଯ୍ୟ କରାଯାଇଥିଲା । ଦୁଇ ଦିନ ଏଇଥିପାଇଁ ଏହି ସରକାରୀ କାର୍ଯ୍ୟକ୍ରମ ରଖାଯାଇଥିଲା କି ସେମାନେ ୨୯ ତାରିଖ ସମାବେଶ ପାଇଁ ମହିଳାଙ୍କୁ ଧରି ଭୁବନେଶ୍ୱର ଆସିବେ । ରାତିରେ ରହି ସକାଳୁ ସେମାନଙ୍କ ମହିଳା ଟିମ୍ କୁ ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ଧଉଳି, ଲିଙ୍ଗରାଜ ମନ୍ଦିର ଆଦି ବୁଲାଇ ସାରି ଘରକୁ ଫେରାଇ ନେବେ । ମହିଳାମାନଙ୍କୁ ଟୁର୍ ପ୍ୟାକେଜ୍ ଦେଖାଇ ଭୁବନେଶ୍ୱର ଆଣିବା ସହଜ ହେବ ବୋଲି ଏଭଳି ବାଟ କରାଯାଇଥିଲା ।
ତେଣେ ମହିଳାଙ୍କ ରହିବା ଅଚ୍ୟୁତ ସାମନ୍ତ ଓ ଧନେଶ୍ୱର ରଥଙ୍କର ଅନୁଷ୍ଠାନ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । ସରକାରୀ ତହବିଲ୍ ରୁ ଏଥିପାଇଁ ବିଲ୍ ହୋଇଥିଲେ ବି ତାହା ସମାବେଶ ଆୟୋଜକଙ୍କ ପକେଟ୍ କୁ ଚାଲିଯାଇଥିବା ଜନୈକ ସରକାରୀ ଅଧିକାରୀ କହିଛନ୍ତି । ସରକାରୀ ମୋହରାମରା ବିଜେଡ଼ି ସମାବେଶ ପାଇଁ ଏହି ସାମାନ୍ୟ ଖର୍ଚ୍ଚକୁ କିଟ୍ ଓ ଡ୍ରିମସ୍ ଭଳି ଅନୁଷ୍ଠାନ ଯେ ସରକାରଙ୍କଠାରୁ ଗ୍ରହଣ କରିବେ ତାହା ଆପଣ କିଭଳି ବିଶ୍ୱାସ କରୁଛନ୍ତି ବୋଲି ଓଲଟି ସେ ପ୍ରଶ୍ନ ପଚାରିଛନ୍ତି ।
ଯାହା ବି ହେଉ, ମନ୍ତ୍ରୀ ଅରୁଣ ସାହୁ ଯେ ଜଣେ ଭଲ ସଂଗଠକ ଓ ଯୋଗାଡିଆ ତାହାର ଆଉ ଏକ ପ୍ରମାଣ ସେ ନବୀନ ପଟ୍ଟନାୟକଙ୍କୁ ଦେଖାଇଦେଇଛନ୍ତି । ଅବଶ୍ୟ ସମାବେଶକୁ ସଫଳ କରିବା ପାଇଁ ଅରୁଣ ସବୁ ମୁଣ୍ଡ ଖଟାଇଥିଲେ ବି ତାଙ୍କର ଘନିଷ୍ଠ ସହଯୋଗୀ ବିଧାୟକ ବାପି ରାୟ ଓ ଜିତୁ ବଳବନ୍ତରାୟଙ୍କ ପରିଶ୍ରମକୁ କେହି ଅସ୍ୱୀକାର କରିପାରିବେ ନାହିଁ । ସେହିଭଳି ଶ୍ରୀମୟୀ ମିଶ୍ରଙ୍କ ଭଳି ବିଜେଡ଼ିର ଆଜିକାଲିକା ନେତ୍ରୀ ସମାବେଶ ଆୟୋଜନର ଦାୟିତ୍ୱ ନେଇ ସଫଳତାର ସହ ତୁଲାଇଛନ୍ତି । ବିଜେଡ଼ିର ଅନ୍ୟ ଯୁବନେତା ଓ ଅଭିଜ୍ଞ ମହିଳା ନେତ୍ରୀଙ୍କୁ ଏହା ଇର୍ଷାନ୍ୱିତ କରିଛି ।