ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱର ମହାନଗର ନିଗମରେ ଦୁର୍ନୀତି ନୂଆ ନୁହେଁ । ମେୟର ବୁନୁ ଓରଫ୍ ଅନନ୍ତ ନାରାୟଣ ଜେନା ବିଏମସିକୁ ଦୁର୍ନୀତିର ଶୀର୍ଷରେ ପହଞ୍ଚାଇଛନ୍ତି । ଅଭିଯୋଗ ହେଉଛି, ମେୟର ନିଜେ ପ୍ରବଳ ଖାଉଛନ୍ତି ଏବଂ କିଛି ଅଫିସରଙ୍କୁ ବି ଖୁଆଉଛନ୍ତି । ତୃତୀୟ ମହଲାର ବ୍ଲୁ ଆଇଡ ହୋଇଥିବାରୁ ଡରରେ କେହି ତାଙ୍କ ବିରୋଧରେ ସ୍ୱର ଉଠାଉନାହାନ୍ତି । କର୍ପୋରେଟରମାନେ ଦୁର୍ନୀତିକୁ ପାଖରୁ ଦେଖୁଛନ୍ତି ହେଲେ ଓଲଟି ମେୟରଙ୍କ ଚାମଚା ପାଲଟିଯାଇଛନ୍ତି । ବିଏମସି ହାତକୁ ମହାନଗର ନିଗମରେ ଘର ତିଆରି ପ୍ଲାନିଂ ବିଭାଗ ଆସିଲା ପରେ ବଡଠୁ ସାନ ଯାଏଁ ନୋଟ୍ ଖାଇ ଆହୁରି ହୃଷ୍ଟପୃଷ୍ଟ ହୋଇଯାଇଛନ୍ତି । ବିଏମସି ପ୍ଲାନିଂ ବିଭାଗରେ ହାତସଫେଇ କାମ କିଭଳି ବାଡ଼ବତା ଭାଙ୍ଗିଛି ତାହାର ଏକ ତାଜା ଖବର ସମସ୍ତଙ୍କୁ ହତବାକ୍ କଲା ଭଳି । ମାମଲାଟି ଏଭଳି ।
ସାଧାରଣ ପ୍ରଶାସନ ବିଭାଗର ମୂଳ ଜାଗା । ଜାଗାକୁ ସଂଯୋଗ ରାସ୍ତା ନ ଥିବାରୁ ପ୍ଲାନ୍ ଅନୁମୋଦନରେ ବାଧକ ଥିଲା । ରାସ୍ତା ପାଇଁ ଲିଜ୍ ଧାରୀ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାହାକୁ ବିଚାର କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଳିବାକୁ ସାଧାରଣ ପ୍ରଶାସନ ବିଭାଗ ତତ୍ପର ହେଲାବେଳକୁ ଉକ୍ତ ଜାଗାଟି ୯ ମାସ ତଳୁ ବିଏମସି ପ୍ଲାନ୍ ଅନୁମୋଦନ ପାଇସାରିଥିବା ଜାଣିବାକୁ ପାଇଛି । ବିନା ଆପ୍ରୋଚ୍(ସଂଯୋଗ)ରାସ୍ତାରେ ବିଏମସି ବେଆଇନ ପ୍ଲାନ୍ ଅନୁମୋଦନ ଦେଇସାରିଛି । ଏହି ଜାଗାଟି ପୁଣି ଅନ୍ୟ କେଉଁଠି ନୁହେଁ, ଖୋଦ୍ ନବୀନ ନିବାସରୁ କେଇ ହାତ ଦୂରରେ । ଆଇନକୁ ଆଖିଠାର ମାରି ବିଏମସିର ଏଭଳି ଚଞ୍ଚକତା ସାଧାରଣ ପ୍ରଶାସନ ବିଭାଗର ଆଖି ଟେରା କରିଦେଇଛି । ଏହାର ତୁରନ୍ତ ଜବାବ ମାଗିଛି ମୁଖ୍ୟମନ୍ତ୍ରୀଙ୍କ ବିଭାଗ ।
ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ବେଆଇନ ପ୍ଲାନ୍ ଅନୁମୋଦନ ହାସଲ କରିଥିବା ଉକ୍ତ ଜାଗାଟି ଭୀମପୁର ମୌଜାର ପ୍ଲଟ୍ ନଂ ୪୭୭ । ଖାତା ନମ୍ବର ୫୪୪/୬୫୬ । ସାଧାରଣ ପ୍ରଶାସନ ବିଭାଗର ଏହି ଜାଗାଟିକୁ ବିଭୂତି ଭୂଷଣ ବେହେରା ନାମକ ଜଣେ ବ୍ୟକ୍ତି ଲିଜ୍ ସୂତ୍ରରେ ହାସଲ କରିଛନ୍ତି । ମାତ୍ର ଏହି ପ୍ଲଟ୍ କୁ ସଂଯୋଗ ରାସ୍ତା ନ ଥିବାରୁ ଆଇନ ଅନୁଯାୟୀ ଘର ତିଆରି ପ୍ଲାନ୍ ଅନୁମୋଦନ ମିଳିବା ସମ୍ଭବ ନ ଥିଲା । ଇତିମଧ୍ୟରେ ଶ୍ରୀ ବେହେରା ୨୦ ଫୁଟିଆ ରାସ୍ତା ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ । ଗତ ଜୁଲାଇ ମାସରେ ମାମଲା(ଡବ୍ଲୁ.ପି.(ସି). ନଂ ୧୧୭୫୧/୨୦୧୬)ର ଶୁଣାଣି ହୋଇଥିଲା । ହାଇକୋର୍ଟ ଏହି ମାମଲାଟିକୁ ସହୃଦୟତାର ସହ ବିଚାର କରିିଥିଲେ ଏବଂ ୪ ସପ୍ତାହ ଭିତରେ ଏହାର ସମାଧାନ ପାଇଁ ନିକଟରେ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ପାଇଲା ପରେ ତତ୍ପର ହୋଇ ଜାଗାର ଖୋଳତାଡ଼ ଆରମ୍ଭ କଲା । ଖୋଳତାଡ଼ ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଭାଗୀୟ ଅଧିକାରୀମାନେ ଜାଗାଟି ବିଏମସିର ପ୍ଲାନ୍ ଅନୁମୋଦନ ପାଇସାରିଥିବା ଜାଣିବାକୁ ପାଇଥିଲେ । ତାହା ପୁଣି ନଗଦ ନୁହେଁ, ଫେବୃଆରୀ ମାସରୁ ବିଏମସି ଏହି ଜାଗା ଉପରେ ଘର ନିର୍ମାଣକୁ ଅନୁମୋଦନ ଦେଇସାରିଛି । ଅର୍ଥାତ୍ ହାଇକୋର୍ଟକୁ ଯିବା ପୂର୍ବରୁ ଆବେଦନକାରୀ ଶ୍ରୀ ବେହେରା ବିଏମସିର ପ୍ଲାନ୍ ଅନୁମୋଦନ ପାଇସାରିଛନ୍ତି ।
ଯେଉଁ ପ୍ଲଟ୍ କୁ ସଂଯୋଗ ରାସ୍ତା ନାହିଁ ତାହାକୁ ବିଏମସି କେମିତି ପ୍ଲାନ୍ ଅନୁମୋଦନ ଦେଲା ତାହା ସାଧାରଣ ପ୍ରଶାସନ ବିଭାଗକୁ ବିସ୍ମିତ କରିଛି । ଖାଲି ସେତିକି ନୁହେଁ, ନବୀନ ନିବାସ ପାଖ ଜାଗାରେ ବିଏମସି ପ୍ଲାନିଂ ବିଭାଗ ଏମିତିକା ବେଆଇନ ଅନୁମୋଦନ ଦେବାକୁ କିଭଳି ସାହାସ କଲା ତାହା ବି ସେମାନଙ୍କୁ ଚକିତ କରିଛି । ଏହା ଉପରେ ଗତ ୨୪ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଚିଠି ନଂ ୨୪୮୧୬ରେ ବିଏମସିଠାରୁ ସ୍ପଷ୍ଟୀକରଣ ମାଗଥିଲା । ମାମଲାଟି ହାଇକୋର୍ଟର ହୋଇଥିବାରୁ ୩ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ଚିଠି ସହ ବିଏମସି ପ୍ଲାନ୍ ଅନୁମୋଦନ ଓ ବିଭୂତି ଭୂଷଣ ବେହେରାଙ୍କ ନାମରେ ଘର ନିର୍ମାଣ ଅନୁମତିର ଜେରକ୍ସ କପି ସଂଲଗ୍ନ କରିଛି । ତେବେ ସମୟ ଅବଧି ପୂରଣ ହୋଇଯାଇଥିଲେ ମଧ୍ୟ ବିଏମସି ସ୍ପଷ୍ଟୀକରଣ ନ ଦେଇ ଗାଲେଇ ରହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ସହରରେ ଘର ନିର୍ମାଣ ପାଇଁ ପୂର୍ବରୁ ବିଡିଏ ପ୍ଲାନ୍ ଅନୁମୋଦନ ଦେଉଥିଲା । ମାତ୍ର ସେଠି ଦୁର୍ନୀତିର ମାତ୍ରା ପ୍ରବଳ ହୋଇଥିଲା । ବଡ଼ବଡ଼ିଆମାନେ ମାଲ୍ ଖଟାଇ ସହଜରେ କାମ ହାସଲ କରୁଥିଲା ବେଳେ ସାଧାରଣ ଲୋକ ବର୍ଷ ବର୍ଷ ଧରି ଦୌଡ଼ି ହୀନସ୍ତା ଭୋଗୁଥିଲେ । ବିଏମସିକୁ ଦାୟିତ୍ୱ ହସ୍ତାନ୍ତର ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହେଉଥିଲେ । ମାତ୍ର ବିଡିଏ ତୁଳନାରେ ବିଏମସିରେ ଲୋକଙ୍କ ଦୁର୍ଦ୍ଦଶା ଅଧିକ ହୋଇଛି । ବିଏମସି ପ୍ଲାନିଂ ବିଭାଗ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି ।