ଭୁବନେଶ୍ୱର:
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆସନ୍ତାକାଲି ଜନ୍ମଦିନ । ୭୧ ପୂରି ୭୨ ବର୍ଷରେ ପଦାର୍ପଣ କରିବେ । ସରଳ ଓ ନିରାଡ଼ମ୍ବର ଜୀବନ କାଟୁଥିବା ନବୀନଙ୍କ ଜନ୍ମଦିନ ଇତିହାସରେ ଯାହା ଦେଖାଯାଇ ନ ଥିଲା ଏଥର ଦେଖିବାକୁ ମିଳିବ । ସକାଳ ଖବରକାଗଜରେ ସ୍ୱତନ୍ତ୍ର ପୃଷ୍ଠା ମଣ୍ଡନ କରିବେ ନବୀନ । ପ୍ରମୁଖ ଖବରକାଗଜଗୁଡ଼ିକର ଚାରି ଚାରି ପୃଷ୍ଠା ନବୀନଙ୍କ ଫଟୋ ଓ ଗୁଣାଗାନରେ ଭର୍ତ୍ତି ହେବ । ଟିଭିରେ ବି ଶତମୁଖ ହେବେ ନବୀନ । ଖବରକାଗଜ ଓ ଟିଭି ମାଲିକ/ସମ୍ପାଦକଙ୍କ ସହ ମୂଲଚାଲରେ ଏହାର ପ୍ରସ୍ତୁତି ଶେଷ ହୋଇଛି । ଏବେକାର ଜଣେ ପାୱାରଫୁଲ ମନ୍ତ୍ରୀ ଏବଂ ଦୁଇଜଣ ପାୱାରଫୁଲ ପୂର୍ବତନ ମନ୍ତ୍ରୀ ଏହାର ଦାୟିତ୍ୱ ନେଇଛନ୍ତି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଯେଉଁ କାଗଜ ଓ ଟିଭି ଆଜିକାଲି ବିଜେପି ପ୍ରଚାରରେ ବେଶୀ ମାତିଛନ୍ତି ସେମାନଙ୍କୁ ବାଛି ବାଛି ବିଜେଡ଼ି ଅଗ୍ରାଧିକାର ଦେଇଛି ।
ପ୍ରମୁଖ ଖବରକାଗଜରେ ସ୍ୱତନ୍ତ୍ର ଚାରିପୃଷ୍ଠା ଓ ପ୍ରମୁଖ ଟିଭିରେ ବିଜ୍ଞାପନ ପାଇଁ ବିଜେଡ଼ି ପକ୍ଷରୁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ଖବରକାଗଜ ସ୍ୱତନ୍ତ୍ର ପୃଷ୍ଠାରେ ନବୀନଙ୍କ ଫଟୋ, ସ୍ତୁତିଗାନ୍ ସ୍ଥାନ ପାଇବ । ଏହା ଅଧିକରୁ ଅଧିକ ଆକର୍ଷଣ କରିବାକୁ ଯତ୍ନବାନ କରାଯାଇଛି । ସ୍ୱତନ୍ତ୍ର ପୃଷ୍ଠାର ପ୍ରସ୍ତୁତି କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିଲେ ମଧ୍ୟ ମୂଲଚାଲରେ କେଁ ରହିଥିଲା । ହେଲେ ଗତକାଲି ରାତିସୁଦ୍ଧା ଏହା ଛିଣ୍ଡି ଯାଇଛି । ସେହିଭଳି ଟିଭି ଡକ୍ୟୁମେଣ୍ଟାରୀ ପାଇଁ ବରାଦି ଦିଆଯାଇଛି । ସେଥିରେ ବି ଗୁଡ଼ାଏ ଟଙ୍କା ଖର୍ଚ୍ଚ କରାଯାଇଛି । ଏପରି ଭାବେ ନବୀନଙ୍କ ଜନ୍ମଦିନରେ ତାଙ୍କ ଫଟୋ ଓ ସଫଳତାର କାହାଣୀକୁ ବିଜେଡ଼ି ପେପର୍ ଓ ଟିଭିରେ ଛାଇ କରିଦେବ ।
ଅବଶ୍ୟ ନବୀନ ଜୟନ୍ତୀ ଉତ୍ସବକୁ ବିଶେଷ ଆଡମ୍ବର କରିବାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି ଯୋଜନା ଜଣାପଡ଼ିନାହିଁ । ତେବେ ବିଜେଡ଼ି ପାର୍ଟି ଅଫିସ ସମେତ ସାରା ରାଜ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ‘ଜୀବନବିନ୍ଦୁ’ କୁ ବ୍ୟାପକ କରିବାକୁ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲିର ସବିଶେଷ କାର୍ଯ୍ୟକ୍ରମ କ’ଣ ହେବ ସେ ନେଇ ଦଳର ଅଧିକାଂଶ ନେତା ଓ ବିଧାୟକ ଜାଣିନାହାନ୍ତି । ଉପରୁ ସେଭଳି କିଛି ନିର୍ଦ୍ଦେଶ ଆସିନାହିଁ ବୋଲି ଆମେ ଯୋଗାଯୋଗ କରିଥିବା ନେତା ଓ ବିଧାୟକମାନେ କହିଛନ୍ତି । ତେବେ ସେ ଯାହା ହେଉ, ନବୀନ ନିବାସରେ ନବୀନ ଶୁଭେଚ୍ଛୁମାନଙ୍କୁ ହତାଦର କରିବେନି । ସମସ୍ତଙ୍କଠାରୁ ଶୁଭେଚ୍ଛା ଓ ଫୁଲତୋଡ଼ା ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ଦଳର ମହିଳା, ଯୁବ ଓ ଛାତ୍ର ବାହିନୀ ନିଜଆଡୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଧୂମଧାମ ପାଳିବାକୁ ଯୋଜନା କରିଛନ୍ତି । ଏହିକ୍ରମରେ ନବୀନଙ୍କ ପ୍ରଚାର ପାଇଁ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର ସହରର ରାସ୍ତାଘାଟକୁ ନବୀନଙ୍କ ପୋଷ୍ଟର ଓ ହୋଡିଂରେ ଛାଇ କରାଯିବ ବୋଲି ଛାତ୍ର ଓ ଯୁବ ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି । ନିଜ ଜନ୍ମଦିନ ଧୂମଧାମ୍ ପାଳିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି କି ନାହିଁ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହି ନିଷ୍ପତ୍ତିକୁ ତାଙ୍କର ବିରୋଧ ନ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ନିର୍ବାଚନୀ ତାତି ଆରମ୍ଭ ହୋଇଥିବା ବେଳେ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଧୂମଧାମ ଜନ୍ମଦିନ ପାଳନ ଆୟୋଜନ ଚର୍ଚ୍ଚାର ବିଷୟ ହୋଇଛି ।