ଭୁବନେଶ୍ୱର: ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାରକୁ ଆଜି ବିଜେପି ଆଦରି ନେଇଛି । ଲୁଲୁଙ୍କ ଝିଅ ଉପାସନା, ଭାଇ ଲଳିତେନ୍ଦୁଙ୍କ ସମେତ ଘରୋଇ ବନ୍ଧୁ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟ, ସହଯୋଗୀ ରାଜେନ୍ଦ୍ର ପଣ୍ଡା ଓ ସତ୍ୟଜିତ୍ ପଟ୍ଟନାୟକ ପ୍ରମୁଖଙ୍କୁ ଦଳ ସାଦରେ ଗ୍ରହଣ କରିଛି । ପ୍ରଦର୍ଶନୀ ପଡ଼ିଆଠାରେ ‘ବିଜେପି ମିଶ୍ରଣ ପର୍ବ’ ନାଁରେ ଆୟୋଜିତ ଝାକାସ୍ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ଓ ଟିମ୍ ସେମାନଙ୍କୁ ଦଳରେ ମିଶାଇଛନ୍ତି । ଲୁଲୁଙ୍କ ଝିଅ ଓ ଭାଇଙ୍କୁ ପାଇ ବିଜେପି ନେତାମାନେ ଗର୍ବରେ ଫାଟି ପଡ଼ିଛନ୍ତି । ସ୍ୱର୍ଗତ୍ ଲୁଲୁଙ୍କ ପ୍ରତି କଂଗ୍ରେସ ଅବିଚାର ଓ ଅନ୍ୟାୟ କରିଥିଲା । ଏବେ ତାଙ୍କ ଅବର୍ତ୍ତମାନରେ ବିଜେପି ଲୁଲୁଙ୍କ ପରିବାରକୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛି । ଲୁଲୁଙ୍କ ଝିଅ ଉପାସନା ମଧ୍ୟ ବାପାଙ୍କ ପ୍ରତି କଂଗ୍ରେସର ଅନ୍ୟାୟକୁ ସ୍ମରଣ କରିଛନ୍ତି । କଂଗ୍ରେସରେ ବାପାଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ସେ କହିଛନ୍ତି । ବିଜେପିରେ ଯୋଗଦେବା ଅଚାନକ ନୁହେଁ, ବରଂ ବର୍ଷକ ତଳୁ ବିଚାର କରୁଥିଲୁ ବୋଲି ଉପାସନା ପୂର୍ବରୁ କହିସାରିଛନ୍ତି ।
ଲୁଲୁ ମହାପାତ୍ରଙ୍କ ଝିଅ ଓ ଭାଇଙ୍କୁ ବିଜେପି ମିଶ୍ରଣ ପର୍ବରେ ସାମିଲ କରିବାକୁ ନେଇ ଧର୍ମେନ୍ଦ୍ରଙ୍କ ଶିବିର ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ସପ୍ତାହେ ତଳୁ ଏଥିପାଇଁ ପ୍ରଦର୍ଶନୀ ପଡ଼ିଆକୁ ପ୍ରସ୍ତୁତ କରାଯାଇଥିଲା । ଆଗରୁ ମିଶ୍ରଣ ପର୍ବଗୁଡ଼ିକ ବିଜେପି ଅଫିସରେ ଆୟୋଜିତ ହେଉଥିଲା ବେଳେ ଲୁଲୁଙ୍କ ପରିବାର ପାଇଁ ପାର୍ଟି ଅଫିସ ବାହାରେ ପ୍ରଥମ ଥର ମେଗା ଆୟୋଜନ କରାଯାଇଥିଲା । ଭୁବନେଶ୍ୱରର ମିଡ଼ିଆ ମେସିନ୍ କୁ ଜବରଦସ୍ତ ପ୍ରଚାର ଦାୟିତ୍ୱ ଦିଆଯାଇଥିଲା । ବସ୍, ମିନିବସ୍, ବୋଲୋରୋ, ଟାଭେରା ଆଦି ଗାଡ଼ିରେ ଲୋକଙ୍କୁ ବ୍ରହ୍ମଗିରିରୁ ଭୁବନେଶ୍ୱର ବୁହାହୋଇଥିଲା । ବିଜେପି ଅଫିସ, ରାମମନ୍ଦିର, ହାଉସିଂ ବୋର୍ଡ ଛକ, ପିଏମଜି ଛକ ଭଳି ସହରର ବିଭିନ୍ନ ଜାଗାରୁ ସେମାନେ ପ୍ରଦର୍ଶନୀ ପଡ଼ିଆକୁ ରାଲିରେ ଯାଇଥିଲେ । ‘ଲୁଲୁ ଭାଇ ଅମର ରହେ’, ‘ଧର୍ମେନ୍ଦ୍ର ପ୍ରଧାନ’ ସ୍ଲୋଗାନ୍ ଦିଆଯାଇଥିଲା । ସମସ୍ତଙ୍କ ହାତରେ ଥିଲା ବିଜେପି ପ୍ଲାକାର୍ଡ । ପାଖାପାଖି ସାଢ଼େ ଗୋଟାଏ ବେଳେ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପଛେ ପଛେ ଲୁଲୁଙ୍କ ଝିଅ ଓ ଭାଇ ପ୍ରଭୃତି ସଭାସ୍ଥଳରେ ପହଞ୍ଚିଥିଲେ । ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜେପି ଆଗନ୍ତୁକମାନଙ୍କୁ ଉପକୌଢ଼ନ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଲୁଲୁଙ୍କ ୧୯ ବର୍ଷୀୟ ଝିଅ ଉପାସନାଙ୍କୁ ସେ ଅଣ୍ଟା ଭାଙ୍ଗି ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ।
ସ୍ୱର୍ଗତ୍ ଲୁଲୁଙ୍କ ଅନୁଗତଙ୍କ ଦ୍ୱାରା ଗଠିତ ଲୁଲୁ ସେନା ସଂଗଠନ ବିଜେପିରେ ବିଲୀନ ହେବ ବୋଲି ବିଜେପି ପକ୍ଷରୁ ପ୍ରଚାର କରାଯାଇଥିଲେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ହାତଗଣତି ସମର୍ଥକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ମିଶ୍ରଣ ପର୍ବରେ ଦେଖିବାକୁ ମିଳି ନ ଥିଲା । ଲୁଲୁଙ୍କର ଘନିିଷ୍ଠ ସହଯୋଗୀ ତଥା ପିସିସିର ପୂର୍ବତନ ସମ୍ପାଦକ ଲଲାଟେନ୍ଦୁ ଦାସ କହିଛନ୍ତି ଲୁଲୁଙ୍କ ପରିବାର ବିଜେପିରେ ସାମିଲ ହେବାକୁ ଆମର ବିରୋଧ ନାହିଁ । କାରଣ ଏହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ମାତ୍ର ବ୍ରହ୍ମଗିରିରେ ଲୁଲୁଙ୍କ ସବୁ ସମର୍ଥକ ବିଜେପିରେ ମିଶୁଥିବା ପ୍ରଚାର ଠିକ୍ ନୁହେଁ । ଲୁଲୁଙ୍କୁ କଂଗ୍ରେସ ଦଳ ଯଦିଓ ଅବହେଳିତ କରିଥିଲା ମାତ୍ର ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜ ଆଦର୍ଶରୁ ହଟି ନ ଥିଲେ । ଲୁଲୁଙ୍କ ଆଦର୍ଶ ଏବେ ବି ବଞ୍ଚିଛି ବୋଲି ସେ କହିଛନ୍ତି ।