ଭୁବନେଶ୍ୱର: ଆସନ୍ତାକାଲି ବିଜେପୁର ଉପନିର୍ବାଚନ ଫଳ । ୧୨ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ହାରଜିତ୍ ଖେଳ ସରିଯାଇଛି । ସବୁ ଦଳ ସେମାନଙ୍କ ସ୍ଥିତି ବି ଜାଣିସାରିଛନ୍ତି । ହେଲେ ଜିତିବାର ଦମ୍ଭ ଦେଖାଇ ଟିଭିରେ ମୁହଁତୋଡ଼ ଛାଡ଼ିନାହାନ୍ତି । ସବୁଠାରୁ ମଜ୍ଜାର କଥା, ଏକ ନିର୍ଦ୍ଦିଷ୍ଟ ଦଳ ଜିତିବାର ଢ଼େର୍ ଦମ୍ଭ ମାରୁଥିଲେ ବି ପରାଜୟର ଇସ୍ତାହାର ପ୍ରସ୍ତୁତ କରିସାରିଲାଣି । ଅର୍ଥାତ୍ ଫଳ ଘୋଷଣା ପରେ ନିଜର ପରାଜୟ ଉପରେ ଟିଭିରେ କି ପ୍ରତିକ୍ରିୟା ଦେବେ ରେଡ୍ଡି କରିସାରିଲେଣି । ଗତକାଲି ସଂଧ୍ୟାରେ ନେତାମାନେ ପାର୍ଟି ଅଫିସରେ ବସି ଏହାର ଡ୍ରାଫ୍ଟ୍ ପ୍ରସ୍ତୁତ କରିଥିଲେ । ଦଳୀୟ ଗଭୀର ଚାଷରେ ପଶି ନ ଥିବା ଜଣେ ତଳିଆ ନେତା ପଚାରିଥିଲେ ଆମେ ତ ଜିତିବା ପୁଣି ପରାଜୟ କଥା ଆସିଲା କେଉଁଠୁ ? ଉପରିସ୍ଥ ନେତା ତାଙ୍କୁ ନାଲି ଆଖି ଦେଖାଇ ତମର ଏଥିରେ ମୁଣ୍ଡ ପୂରାଇବାର ଆବଶ୍ୟକତା ନାହିଁ କହି ପାଟି ଚୁପ୍ କରାଇଥିଲେ । ଘଟଣାଟି ଦଳର ଅନ୍ଦର ମହଲରେ ଆଜି ଚର୍ଚ୍ଚାର ବିଷୟ ହୋଇଛି ।
ନିର୍ବାଚନରେ ଜିତିବା ଦାବିରେ କେହି କାହା ପଛରେ ନାହାନ୍ତି । ବିଜେଡ଼ି କହୁଛି ମାର୍ଜିନ୍ ୨୦ ହଜାର ପ୍ଲସ୍ । ୪୦ ହଜାର ବି ଛୁଇଁପାରେ । ଖୋଦ୍ ସୁପ୍ରିମୋ କହିଛନ୍ତି, ବିଜେପୁରରେ ବିଜେଡ଼ି ବହୁ ବ୍ୟବଧାନରେ ଜିତିବ । ସେପଟେ ବିଜେପି କହୁଛି ୨୦ ହଜାର ଭୋଟ ମାର୍ଜିନ୍ ରେ ଜିତିବା ଥୟ । ଦଳ ପକ୍ଷରୁ ଭିନ୍ନ ଭିନ୍ନ ବିଶେଷଜ୍ଞ ଭୋଟ ପ୍ରତିଶତର ହିସାବ ବି କରିଛନ୍ତି । ଗୋଟେ ସର୍ଭେରେ ବିଜେପିକୁ ୪୬ ପ୍ରତିଶତ, ବିଜେଡ଼ିକୁ ୩୩ ପ୍ରତିଶତ, କଂଗ୍ରେସକୁ ୧୮ ପ୍ରତିଶତ ଏବଂ ଅନ୍ୟାନ୍ୟ ଦଳକୁ ୩ ପ୍ରତିଶତ ଭୋଟ ଦର୍ଶାଯାଇଛି । ଅନ୍ୟ ଏକ ସର୍ଭେରେ ବିଜେପିକୁ ୪୩ ପ୍ରତିଶତ, ବିଜେଡ଼ି ୪୧ ପ୍ରତିଶତ, କଂଗ୍ରେସ ୧୨ ପ୍ରତିଶତ, ନୋଟା ୨ ପ୍ରତିଶତ ଏବଂ ଅନ୍ୟାନ୍ୟ ୩.୮ ପ୍ରତିଶତ ଏହିଭଳି ପୂରା ସୁତା ମାପ ଭଳି ହିସାବ କରାଯାଇଛି ।
କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିଶ୍ଚିତ ଜିତିବେ ବୋଲି ଦମ୍ଭ ଦେଖାଇଛନ୍ତି । ତାଙ୍କର ଏକମାତ୍ର ସମର୍ଥକ ଭାବେ ପଛରେ ଛିଡ଼ା ହୋଇଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ତାଙ୍କର ଚୋଖା ହିସାବ ହେଉଛି କଂଗ୍ରେସ ୧୫୦୦ରୁ ୨୦୦୦ ଅଧିକ ଭୋଟରେ ଜିତିବ । ଅବଶ୍ୟ ପିସିସି ସଭାପତିଙ୍କ ସମେତ ଦଳର ଅନ୍ୟ କୌଣସି ବରିଷ୍ଠ ନେତାଙ୍କ ମୁହଁରୁ ବିଜୟ ଦମ୍ଭ ଶୁଣାଯାଇନି । ସତେ ଯେମିତି ଫଳ ଘୋଷଣା ପୂର୍ବରୁ ସେମାନେ ହାତ ଟେକିଦେଇଛନ୍ତି ।