ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲ୍ଲାର ଜନପ୍ରିୟ ଆଦିବାସୀ ନେତା, ଦୃଢ଼ ସଂଗଠକ ତଥା ପୂର୍ବତନ ବିଜେଡ଼ି ସାଂସଦ ଜୟରାମ ପାଙ୍ଗୀ ଆସନ୍ତାକାଲି(ମଙ୍ଗଳବାର) ବିଜେପିରେ ସାମିଲ ହେବେ । ପାଙ୍ଗୀଙ୍କ ସହ ଦୁଇ ହଜାରରୁ ଅଧିକ ବିଜେଡ଼ି କର୍ମୀ ମଧ୍ୟ ବିଜେପିରେ ଯୋଗଦେବେ । ଦିନ ୧୧ଟାରେ ବିଜେପି ଅଫିସରେ ଆନୁଷ୍ଠାନିକ ଭାବେ ପାଙ୍ଗୀଙ୍କର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।
କୋରାପୁଟରେ ଜୟରାମ ପାଙ୍ଗୀଙ୍କୁ ବିଜୁ ଜନତା ଦଳର ଫେସ୍ କୁହାଯାଏ । ନବେ ଦଶକରୁ ତାଙ୍କର ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ବିଜୁବାବୁ ତାଙ୍କୁ ବେଶ୍ ଭଲ ପାଉଥିଲେ । ବିଜୁଙ୍କ ପରେ ନବୀନ ମଧ୍ୟ ତାଙ୍କର ସାଂଗଠନିକ ଦକ୍ଷତା ଓ ଦଳ ପ୍ରତି ଆନୁଗତ୍ୟକୁ ପୁରସ୍କୃତ କରିଥିଲେ । ତେବେ କିଛି ବର୍ଷ ହେଲା ତାଙ୍କ ପ୍ରତି ଇର୍ଷାନ୍ୱିତ ହୋଇପଡ଼ିଥିଲେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରବିନାରାୟଣ ନନ୍ଦ । ତାଙ୍କ ସହିତ ପାଙ୍ଗୀଙ୍କ ବିରୋଧରେ ହାତ ମିଳାଇଥିଲେ ଅର୍ଥବଳୀ ଭାସ୍କର ରାଓ । ଦୁହିଁଙ୍କ ଚକ୍ରାନ୍ତ ଥିଲା ପାଙ୍ଗୀଙ୍କ ଚେର କାଟିବାକୁ । ଗତ ସାଧାରଣ ନିର୍ବାଚନରେ ଦୁହେଁ ସେଥିରେ ସଫଳ ହୋଇଥିଲେ ମଧ୍ୟ ପାଙ୍ଗୀଙ୍କ ପାଇଁ କୌଣସି ଫରକ୍ ପଡ଼ି ନ ଥିଲା । ବିଜେଡ଼ି ଜିଲ୍ଲା ସଭାପତି ଭାବେ ସେ ଦଳକୁ ଠିକଠାକ୍ ଚଳାଇଥିଲେ । ତେବେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ତାଙ୍କ ଶିର ଚ୍ଛେଦନ ପାଇଁ ବିରାଟ ଷଡ଼ଯନ୍ତ୍ର ରଚାଗଲା । ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତତ୍କାଳୀନ ପାୱାରଫୁଲ ଯୁବମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ହାତେଇ ରବି ନନ୍ଦ ଓ ଭାସ୍କର ରାଓ ପାଙ୍ଗୀ ହଟାଓ ମିସନ୍ ଆରମ୍ଭ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ପାଙ୍ଗୀଙ୍କ ସମର୍ଥକ ଡୁମୁରି ଖିଲାଙ୍କୁ ସେମାନେ ବସାଇ ଦେଇ ନ ଥିଲେ । ପାଙ୍ଗୀଙ୍କୁ ଅଣଦେଖା କରି ସେମାନେ ଅନ୍ୟଜଣଙ୍କୁ ସଭାପତି ନିର୍ବାଚିତ କରାଇଥିଲେ ।
ଏଥିରେ ପାଙ୍ଗୀ ଯେତିକି ଅପମାନିତ ହୋଇଥିଲେ ସେତିକି କ୍ଷୁବଧ ହୋଇଥିଲେ । ବବି ଓ ରବି ନନ୍ଦଙ୍କ ବିରୋଧରେ ସିଧାସଳଖ ଲାଞ୍ଚ ଖିଆ ଅଭିଯୋଗ ଆଣିଥିଲେ । ଆଉ ଫଳ ହେଲା ଦଳରୁ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଗଲା । ନବୀନଙ୍କ ପରମ ଭକ୍ତ ପାଙ୍ଗୀଙ୍କୁ ଏହା ଆହୁରି ବାଧିଥିଲା । ନବୀନ ତାଙ୍କ ସହିତ କୌଣସି ଆଲୋଚନା ନ କରି ତ୍ରିମୂର୍ତ୍ତି(ବବି ଦାସ, ରବି ନନ୍ଦ, ଭାସ୍କର ରାଓ)ଙ୍କ କଥାରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ତାଙ୍କ ଓ ତାଙ୍କ ସମର୍ଥକଙ୍କ ପାଇଁ ଅସହ୍ୟ ହୋଇଥିଲା । ଏହା ସତ୍ତ୍ୱେ ନବୀନ ଓ ବିଜେଡ଼ି ପ୍ରତି ସେ ତାଙ୍କର ଆନୁଗତ୍ୟ ଜାରି ରଖିଥିଲେ । ମାତ୍ର ଏହା ବେଶୀ ଦିନ ଚାଲି ପାରିନାହିଁ । ବିଜେଡ଼ିରେ ପାଙ୍ଗୀ ନିଜର ଗ୍ରହଣୀୟତା ହରାଇଥିବା ହୃଦୟଙ୍ଗମ କରି ଶେଷରେ ଦଳରୁ ତାଙ୍କର ମୋହ ତୁଟାଇଛନ୍ତି ।