ଭୁବନେଶ୍ୱର: ଉପକୂଳ ଅଞ୍ଚଳର ଏ ଯୁବ ବିଧାୟକ ଜଣକ ଏବେ ଦୁଇପଟୁ ଚୁମା ଖାଉଛନ୍ତି । ମାନେ ବିଜେଡ଼ିି ପଟୁ ଆଉ ଏବେ ଧର୍ମେନ୍ଦ୍ରଙ୍କ ପଟୁ । ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହ ଗୋପନ କନେକ୍ସନ ଥିଲା । ଥରେ ବି ନିଜ ନିର୍ବାଚନ ମଣ୍ଡଳୀର ଏକ ସ୍କୁଲ ଉତ୍ସବକୁ ମୁଖ୍ୟ ଅତିଥି କରି ନେଇଥିଲେ । ଏହି ବିଧାୟକ ଗତ ସପ୍ତାହରେ ଦିଲ୍ଲୀରେ ଯାଇ ଧର୍ମେନ୍ଦ୍ରଙ୍କୁ ଭେଟିବା, ପେଟ୍ରୋଲ୍ ଟାଙ୍କି ହାତେଇବା ଖବର ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ସାଥୀରେ ଥିଲେ ଯୁବ ବିଜେଡିର ନବନିଯୁକ୍ତ ଉପଦେଷ୍ଟା ଓ ଅନ୍ୟ କିଛି ସମର୍ଥକ ।
ଧର୍ମେନ୍ଦ୍ରଙ୍କୁ ଭେଟି ବିଧାୟକ ଜଣକ କିରାସିନି କୋଟା ହ୍ରାସକୁ ଭରପୂର ପ୍ରଶଂସା କରିଥିଲେ । କହିଥିଲେ ଯେ ଗାଁ ଗହଳିରେ କିରାସିନି ବାଟମାରଣା ହେଉଥିବାରୁ କୋଟା ହ୍ରାସ ଠିକ୍ ପଦକ୍ଷେପ । ନିଜେ ନିଜେ ଲଢ଼େଇ କରି ଜିତିଥିବାରୁ ଧର୍ମେନ୍ଦ୍ରଙ୍କୁ ମଧ୍ୟ ନିଜ କାଟତି ଦେଖାଇଥିଲେ । ବିଧାୟକଙ୍କ ପ୍ରଶଂସାରେ ଧର୍ମେନ୍ଦ୍ର ଉତଫୁଲ୍ଲିତ ହେବା ପରେ ସିଧା ସବଜେକ୍ଟ୍ ଉପରକୁ ପଳାଇ ଆସିଥିଲେ ବିଧାୟକ । ମାଗିଥିଲେ ଗୋଟିଏ ପେଟ୍ରୋଲ୍ ପମ୍ପ୍, ଯାହାକୁ ଧର୍ମେନ୍ଦ୍ର ତୁରନ୍ତ ଆପ୍ରୁଭ୍ କରିଥିଲେ । ଖୁସିରେ ଗଦ୍ ଗଦ୍ ବିଧାୟକ ଜଣକ ପ୍ରତିଶ୍ରୁତି ଦେଇଥିଲେ ଯେ ନିର୍ବାଚନ ପାଖେଇ ଆସିବା ବେଳକୁ ସେ ବିଜେପିରୁ ଲଢ଼ିବା ନିଶ୍ଚିତ । ଧର୍ମେନ୍ଦ୍ର ବି ହସି ଦେଇଥିଲେ । ବିଲେଇ ଆଖି ବୁଜି ବୁଜି କ୍ଷୀର ପିଇବା ପରି ବିଧାୟକ ଭାବିଥିଲେ ଯେ ଖବର ଲୁଚିଯିବ । ହେଲେ ଭୁଲି ଯାଇଥିଲେ ଯେ “ମିଡ୍ ଡେ ଓଡ଼ିଶା” ଅଛି ବୋଲି ।