ଭୁୁବନେଶ୍ୱର: ‘କାଳିଆ’ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ବ୍ୟକ୍ତିଙ୍କ ପାଖକୁ ଯାଇଛି ପ୍ରାୟ ୧୭୦ କୋଟି । ୨୦ ହଜାର ସରକାରୀ କର୍ମଚାରୀ ଓ ପେନସନଭୋଗୀ, ୯ ହଜାର ନାବାଳକ/ନାବାଳିକା, ୧୨ ହଜାର ବଡ଼ଚାଷୀ ଏବଂ ଗୋଟିଏ ପରିବାରରୁ ୩ ଲକ୍ଷ ଏକାଧିକ ବ୍ୟକ୍ତି ଏହି ସହାୟତା ଟଙ୍କା ନେଇଛନ୍ତି । ସୁତରାଂ ଗରିବ ଚାଷୀଙ୍କ ଜୀବିକା ଓ ଆୟବୃଦ୍ଧି ପାଇଁ ରାଜ୍ୟ ସରକାର ଦେଇଥିବା ‘କାଳିଆ’ ସହାୟତା ଟଙ୍କାରୁ ୧୭୦ କୋଟି ଟଙ୍କା ହଡ଼ପ ହୋଇଯାଇଛି ।
କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତକାଲି ଗଣମାଧ୍ୟମକୁ ଦେଇଥିବା ଏହି ବିସ୍ଫୋରକ ତଥ୍ୟ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଦେଇଛି । ‘କାଳିଆ’ ତାଲିକା ସଜାଡୁଥିବା କୃଷି ବିଭାଗର ତଥ୍ୟକୁ ମନ୍ତ୍ରୀ ବିନା ଅନୁଧ୍ୟାନ ଏବଂ ବିନା ବିଚାର ବିମର୍ଷରେ ଗଣମାଧ୍ୟମକୁ ଆଣିଥିବା ତାଙ୍କ ଉପରେ ଦୋଷ ପଡ଼ିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ ଭୀଷଣ ବିଚଳିତ ହୋଇଛନ୍ତି । ଆଜି ଦିଲ୍ଲୀ ଯିବା ପୂର୍ବରୁ ଏହା ଉପରେ ତନାଘନା କରିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ଏହି ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ଆଗରେ ମୁହଁ ଖୋଲିଥିଲେ ମଧ୍ୟ ଅଧିକ କିଛି କହି ନ ଥିଲେ । ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହି ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତର ସାରିଥିଲେ ।
ଏପଟେ ‘କାଳିଆ’ ବଦନାମରୁ ସରକାରଙ୍କୁ ବଞ୍ଚେଇବା ପାଇଁ ବିଜେଡ଼ି ଆଗକୁ ଆସିଛି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ୩ ଲକ୍ଷ ୪୧ ହଜାର ନୁହେଁ ମାତ୍ର ୩୨ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ତାଙ୍କର ଯୁକ୍ତି, ‘କାଳିଆ’ ସହାୟତା ନେଇଥିବା ୨୦ ହଜାର ସରକାର କର୍ମଚାରୀ ଓ ପେନସନଭୋଗୀ ଏବଂ ୧୨ ହଜାର ବଡ଼ ଚାଷୀ କେବଳ ଅଯୋଗ୍ୟ ହିତାଧିକାରୀ । ତାଲିକାରେ ଥିବା ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଅଯୋଗ୍ୟ ଭାବେ ଗଣାଯିବ ନାହିଁ । ଯେଉଁ ପରିବାରରୁ ଏକାଧିକ ବ୍ୟକ୍ତି ‘କାଳିଆ’ ଟଙ୍କା ପାଇଛନ୍ତି ସେମାନେ ଅଯୋଗ୍ୟ ନୁହଁନ୍ତି । କୌଣସି ପରିବାରରୁ ଏକାଧିକ ଲୋକ ‘କାଳିଆ’ ଟଙ୍କା ପାଇଥିଲେ, ପରବର୍ତ୍ତୀ କିସ୍ତିରେ ସେମାନେ ଆଉ ଟଙ୍କା ପାଇବେନି । ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ ବୋଲି ବିଜେଡ଼ି ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।
ତେବେ ଏଠି କାହାକୁ ଲୋକେ ବିଶ୍ୱାସ କରିବେ? କୃଷି ମନ୍ତ୍ରୀଙ୍କ ତଥ୍ୟ ଠିକ୍ ନୁହେଁ, ବିଜେଡ଼ି ମୁଖପାତ୍ରଙ୍କ ତଥ୍ୟ ଠିକ୍ ବୋଲି ଲୋକେ ବିଶ୍ୱାସ କରିବେ ତ?
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଫ୍ଲାଗସିପ୍ ଯୋଜନା ଥିଲା ‘କାଳିଆ’ । ବିଜେଡ଼ି ସପକ୍ଷରେ ଭୋଟ ହାତେଇବାକୁ ଏହି ଯୋଜନା ଉଦ୍ଦିଷ୍ଟ ଥିଲା ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ । କୁହାଯାଉଛି, ସରକାରଙ୍କ ତରବର ଦେଖି ଚାଷୀ ଚିହ୍ନଟରେ ନିୟୋଜିତ ହୋଇଥିବା ସରକାରୀ ଏଜେନ୍ସୀ ଓ ପଞ୍ଚାୟତ ପ୍ରତିନିଧି ମନଇଚ୍ଛା ତାଲିକା କରିଥିଲେ । ତଦାରଖ ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ବେପରୁଆ ହୋଇଯାଇଥିଲେ । ଆଜି ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହାର ହିଁ ପରିଣାମ ।