ଭୁବନେଶ୍ୱର: ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କୁ ତୁରନ୍ତ ଘରଛାଡ଼ ଆଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଘର ନ ଛାଡ଼ିଲେ ପାଣି ଓ ବିଜୁଳି କାଟି ଦିଆଯିବ ବୋଲି ଧମକ ବି ଦେଇଛନ୍ତି । ସରକାରୀ କ୍ୱାର୍ଟର ବ୍ୟବହାର ପାଇଁ ଅଯୋଗ୍ୟ ହୋଇଯାଇଥିବା ଏହି ନେତାମାନଙ୍କର କ୍ୱାର୍ଟର ଆଲଟମେଣ୍ଟ ଗତ ଜୁନ୍ ମାସରୁ ବାତିଲ ହୋଇଗଲାଣି । ମାତ୍ର ବିଭିନ୍ନ ଆଳ ଦେଖାଇ ସେମାନେ ଘର ଛାଡୁନାହାନ୍ତି ।
ସଂପୃକ୍ତ ନେତାମାନେ ସରକାରୀ କ୍ୱାର୍ଟର ଛାଡ଼ିବାକୁ ୩ ମାସ ମଧ୍ୟରେ ଦୁଇ ଦୁଇ ଥର ନୋଟିସ୍ ହୋଇସାରିଲାଣି । ମାତ୍ର ସେମାନେ ଶୁଣୁନାହାନ୍ତି । ଅନ୍ୟପକ୍ଷରେ ଏଥର ବିଧାନସଭାକୁ ନୂଆ କରି ନିର୍ବାଚିତ ହୋଇ ଆସୁଥିବା ବିଧାୟକମାନେ ଏବେ ସରକାରୀ କ୍ୱାର୍ଟର ଖଣ୍ଡେ ନ ପାଇ ଦୁର୍ଦ୍ଦଶା ଭୋଗୁଛନ୍ତି । କ୍ୱାର୍ଟର ଅପେକ୍ଷାରେ ୧୬ ଜଣ ବିଧାୟକ ରାଜ୍ୟ ଅତିଥି ଭବନରେ ମୁଣ୍ଡ ଗେଞ୍ଜିଛନ୍ତି । ଆଜି କିଛି ବିଧାୟକ ବାଚସ୍ପତିଙ୍କୁ ଭେଟି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ବାଚସ୍ୱତି ବାସ୍ତବତା ବୁଝିପାରି କଠୋର ଆଭିମୁଖ୍ୟ ନେଇଛନ୍ତି ।
ସରକାରୀ କ୍ୱାର୍ଟର ଛାଡ଼ିବାକୁ ଥିବା ପୂର୍ବତନ ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ବିଜୟଶ୍ରୀ ରାଉତରାୟ, ଯୁଗଳ କିଶୋର ପଟ୍ଟନାୟକ, ପ୍ରଭାତ କୁମାର ତ୍ରିପାଠୀ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଦେବାଶିଷ ନାୟକ, ପ୍ରବୀଣ ଭଞ୍ଜଦେଓ, ରମେଶ ମାଝୀ, ସଞ୍ଜୀବ ସାହୁ, ସାନନ୍ଦ ମାର୍ଣ୍ଡି, ମହେଶ ସାହୁ, ସରୋଜିନୀ ହେମ୍ବ୍ରମ୍, ଝିନ ହିକକା, ଗୋଲକ ବିହାରୀ ନାୟକ, କିଶୋର ତରାଇ, ନନ୍ଦିନୀ ଦେବୀ, ବସନ୍ତ କୁମାର ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଡାକ୍ତର ଦାମୋଦର ରାଉତ, ନୀତିଶ ଗଙ୍ଗଦେବ ଏବଂ ଭୁଜବଳ ମାଝୀ ।
ସେପଟେ ଘରଛାଡ଼ ନୋଟିସ୍ କୁ ନେଇ ନିଆଁବାଣ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । କହିଛନ୍ତି, ସେମାନେ ଫୋନ୍ ରେ ମୋ ସହ କଥା ହୋଇ ପାରିଥାଆନ୍ତେ । ତାହା ନ କରି ପିଅନ ହାତରେ ନୋଟିସ୍ ପଠାଇବା ଶୋଭନୀୟ ନୁହେଁ । ଆମେ ବିଜେଡ଼ି ତିଆରି କରିଥିଲୁ । ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ମୁଁ ନବୀନଙ୍କ ସାଙ୍ଗରେ ଥିଲି । ମାତ୍ର ଏବେ ସମୟ ବଦଳିଯାଇଛି । ଆମେ ସେଥିରେ ଫିଟିଂ ହୋଇପାରୁନୁ ।