ଭୁବନେଶ୍ୱର: କୁନ୍ଦୁଲି ଘଟଣାର ତଦନ୍ତ କରିବ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍(ଏସଆଇଟି) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଏଥିସହ ମାମଲାର ତଦନ୍ତଭାର ତୁରନ୍ତ ଏସଆଇଟିକୁ ହସ୍ତାନ୍ତର କରାଯାଇଛି । କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ଏହାର ତଦନ୍ତ କରିବ । ଏହି ସ୍ପର୍ଶକାତର ମାମଲାର ଅଧିକ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଏହି ମାମଲାକୁ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଉଥିଲେ । ଏଥିସହ ଜଣେ ସିଟିଂ ଜଜ୍ ଙ୍କ ଦ୍ୱାରା ଜୁଡ଼ିସିଆଲ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କ୍ରାଇମବ୍ରାଞ୍ଚ କି ଜୁଡ଼ିସିଆଲ୍ ତଦନ୍ତ ଉପରେ ଆସ୍ଥା ନ ରଖି ବିରୋଧୀ ଦଳ ହୋ ହଲ୍ଲା କରିଥିଲେ । ଘଟଣାର ଏସଆଇଟି କିମ୍ବା ସିବିଆଇ ଦ୍ୱାରା ତଦନ୍ତ ପାଇଁ ବିଜେପି ଅଡ଼ି ବସିଥିଲା । ମାମଲାର ଗମ୍ଭୀରତାକୁ ବିଚାର କରି ମୁଖ୍ୟମନ୍ତ୍ରୀ ଶେଷରେ ଏସଆଇଟି ତଦନ୍ତ ଘୋଷଣା କରିଛନ୍ତି ।