ଭୁବନେଶ୍ୱର: କୁନ୍ଦୁଲି ମାମଲାରେ ସରକାରଙ୍କ ଅପାରାଗତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ୪ ମାସ ଧରି ନ୍ୟାୟଭିକ୍ଷା କରିଥିବା କୁନ୍ଦୁଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ । ତଦନ୍ତ ପରେ ଚାଲିଛି ତଦନ୍ତ । କ୍ରାଇମବ୍ରାଞ୍ଚ ଓ ନ୍ୟାୟିକ ତଦନ୍ତ ନିର୍ଯାସକୁ ଭରସା ନ କରି ଆଜି ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ଦଳଙ୍କ ଚାପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ସେପଟେ ସିବିଆଇ ତଦନ୍ତ ପାଇଁ ଅଡ଼ି ବସିଥିବା ବିଜେପି ଏସଆଇଟି ତଦନ୍ତ ନିର୍ଦ୍ଦେଶକୁ ନାକ ଟେକିଛି । କୁନ୍ଦୁଲି ଇସ୍ୟୁକୁ ନେଇ କଂଗ୍ରେସ ବି ଆସନ୍ତାକାଲି ନବୀନ ନିବାସ ଘେରାଉ କରିବାକୁ ଧମକ ଦେଇଛି । ରାଜନୀତିର ପଶାବାଲିରେ ପଶିଯାଇଛି ମୃତ କୁନ୍ଦୁଲି ପୀଡ଼ିତା ।
କୁନ୍ଦୁଲି ମାମଲାର ଜଟିଳତା ଦେଖି ସାଧାରଣ ଜନତାଙ୍କ ମୁଣ୍ଡରେ ଅନେକ ପ୍ରଶ୍ନ ଆସୁଛି । ସରକାରଙ୍କୁ ସେମାନେ ଛିଛାକର କରୁଛନ୍ତି । ବିରୋଧୀ ଦଳର ଆଭିମୁଖ୍ୟକୁ ବି ଛି ଛି କହୁଛନ୍ତି । ବାସ୍ତବରେ କୁନ୍ଦୁଲି ପୀଡ଼ିତା ପାଇଁ କାହାର ଆତ୍ମା କାନ୍ଦୁଛି ? ସିବିଆଇ ତଦନ୍ତ ହେଲେ ପୀଡ଼ିତା ନ୍ୟାୟ ପାଇଯିବେ କି ? ଇତିଶ୍ରୀ ପ୍ରଧାନ ନ୍ୟାୟ ପାଇଗଲେ କି ? ସିବିଆଇ ତଦନ୍ତ ପାଇଁ ବିଜେପି ଯଦି ଏତେ ବ୍ୟଗ୍ର କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବାରେ ଅସୁବିଧା କେଉଁଠି ? ପୀଡ଼ିତାଙ୍କ ବୟାନ ଅନୁଯାୟୀ ଯଦି ତାଙ୍କୁ କୋବ୍ରା ଯବାନ୍ ଦୁଷ୍କର୍ମ କରିଛନ୍ତି ତେବେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରୁନାହାନ୍ତି କାହିଁକି ? ଏସଓଜି ଜବାନ୍ ଓ କୋବ୍ରା ଜବାନ୍ ସେଦିନ ଘଟଣାସ୍ଥଳରେ ଉପସ୍ଥିତି ଥିଲେ କି ନାହିଁ ଜାଣିବାରେ ଅସୁବିଧା କେଉଁଠି ? ତାହାହେଲେ ଏହାର ସମାଧାନ କ’ଣ ରାଜନୀତି ? ଏସଆଇଟି ତଦନ୍ତ, ରାଜନୈତିକ ବୟାନବାଜି, ନବୀନ ନିବାସ ଘେରାଉରେ ପୀଡ଼ିତାକୁ ନ୍ୟାୟ ମିଳିଯିବ କି ?
ବୁଦ୍ଧିଜୀବୀମହଲର ଚର୍ଚ୍ଚା ଅନୁଯାୟୀ, କୁନ୍ଦୁଲି ମାମଲାରେ ସରକାର ପ୍ରଥମ ଦୋଷୀ ହୋଇଥିବା ବେଳେ ଏବେକୁ ବଡ଼ ପାଟି କରୁଥିବା ବିଜେପି ବି କମ୍ ନୁହେଁ । ଜଣେ ନାବାଳିକାକୁ ସୁରକ୍ଷା ଦେବାରେ ସରକାର ତ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ହେଲେ ମାମଲାକୁ ରାଜନୈତିକ ରୂପ ଦେଇ ଜଟିଳ କରିବାକୁ ବିଜେପିର ନିରବଚ୍ଛିନ୍ନ ଉଦ୍ୟମ ନିହାତି ନିନ୍ଦନୀୟ । କୁନ୍ଦୁଲି ପୀଡ଼ିତାଙ୍କ ଶବ ଉପରେ ରାଜନୀତି କରି ସେମାନେ ଆହୁରି ପୀଡ଼ା ଦେଉଛନ୍ତି । ଖୋଦ୍ ବିଜେପି ମହଲର ଭିତିରି ସୂଚନା ଅନୁଯାୟୀ, କୁନ୍ଦୁଲି ତାତିକୁ ବିଜେପୁର ଉପନିର୍ବାଚନ ପର୍ଯ୍ୟନ୍ତ ଗଡ଼େଇ ରଖିବାକୁ ଯୋଜନା ହୋଇଛି । କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ନେତା/ନେତ୍ରୀମାନେ ଟିଭିରେ ଚିତ୍କାର କରିବେ । ବିଜେପୁରରେ ବୁଲି ବୁଲି କାନ୍ଦିବେ । ବିଜେପୁର ଗଡ଼ ଜିଣିବା ପାଇଁ କୁନ୍ଦୁଲି ଅପୂର୍ବ ସୁଯୋଗକୁ ହାତଛଡ଼ା କରାଯିବନି ।
ସୂଚନାଯୋଗ୍ୟ, କୁନ୍ଦୁଲି ନାବାଳିକାଙ୍କ ପ୍ରତି ଅଘଟଣରୁ ମୃତ୍ୟୁ ପର୍ଯ୍ୟନ୍ତ ବିଜେପି ଚୁପ୍ ବସିଥିଲା । ବରଂ କଂଗ୍ରେସ ଏବଂ ନିର୍ଦ୍ଦିଷ୍ଟ ଭାବେ ପ୍ରଦୀପ ମାଝୀ ନ୍ୟାୟ ଭିକ୍ଷା ଦାବିରେ ମଝିରେ ମଝିରେ ଆନ୍ଦୋଳନ କରୁଥିଲେ । ହେଲେ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ଦୃଷ୍ଟିରୁ କଂଗ୍ରେସ ବିଜେପିଠାରୁ ପଛରେ ପଡ଼ିଯାଇଛି । କୌଣସି ଅଦୃଶ୍ୟ କାରଣରୁ ପ୍ରଦୀପ ମାଝୀ ନିଷ୍କ୍ରଭ ହୋଇଯାଇଛନ୍ତି । ଦଳୀୟ ନେତାଙ୍କ ନିଷ୍କ୍ରିୟତାକୁ ନେଇ କଂଗ୍ରେସ ମହଲରେ ବିଭିନ୍ନ ଆଲୋଚନା ହେଉଛି ।
ବିଜେପିର ଜଣେ ଯୁବନେତା ନିଜ ନାଁ ଗୋପନ ରଖି କୁନ୍ଦୁଲି ଅଙ୍କ ବୁଝାଇଛନ୍ତି । ତାଙ୍କ କହିବା କଥା, ବିଜେପୁରରେ ଫାଇଟ୍ ଦେବା ପାଇଁ ଦଳ ପାଖରେ ଟଙ୍କାର ଅଭାବ ନାହିଁ । କିନ୍ତୁ ଖାଲି ଟଙ୍କାରେ ତ ହେବନି । ଇସ୍ୟୁ ଦରକାର । ଅବିକା ବିଜେଡ଼ିକୁ ଖତମ୍ କରିବା ପାଇଁ କୁନ୍ଦୁଲି ଶ୍ରେଷ୍ଠ ଅସ୍ତ୍ର । ବିଜେପୁର ଉପନିର୍ବାଚନ ପର୍ଯ୍ୟନ୍ତ ଇସ୍ୟୁ ଜୋରଦାର କରି ରଖିବାକୁ ଉପରୁ ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବି ଆମର ନଜର ରହିଛି । ବିଜେଡ଼ିକୁ ଧୂଳିଚଟାଇବା ପାଇଁ ଏହି ଦୁଇ ଇସ୍ୟୁ କାଫି ବୋଲି ଆକଳନ କରାଯାଇଛି । ସଂଯୋଗକୁ ବୈଜୟନ୍ତ ପଣ୍ଡାଙ୍କ ଆର୍ଶିବାଦ ଆମକୁ ଅଧିକ ଶକ୍ତି ଦେଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କୁନ୍ଦୁଲି ମାମଲାରେ ଛନ୍ଦି ହୋଇଯାଇଥିବା ବିଜେଡ଼ି ଏବେ ଚିନ୍ତାରେ । ବିଜେପିକୁ କିଭଳି ମୁକାବିଲା କରିବ ସେଇ ଚିନ୍ତା ଘାରିଛି ।