ଭୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଯାଇ ସମ୍ଭାବ୍ୟ କରୋନା ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ କୋଭିଡ୍ ହସ୍ପିଟାଲ୍ ବୁଲି ଦେଖିବା ସହ ବାହାର ରାଜ୍ୟରୁ ଫେରିବାକୁ ଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଜିଲ୍ଲାଗୁଡ଼ିକରେ କୃଷିକାର୍ଯ୍ୟ, ନରେଗା କାର୍ଯ୍ୟାନ୍ୱୟର ମଧ୍ୟ ସମୀକ୍ଷା କରିଥିଲେ । ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସୀମାନ୍ତ ଉପରେ ସତର୍କ ଦୃଷ୍ଟି ରଖିବାକୁ ୩ଟି ଯାକର ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟରେ ୧୫୦ ବେଡ୍ ର କୋଭିଡ୍ ହସ୍ପିଟାଲ୍ ହୋଇଛି । ଜୟପୁର ଏସଡିଏଚ୍ ରେ ଏହା କାର୍ଯ୍ୟକ୍ଷମ ହୋଇସାରିଲାଣି । ସେହିପରି ମାଲକାନଗିରିରେ ୧୦୦ ବେଡ୍ ର କୋଭିଡ୍ ହସ୍ପିଟାଲ୍ ପୁରୁଣା ଡିଏଚଏଚ ରେ କାର୍ଯ୍ୟକ୍ଷମ ହୋଇଛି । ଏହି ଦୁଇଟି ଯାକ ହସ୍ପିଟାଲ୍ କୁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପରିଚାଳନା କରୁଛନ୍ତି । ନବରଙ୍ଗପୁରରେ ୨୦୦ ବେଡ୍ ର କୋଭିଡ୍ ହସ୍ପିଟାଲ୍ ସ୍ଥାନୀୟ ବିଇଡି କଲେଜଠାରେ କାର୍ଯ୍ୟକ୍ଷମ କରାଯାଇଛି । ନାଲକୋ ଏଥିପାଇଁ ଆର୍ଥିକ ସହାୟତା ଦେଇଥିବା ବେଳେ ନବରଙ୍ଗପୁର ଖ୍ରୀଷ୍ଟିଆନ୍ ହସ୍ପିଟାଲ୍ ଏବଂ ଜିଲ୍ଲା ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି ।
ଶ୍ରୀ ପାଣ୍ଡିଆନ୍ ଏବଂ ଶ୍ରୀ ମହାପାତ୍ର ଏହି ତିନୋଟି ଯାକ ହସ୍ପିଟାଲ୍ ବୁଲିବା ସହ ସେଠାରେ ଆବଶ୍ୟକ କର୍ମଚାରୀ, ଔଷଧ, ଆଇସିୟୁ ସୁବିଧା ଏବଂ ଆଇସୋଲେସନ୍ ୱାର୍ଡର ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।







