ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ପ୍ରଶାସକ ଭାବେ ଡ. କ୍ରିଷନ୍ କୁମାରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ବୁଧବାର ବିଏମସିର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଡ. କୁମାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବିଏମସି ନିର୍ବାଚନ ସରି ନବନିର୍ବାଚିତ କର୍ପୋରେଟମାନଙ୍କ ପ୍ରଥମ ବୈଠକ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
ଡ. କ୍ରିଷନ୍ କୁମାର ଦୀର୍ଘ ସାଢ଼େ ଚାରି ବର୍ଷ ଧରି ବିଏମସି କମିଶନର ଭାବେ କାର୍ଯ୍ୟ କରିଥିଲେ । ନିକଟରେ ତାଙ୍କର ସେଠାରୁ ବଦଳି ହୋଇଛି । ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ବିଏମସିରେ ତାଙ୍କ ଅଭିଜ୍ଞତା ଓ ଲୋକପ୍ରିୟତା ଦୃଷ୍ଟିରୁ ରାଜ୍ୟ ସରକାର ତାଙ୍କୁ ସେଠାରେ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । କର୍ପୋରେସନ୍ ଭାଙ୍ଗିସାରିଥିବାରୁ ତାଙ୍କ ଦାୟିତ୍ୱରେ ରହିବ ବିଏମସି । ବର୍ତ୍ତମାନ ଡ. କ୍ରିଷନ୍ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ)ର ଉପାଧ୍ୟକ୍ଷ ସହ ସମବାୟ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।