ଭୁବନେଶ୍ୱର: ନଳିନୀକାନ୍ତ ପ୍ରଧାନଙ୍କ ଜାଗାରେ ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ରାଜ୍ୟ ସରକାର ପଅରଦିନନିଯୁକ୍ତି ଦେଇଥିଲେ । ମାତ୍ର ଆଜି ତାଙ୍କୁ ସେଠାରୁ ହଟାଇ ଦିଆଯାଇଛି । ସେହି ଜାଗାରେ ସମବାୟ ବିଭାଗର ସଚିବ ଡ. କ୍ରିଷନ୍ କୁମାରଙ୍କୁ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଅତ୍ୟଧିକ ଭାରକୁ ଦୃଷ୍ଟିରେ ରଖି ତାଙ୍କଠାରୁ କୃଷି ଓ ପଶୁ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଥିଲେ ମଧ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରୁ ହଟାଯାଇନି ।
ସେହିଭଳି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଗତକାଲି ନିଯୁକ୍ତି ପାଇଥିବା ଆଇଏଫଏସ ଅଫିସର ପ୍ରେମ୍ କୁମାର ଝାଙ୍କ ନିଯୁକ୍ତି ଆଦେଶକୁ ବାତିଲ କରାଯାଇଛି । ସେହି ଜାଗାରେ ବଲୱନ୍ତ ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବଲୱନ୍ତ ଅତିରିକ୍ତ ଭାବେ ବିଡ଼ିଏ ଉପାଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ।
ଉଚ୍ଚଶିକ୍ଷା ବିଭାଗର କମିଶନ ତଥା ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି । ତାଙ୍କୁ ବାଣିଜ୍ୟକର ଏବଂ ଜିଏସଟି କମିଶନର ଭାବେ କଟକରେ ନିଯୁକ୍ତି ଦିଆଯାଇଛି । ତେବେ ପୂର୍ବଭଳି ସେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସଡାମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବାଣିଜ୍ୟକର ଏବଂ ଜିଏସଟି କମିଶନର ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନ ତଥା ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ବଦଳି କରାଯାଇ ରାଜସ୍ୱ ପରିଷଦର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅତିରିକ୍ତ ଦାୟିତ୍ୱ ଭାବେ ଏହି ପଦରେ ରହିଥିବା ରତ୍ନାକର ରାଉତଙ୍କୁ ହଟାଇ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ ଅଧୀନରେ ସ୍ପେଶାଲ୍ ପ୍ରୋଜେକ୍ଟସ୍ ର ନିର୍ଦ୍ଦେଶକ ପ୍ରେମ୍ କୁମାର ଚୌଧୁରୀଙ୍କୁ କଣ୍ଟ୍ରୋଲର୍, ଲିଗାଲ୍ ମେଟ୍ରୋଲୋଜି ତଥା ଖାଉଟୀ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି । ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଅପରିବର୍ତ୍ତିତ ରଖାଯାଇଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।