ଭୁୁବନେଶ୍ୱର: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ୍ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ । ଚୟନ କମିଟିର ସୁପାରିଶ କ୍ରମେ ତାଙ୍କର ନିଯୁକ୍ତିକୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକୟୁକ୍ତ ଆଇନ ୨୦୧୫ କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ଥର ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜଷ୍ଟିସ୍ ସିଂ ୨୦୦୨ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପରବର୍ତ୍ତୀ ସମୟରେ ସେ ରାଜସ୍ଥାନ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଅବସର ଗ୍ରହଣ କରିଥିଲେ ।