ଭୁୁବନେଶ୍ୱର: କ୍ୱାରେଣ୍ଟାଇନ୍(ସଙ୍ଗରୋଧ) ଅବଧି ୧୪ ଦିନ ବଦଳରେ ଏଣିକି ୨୮ ଦିନ ହେବ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ବାହାରୁ ଫେରୁଥିବା ପ୍ରବାସୀମାନେ ୨୧ ଦିନ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଏବଂ ୭ ଦିନ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ । କରୋନା ଚିହ୍ନଟ ପାଇଁ ୧୪ ଦିନର କ୍ୱାରେଣ୍ଟାଇନ୍ ଅବଧି ଯଥେଷ୍ଟ ହେଉ ନ ଥିବାରୁ ସମ୍ଭବ ହେଉ ନ ଥିବାରୁ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ ଅନ୍ୟାନ୍ୟ ରିପୋର୍ଟକୁ ବିଚାର କରି କ୍ୱାଣ୍ଟୋଇନ୍ ଅବଧି ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି ।
କ୍ୱାରେଣ୍ଟାଇନ୍ ଅବଧିରେ ଜଣେ ଚାହିଁଲେ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ । ରୋଷେଇଠାରୁ ଆରମ୍ଭ କରି ପରିସରର ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା, କ୍ୟାମ୍ପସ୍ ର ଉନ୍ନତିକରଣ ଏବଂ ମରାମତି କାର୍ଯ୍ୟ, ନିକଟସ୍ଥ ଖେଳପଡ଼ିଆର ବିକାଶ ଓ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟରେ ସଂପୃକ୍ତ କରିପାରିବେ । ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଦୈନିକ ୧୫୦ ଟଙ୍କା ହାରରେ ସର୍ବାଧିକ ୧୦ ଦିନ ପାଇଁ ୧୫୦୦ ଟଙ୍କା ପାରିଶ୍ରମିକ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି । କ୍ୱାରେଣ୍ଟାଇନ୍ ଅବଧି ପୂରଣ ପରେ ସରକାରଙ୍କ ଘୋଷିତ ୨୦୦୦ ଟଙ୍କା ସାଙ୍ଗରେ ଏହି ଟଙ୍କା ମିଳିବ ।