ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ପୁଣି କଡ଼ା କରାଯାଇଛି । ସଂଧ୍ୟା ୭ଟାରୁ ସକାଳ ୮ଟା ଯାଏଁ କେହି ଘରୁ ବାହାରି ପାରିବେନି । ଏହି ସମୟରେ ନିହାତି ଜରୁରୀ କାମ ନ ଥିଲେ ଘରୁ ଗୋଡ଼ କାଢ଼ିବା ମନା । ଯାହାର ଯାହା ଘର କାମ ଅଛି ସକାଳ ୭ରୁ ସଂଧ୍ୟା ୭ ଭିତରେ ହିଁ କରିବାକୁ ପଡ଼ିବ । ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରାଜ୍ୟର ସବୁଠି ଏହି କଟକଣା ଆଜିଠାରୁ ୧୭ ତାରିଖ ଯାଏଁ ଲାଗୁ ହୋଇଛି ।
କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ(ଲକଡାଉନ୍-୩) ଆଧାରରେ ଏହି କଟକଣା ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।
କମିଶନରଙ୍କ ସୂଚନା ଅନୁଯାୟୀ, ସଂଧ୍ୟା ୭ରୁ ସକାଳ ୭ ଯାଏଁ ରାଜଧାନୀ ରାସ୍ତାରେ ବୁଲିବାକୁ କାହାରିକୁ ଅନୁମତି ଦିଆଯିବନି । କେବଳ ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି ଦିଆଯିବ । ଏହି ୧୨ ଘଣ୍ଟା ପୂରା ଘରେ ରହିବାକୁ କମିଶନର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ସେପଟେ ଗ୍ରୀନ୍ ଜୋନ୍ ରେ ଥିବା ଜଗତସିଂହପୁରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଛନ୍ତି ଜିଲ୍ଲାପାଳ । ଆଜିଠାରୁ ୧୭ ତାରିଖ ଯାଏଁ ସଂଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଲାଗୁ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗ୍ରୀନ୍ ଜୋନ୍ ଯୋଗୁଁ ଲୋକେ ଲକଡାଉନ୍ ନିୟମରେ ଢ଼ିଲା ମାରି ସଂଧ୍ୟାରେ ବୁଲାବୁଲି କରୁଥିବାରୁ ଏହି କଡ଼ା କଟକଣା ଲାଗୁ କରାଯାଇଛି ।