– ସପ୍ତାହରେ ଦୁଇ ଦିନ ୧୧ ଜିଲ୍ଲା ସଟ୍ ଡାଉନ୍
– ଜୁନ୍ ୩୦ ଯାଏଁ ବନ୍ଦ ରହିବ ଧାର୍ମିକ ଅନୁଷ୍ଠାନ, ସପିଂ ମଲ୍
– ୧୨ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ ପୂର୍ବଭଳି ବଳବତ୍ତର
– ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ
ଭୁବନେଶ୍ୱର: ଆଜିଠାରୁ ଦେଶରେ ଅନ୍ ଲକ୍-୧ ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାରେ ଗମାନଗମନ ବ୍ୟବସ୍ଥାକୁ ଛାଡ଼ିଦେଲେ ଅନ୍ୟତ୍ର କଟକଣାକୁ କୋହଳ କରାଯାଇନାହିଁ । କଟକଣାମୁକ୍ତ ଆଳରେ ରାସ୍ତାଘାଟରେ ଲୋକଙ୍କ ଗହଳି ଦେଖି ସରକାର କଟକଣାକୁ ବରଂ ଆହୁରି କଡ଼ାକଡ଼ି କରିଛନ୍ତି । ରାଜ୍ୟର କରୋନା ସଂକ୍ରମଣ ବଢ଼ି ଚାଲିଛି ଏବଂ ଜୁନ୍ ମାସ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ତିଆରି କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ଜୁନ୍ ୮ ରୁ ଧାର୍ମିକ ସ୍ଥଳ, ସପିଂ କପ୍ଲେକ୍ସ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଥିଲେ ମଧ୍ୟ ଓଡ଼ିଶାରେ ଜୁନ୍ ୩୦ ପର୍ଯ୍ୟନ୍ତ ଏହା ଉପରେ କଟକଣା ରହିବ । ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ସଭା ସମିତି, ଉତ୍ସବ, ସିନେମା ହଲ୍, ଜିମାନିସିୟମ୍, ସୁଇମିଂ ପୁଲ୍, ମନୋରଂଜନ ପାର୍କ, ବାର୍, ଅଡିଟୋରିୟମ୍ ସମେତ ଧାର୍ମିକ ସ୍ଥଳ, ସପିଂ କପ୍ଲେକ୍ସ ବନ୍ଦ ରହିବ । ପୂର୍ଣ୍ଣମାତ୍ରାରେ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ୩୦ ପ୍ରତିଶତ କ୍ଷମତାରେ ହୋଟେଲ ଖୋଲିଯାଇପାରିବ । ସେହିଭଳି କେବଳ ଇନ୍ ହାଉସ୍ ଗେଷ୍ଟ ଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲା ରହିବ ।
ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର୍ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୬ ହଜାର ୫୦୪ ପ୍ରବାସୀ ଆସିଲେଣି । ଏହି ଧାରା ଜାରି ରହିଥିବାରୁ ସଂକ୍ରମଣର ସମ୍ଭାବନା ବଢ଼ିଛି । ବିଶେଷକରି ଉପକୂଳ ଓଡ଼ିଶା ସମେତ ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଅତିରିକ୍ତ କଟକଣା ଲଶଗୁ କରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଜୁନ୍ ମାସ ସାରା ସପ୍ତାହର ଶନି ଓ ରବିବାର ଦିନ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ ବଲାଙ୍ଗୀର ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ । ମେଡ଼ିକାଲ୍, କ୍ଲିନିଂ, ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସପ୍ତାହର ଏହି ଦୁଇ ଦିନ ଅଫିସ ଓ ଅନ୍ୟାନ୍ୟ ସବୁ ବନ୍ଦ ରହିବ ।
ସାରା ରାଜ୍ୟରେ ପୂର୍ବଭଳି ୧୨ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ( ସଂଧ୍ୟା ୭ରୁ ସକାଳୁ ୭) ବଳବତ୍ତର ରହିବ ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଗହଳି ଚହଳିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ସାମାଜିକ ଶୃଙ୍ଖଳା ବଜାୟ ରଖିବା ଓ ମାସ୍କ ପିନ୍ଧିବାକୁ ସମସ୍ତେ ବାଧ୍ୟ । ଏଥିପାଇଁ ଜରିମାନା ରାଶିକୁ ୫୦୦ ଟଙ୍କା ବୃଦ୍ଧି କରା ଯାଇଥିବା ବେଳେ ତୃତୀୟ ଥର ଜରିମାନା ପରେ ଗିରଫ ଦଣ୍ଡ ଲାଗୁ ହେବ ବୋଲି ଡିଜି କହିଛନ୍ତି । ରାସ୍ତାରେ ଛେପ ପକାଇଲେ ବି କଠୋର ଦଣ୍ଡ ଭୋଗିବାକୁ ପଡ଼ିବ ।