ପୁରୀ: ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ଏବଂ ଘୋଷ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଆଜି ଅଧିକାରୀମାନଙ୍କର ଏକ ବୈଠକ କରି ପ୍ରସ୍ତୁତିର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମହାପ୍ରଭୁଙ୍କ ମୂଳପୀଠର କିଭଳି ବିଧି ରକ୍ଷା ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ତ୍ୟାଗ କରିବାକୁ ପଡ଼ିବ ବୋଲି ଡ. କୁମାର ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ।

ବିଶେଷକରି ପୁରୀରେ ଯେଭଳି ସଂକ୍ରମଣ ନ ବ୍ୟାପେ ସେଥିପାଇଁ ମୁଖ୍ୟ ପ୍ରଶାସକ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି । ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଭଳି ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ହେବ ସେଥିପାଇଁ ପୁରୀର ସମସ୍ତ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
ଡକ୍ଟର କୁମାରଙ୍କ ସୂଚନା ଅନୁଯାୟୀ, ସ୍ନାନପୂର୍ଣ୍ଣିମାରେ ନିୟୋଜିତ ସେବକଙ୍କ ମଧ୍ୟରୁ ଆଜିସୁଦ୍ଧା ୫୦ ପ୍ରତିଶତଙ୍କର କରୋନା ପରୀକ୍ଷା ସରିଥିବାବେଳେ ଅବଶିଷ୍ଟଙ୍କର ଦିନେ ଦୁଇଦିନ ମଧ୍ୟରେ ହୋଇଯିବ । ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ନିଶ୍ଚିତ ଭାବେ ସଫଳ ହେବ । ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ନୀତିକାନ୍ତି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ।
ରଥ ତିଆରି କାର୍ଯ୍ୟରେ ମହାରଣା, ଭୋଇ ଓ ରୂପକାରଙ୍କ ସହିତ ଅନ୍ୟ ସେବକମାନଙ୍କ କାର୍ଯ୍ୟକୁ ମୁଖ୍ୟ ପ୍ରଶାସକ ପ୍ରଶଂସା କରିବା ସହିତ ସେମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ଏମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଥିଲେ ।
ରଥଖଳାରୁ..



ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୧୪ ନାହାକା କାଠରେ ଚାରି କ’ଣ ଅଂଶ ମରା କାମ ସରିଛି । ଚାରି ନାହାକାକୁ ବାନ୍ଧି ରଖିବାପାଇଁ ‘ଢମକ’ ପ୍ରସ୍ତୁତ ଚାଲିଛି । ଓଝା ସେବକମାନେ ଗୟଳ ଲଗାଇବାପାଇଁ ଆବଶ୍ୟକ ମତେ ଗୟଳକଣ୍ଟା ରଥ ଖଳାକୁ ଯୋଗାଇ ଦେଇଥିବାବେଳେ ବର୍ତ୍ତମାନ ପୋଟଳ କଣ୍ଟା ପ୍ରସ୍ତୁତ ଚାଲିଛି ।



