ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ନେଇଥିବା ଏହି ଦେଶାତ୍ମବୋଧକ ସଂଗୀତଟିକୁ ସୋଆର ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ତୃପକ୍ଷ ଓ କର୍ମଚାରୀ ମାନେ ସନ୍ଧ୍ୟା ସାଢ଼େ ୫ଟା ରେ ସୋଆ କ୍ୟାମ୍ପସରେ ଏହି ସଂଗୀତ ସମୁହ ଗାନ କରିଥିଲେ ।
କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବାକୁ ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଯିଏ ଯେଉଁଠାରେ ବି ଥାଆନ୍ତୁ ସାମାଜିକ ଦୂରତା ରକ୍ଷା କରିି ଏହି ସଂଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ସୋଆ କୁଳପତି ତଥା ପ୍ରସିଦ୍ଧ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର, ବିଭିନ୍ନ ଅନୁଷ୍ଠାନର ଡିନ୍, ପ୍ରଫେସର, ଫ୍ୟାକଲ୍ଟି ମେମ୍ବର୍ସ, ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରି ସାମିଲ ହୋଇଥିଲେ ।