ଭୁବନେଶ୍ୱର: କରୋନା ସଙ୍କଟରେ ଥିବା ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ସମାଜର ତଳସ୍ତରରେ ଜୀବନ ଜୀଉଁଥିବା ଗରିବ, ଖଟିକିଆ ଓ ଶ୍ରମିକଙ୍କ ପାଇଁ ଏଥିରେ ସହାୟତା ବ୍ୟବସ୍ଥା କରାଯାଇଛି ।
କାହା ପାଇଁ କ’ଣ
– ଖାଦ୍ୟ ସୁରକ୍ଷାର ସବୁ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ତିନି ମାସର ରାସନ୍ ଆଗୁଆ ଦେଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ୧ ହଜାର ଟଙ୍କା ଦିଆଯିବ । ଏଥିରେ ଖର୍ଚ୍ଚ ହେବ ୯୪୦ କୋଟି ଟଙ୍କା ।
– ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଚାରି ମାସର ଭତ୍ତା ଆଗୁଆ ଦିଆଯାଉଛି । ଏଥିପାଇଁ ଖର୍ଚ୍ଚ ହେବ ୯୩୨ କୋଟି ।
– ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଥିରେ ଖର୍ଚ୍ଚ ହେବ ୩୩୦ କୋଟି ।
ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡ଼ିଓ ବାର୍ତ୍ତାରେ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିସହ ଆପଣମାନେ ଘରେ ରୁହନ୍ତୁ, କରୋନାଠାରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।