ଭୁବନେଶ୍ୱର: ଗତକାଲି ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ଷ୍ଟେଜ୍-ଟୁ ରେ ଥିବା କୁହାଯାଉଥିଲା । ମାତ୍ର ଭୁବନେଶ୍ୱରର ଆଉ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ଏହା ଷ୍ଟେଜ୍ ଥ୍ରୀ କୁ ଚାଲିଯାଇଥିବାର ଆଶଙ୍କା ଛିଡ଼ା କରାଇଛି । ଏଇଥିପାଇଁ ଯେ ପୂର୍ବରୁ ସଂକ୍ରମଣର ଶିକାର ଦୁଇ ବ୍ୟକ୍ତି ବିଦେଶରୁ ଫେରିଥିଲେ । ଅର୍ଥାତ୍ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିବା ଅଥବା ସଂକ୍ରମଣ ସମ୍ଭବନା ଅଧିକ ବୋଲି କୁହାଯାଉଥିଲା । ମାତ୍ର ତୃତୀୟ ପଜିଟିଭ୍ ବ୍ୟକ୍ତି ଦିଲ୍ଲୀ, ହରିଆନା ବୁଲି ଆକ୍ରାନ୍ତର ଶିକାର ହୋଇଥିବାରୁ ଏହା ଏବେ ସାମାଜିକ ସଂକ୍ରମଣର ସମ୍ଭାବନା ସୃଷ୍ଟି କରିଛି ।
ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଲୋକମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭେଡ୍-୧୯ ପଜିଟିଭ୍ ରାଜ୍ୟର ତୃତୀୟ ବ୍ୟକ୍ତିଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ବାଗଚୀ ।
ସଂପୃକ୍ତ ବ୍ୟକ୍ତି ଜଣଙ୍କର ବୟସ ୬୦ ବର୍ଷ । ମାର୍ଚ୍ଚ ୭ରେ ସେ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ହରିୟାଣା ରିୱାଡ଼ା ଯାଇ ୧୦ ତାରିଖରେ ଇଣ୍ଡିଗୋ ବିମାନ 6E 2014 ରେ ପତ୍ନୀ ଓ ଝିଅ ସହ ଭୁବନେଶ୍ୱର ଫେରିଥିଲେ । ମାର୍ଚ୍ଚ ୧୩ରେ ଅସୁସ୍ଥ ଅନୁଭବ କରିଥିଲେ ସଂପୃକ୍ତ ବ୍ୟକ୍ତି । ମାର୍ଚ୍ଚ ୧୬ ରେ ବିଧାନସଭା ଡିସପେନସାରିକୁ ଚିକିତ୍ସା ପାଇଁ ଯାଇଥିଲେ । ୨୧ ରେ କର କ୍ଲିନିକ୍ କୁ ଯାଇ ୨୩ ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୨୪ ତାରିଖରେ ସେଠୁ ଡିସଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସ୍ପିଟାଲ୍ ଯାଇଥିଲେ । ସେହିଦିନ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କାଲି ସଂଧ୍ୟାରେ ରିପୋର୍ଟ ପଜିଟିଭ୍ ଆସିଛି ।
ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ପ୍ରକ୍ରିୟା ଚାଲିଛି । ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନ୍ ରେ ରଖାଯାଇଛି । ୧୦ ତାରିଖରେ ଏମାନଙ୍କ ସହ ଦିଲ୍ଲୀରୁ ଆସିଥିବା ଇଣ୍ଡିଗୋ ବିମାନଯାତ୍ରୀ ଏବଂ କର କ୍ଲିନିକ୍ ସହ ସଂପୃକ୍ତ ଲୋକମାନେ ୧୦୪ କୁ ଫୋନ୍ କରି ଆବଶ୍ୟକ ପରାମର୍ଶ ନେବା ସହ କ୍ୱାରେଣ୍ଟାଇନ୍ ରେ ରହନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି ।