ନୂଆଦିଲ୍ଲୀ: କରୋନା ସଙ୍କଟ ବେଳେ ଲୋକଙ୍କ ପାଖରେ ଛିଡ଼ା ହୋଇଛି ରିଜର୍ଭ ବ୍ୟାଙ୍କ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ପ୍ରେସ୍ ମିଟ୍ କରି ବ୍ୟାଙ୍କ ଋଣୀଙ୍କ ପାଇଁ ବଡ଼ ରିଲିଫ୍ ଘୋଷଣା କରିଛନ୍ତି । ବ୍ୟାଙ୍କ ଋଣ ପୈଠ କରୁଥିବା ଗ୍ରାହକଙ୍କ ଇଏମଆଇ ଡିପୋଜିଟ୍ ଅବଧିକୁ କୋହଳ କରାଯିବ । ସବୁ ପ୍ରକାର ଋଣ ଉପରେ ଗ୍ରାହକଙ୍କଠାରୁ ତିନି ମାସ ଯାଏଁ ଇଏମଆଇ ନ ନେବାକୁ ବ୍ୟାଙ୍କମାନଙ୍କୁ ଅନୁମତି ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ତେବେ ବ୍ୟାଙ୍କମାନେ ହିଁ ଏହାର ନିଷ୍ପତ୍ତି ନେବେ ।
ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ ଦେଉଥିବା ଋଣ ଉପରେ ସୁଧହାର ବା ରେପୋ ରେଟ୍ କୁ ହ୍ରାସ୍ କରାଯାଇଛି । ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ ହ୍ରାସ୍ କରି ୪.୪% କରାଯାଇଛି । ସେହିପରି ରିଭର୍ସ ରେପୋ ରେଟ୍ ୯୦ ବେସିସ୍ ପଏଣ୍ଟ ହ୍ରାସ୍ କରି ୪% କରିଛନ୍ତି ରିଜର୍ଭ ବ୍ୟାଙ୍କ । ପୂର୍ବରୁ ରିଭର୍ସ ରେପୋ ରେଟ୍ ୫.୧୫% ଥିଲା । ସବୁ ବ୍ୟାଙ୍କ କ୍ୟାସ୍ ରିଜର୍ଭ ରେସିଓ(ସିଆରଆର) ବେସିସ୍ ପଏଣ୍ଟ ୩% କୁ ହ୍ରାସ୍ କରାଯାଇଛି ।
କରୋନା ସଙ୍କଟର ମୁକାବିଲା ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ ୪ ସୂତ୍ରୀ ପଦକ୍ଷେପ ଘୋଷଣା କରି ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ବଜାରରେ ନଗଦ ଟଙ୍କାର ଅଭାବ ରହିବ ନାହିଁ । ବ୍ୟାଙ୍କ କ୍ରେଡିଟ୍ ଅଟକିବ ନାହିଁ । ବ୍ୟାଙ୍କ ଦେୟ ପୈଠକୁ କୋହଳ କରାଯିବ । ଅର୍ଥନୈତିକ ବଜାର ସଙ୍କଟକୁ ଯଥାସମ୍ଭବ କମ୍ କରାଯିବ । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଉଥିବା ଗଭର୍ଣ୍ଣର କହିଛନ୍ତି ।