ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ହତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ । ଏହାଦ୍ୱାରା ୩୪ ଲକ୍ଷ ୩୪ ହଜାର ହିତାଧିକାରୀ ଉପକୃତ ହେବେ । ସାରା ରାଜ୍ୟର ସବୁ ଗରିବ ଲୋକ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଇପାରିବେ । ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇଆସିଛି । ୨୦୦୮ ରୁ ଆମେ ଆପଣଙ୍କ ଟଙ୍କାରେ ଗରିବ ଲୋକଙ୍କୁ ୨ ଟଙ୍କାରେ ଚାଉଳ ଯୋଗାଇ ଦେଇ ଆସୁଥିଲୁ । ଏହି ଯୋଜନାର ସଫଳତାକୁ ଅନୁଭବ କରି ୨୦୧୩ରେ କେଜି ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ । ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଥିଲା ଦେଶରେ ସେତେବେଳେ ବହୁତ ବଡ଼ ପଦକ୍ଷେପ ।
୨୦୧୪ରେ ମୁଁ ଆପଣଙ୍କୁ ପ୍ରମିସ୍ କରିଥିଲି ଯେ ଆମେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ । ଆପଣମାନେ ଜାଣନ୍ତି, କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ଆମର ବହୁତ ଗରିବ ଲୋକ ଏଥିରେ ସାମିଲ ହୋଇପାରିନାହାନ୍ତି । ୨୦୧୧ ପପୁଲେସନ୍ ଭିତ୍ତିରେ କେନ୍ଦ୍ର ସରକାର ରାସନ ଯୋଗାଉଛନ୍ତି । ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ଏହି ସୁବିଧା ପାଇପାରୁ ନାହାନ୍ତି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମୁଁ ବହୁବାର ଚିଠି ଲେଖିଛି । କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଏ ପର୍ଯ୍ୟନ୍ତ କିଛି ବିଚାର କରିନାହାନ୍ତି ।
ତେଣୁ ଆପଣଙ୍କ ସରକାର, ଆପଣଙ୍କ ଓଡ଼ିଶା ସରକାର ଆପଣଙ୍କ ଟଙ୍କାରେ ଆପଣମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି । ଆଗାମୀ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ସାରା ରାଜ୍ୟର ସବୁ ଗରିବ ଲୋକ ଖାଦ୍ୟ ସୁରକ୍ଷା ସୁବିଧା ପାଇପାରିବେ । ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ ।
ମୁଁ ସବୁବେଳେ କହିଆସିଛି, ଆମେ କାମରେ ବିଶ୍ୱାସ କରୁ । ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରୁ । ମୁଁ ବହୁତ ଖୁସି ଯେ ଆପଣଙ୍କୁ ଦେଇଥିବା କଥା ଆଜି ମୁଁ ରଖିପାରିଛି । ଆପଣମାନଙ୍କ ଆଶିର୍ବାଦ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଫଳ ହେବ ।”