ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଟଣାଓଟରାର ଅବସାନ ଘଟିଛି । ଗତକାଲି ମଧ୍ୟପ୍ରଦେଶରେ କମଳନାଥଙ୍କ ନାଁ ଚୂଡ଼ାନ୍ତ ହେଲା ପରେ ଆଜି ରାଜସ୍ଥାନରେ ଅଶୋକ ଗେହେଲଟ୍ ଙ୍କ ନାଁ ଚୂଡ଼ାନ୍ତ ହୋଇଛି । ଗତକାଲି ଓ ଆଜି ଦିନ ତମାମ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବ୍ୟାପକ ବିଚାର ଆଲୋଚନା କଲା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ୬୭ ବର୍ଷୀୟ ଗେହଲଟ୍ ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ୪୧ ବର୍ଷୀୟ ସଚିନ୍ ପାଇଲଟ୍ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଛନ୍ତି ।
ସୂଚନାଥାଉକି, ଦୁଇଟି ଯାକ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସଂପୃକ୍ତ ବିଧାୟକମାନେ ସ୍ଥିର କରିପାରି ନ ଥିଲେ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରକୁ ଛାଡ଼ିଦେଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ଗତକାଲି ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ କରିଥିଲେ । ହେଲେ ରାଜସ୍ଥାନ ମାମଲା ଛିଡି ପାରି ନ ଥିଲା । ସେଠାରେ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ୍ କେହି କାହାରିଠାରୁ କମ୍ ନ ଥିଲେ । ଦୁଇ ଦାବିଦାରଙ୍କ ସମର୍ଥକମାନେ ରାଜ୍ୟରେ ମୁହାଁମୁହିଁ ହୋଇଯାଇଥିଲେ ।
ଆଜି ସକାଳୁ ଉଭୟ ଗେହଲଟ୍ ଓ ପାଇଲଟଙ୍କ ସହ ରାହୁଲ ପୁନର୍ବାର ଆଲୋଚନା ଆରମ୍ଭ କରିଥିଲେ । ଅପରାହ୍ନ ପ୍ରାୟ ୩ଟା ବେଳକୁ ଯାଇ ନିର୍ଯାସରେ ପହଞ୍ଚିଥିଲେ । ଉଭୟଙ୍କୁ ମନାଇବାରେ ସମର୍ଥ ହେବା ପରେ ରାହୁଲ ସେମାନଙ୍କ ସହ ଏକତ୍ର ଫଟୋ ଉଠାଇ ପ୍ରଥମେ ଏକ ଟୁଇଟ୍ କରିଥିଲେ । ଯାହାର କ୍ୟାପସନ୍ ଥିଲା ‘ୟୁନାଇଟେଡ଼ କଲର୍ସ ଅଫ ରାଜସ୍ଥାନ’ । ପରେ ଏଆଇସିସି ପକ୍ଷରୁ ଗେହେଲଟ୍ ଙ୍କ ନାଁ ଘୋଷଣା କରାଯାଇଥିଲା ।
ତେବେ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନି । ସେଠାରେ ମୁଖ୍ୟମନ୍ତ୍ରୀ ଦୌଡରେ ୪ ଜଣ ଅଛନ୍ତି । ସେମାନେ ହେଲେ ରାଜ୍ୟ କଂଗ୍ରେସ ସଭାପତି ଭୂପେଶ ବାଘେଲ, ଗତ ବିଧାନସଭାରେ ବିରୋଧୀ ଦଳ ନେତା ଟି.ଏସ.ସିଂହଦେଓ, ସାଂସଦ ତାମରଧ୍ୱଜ ସାହୁ ଏବଂ ବରିଷ୍ଠ ନେତା ଚରଣଦାସ ମହନ୍ତ । ତେବେ ରାହୁଲଙ୍କ ଡାକରାରେ ଆଜି ଦିଲ୍ଲୀ ଆସିଛନ୍ତି ବାଘେଲ ଏବଂ ସିଂହଦେଓ । ସେମାନଙ୍କ ସହ ବିଚାର ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ।