ଭୁବନେଶ୍ୱର: ଦୁଇ ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ବିଜେଡ଼ି ଚାଷୀ ସଂଗଠନ ଦାୟିତ୍ୱ ଛାଡ଼ିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଛାମୁଆ ଶାଖା ବିଜୁ କୃଷକ ଜନତା ଦଳର ପୁର୍ନଗଠନ କରି ସେ ଏହି ଦୁଇ ନେତାଙ୍କ ଉପରେ ଭରସା କରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ସଭାପତି ଓ ପ୍ରତାପ ଜେନାଙ୍କୁ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସମ୍ବେଦନଶୀଳ ଚାଷୀ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେବା ପରିପ୍ରେକ୍ଷୀରେ ଏହି ଦଳୀୟ ନିଯୁକ୍ତିର ଗୁରୁତ୍ୱ ବଢ଼ିଯାଇଛି । ପୂର୍ବରୁ ବିଜୁ କୃଷକ ଜନତା ଦଳର ରାଜ୍ୟ ଆବାହକ ଦାୟିତ୍ୱ ତୁଲାଉଥିଲେ ମନ୍ତ୍ରୀ ସୁଶାନ୍ତ ସିଂ ।
ଏଥର ସାଧାରଣ ନିର୍ବାଚନରେ ଚାଷୀ ହେବ ମୁଖ୍ୟ ପ୍ରସଙ୍ଗ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ଏହାର ବାତ୍ସ୍ନା ମିଳିଛି । ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପି ଶାସିତ ରାଜ୍ୟରେ ସରକାର ଚାଷୀଙ୍କ ପାଇଁ କୌଣସି ଆଖିଦୃଶିଆ କାମ କରିନାହିଁ । ବିଶେଷକରି ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ଓ ସ୍ୱାମୀନାଥନ୍ କମିଟି କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ସେ ଓଡ଼ିଶାର ଚାଷୀ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଉଥିବା ଇସାରା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଯାହା ହେଉ ନା କାହିଁକି, ରାଜ୍ୟରେ ଚାଷୀଙ୍କ ସମସ୍ୟା ଅନେକ । ଏହାକୁ ନେଇ ଆନେ୍ଦାଳନ ମୁଣ୍ଡ ଟେକିଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ପାଇଁ ପ୍ରାଇଜ୍, ପ୍ରେଷ୍ଟିଜ୍ ଏବଂ ପେନସନ୍ ଦାବିରେ ଆନ୍ଦୋଳନ ବ୍ୟାପକ ହୋଇଛି । ଜାନୁଆରୀ ୩୧ ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି । ଇତିମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି ବିଭିନ୍ନ ଦିଗର ତର୍ଜମା ଚଳାଇଛନ୍ତି । ଖୁବ୍ ଶୀଘ୍ର ଏହାର ନିଷ୍କର୍ସ ବାହାରିବ ବୋଲି ସୂଚନା ମିଳିଛି ।
ଏହି ପରିପ୍ରେକ୍ଷୀରେ ଚାଷୀ ସମସ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ସୁଯୋଗ ହାତଛଡ଼ା କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁ ନ ଥିବା କୁହାଯାଉଛି । ବିଜେପି ଶାସିତ ରାଜ୍ୟର ଉଦାହରଣ ଦେଉଥିବା ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ସେଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯେ ଦେବେନାହିଁ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଦଳୀୟସ୍ତରରେ ଚାଷୀ ମାନଙ୍କ ସମସ୍ୟାକୁ ଚିହ୍ନଟ କରିବା ଓ ତାହା ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ଏହି ଦୃଷ୍ଟିରୁ ସେ ଦଳର କୃଷକ ସଂଗଠନକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏତିକିବେଳେ ଅଭିଜ୍ଞ ଓ ପାରଙ୍ଗମ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କ ଯୋଜନା ସାକାର କରିବାକୁ ଚାହିଁଥିବା ଦଳୀୟ ମହଲରୁ ସୂଚନା ମିଳିଛି ।