ଭୁବନେଶ୍ୱର: ଗତ ୧୦ ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧,୯୩୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୨୩ ଜଣ ହେଉଛନ୍ତି ଲୋକାଲ୍ କେସ୍ । ଅର୍ଥାତ୍ ସେମାନେ ବାହାରୁ ଆସିନାହାନ୍ତି କି ବାହାରକୁ ଯାଇନାହାନ୍ତି । ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । କରୋନା ବିରୋଧରେ ଲଢ଼ୁଥିବା ଫ୍ରଣ୍ଟ ଲାଇନ୍ ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ତିନି ଦିନ ତଳେ ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଏକକାଳୀନ ୨୭ ଷ୍ଟାଫ୍ ପଜିଟିଭ୍ ବାହାରି ଥିବା ବେଳେ ଆଜି କଟକ କ୍ୟାନସର୍ ହସ୍ପିଟାଲ୍ ର ଦୁଇ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଲିସ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହେଲେଣି । ରାଜଧାନୀର ବସ୍ତି ଅଞ୍ଚଳରେ ଏବେ କାୟା ମେଲାଇଲାଣି କରୋନା ।
ଗଞ୍ଜାମ ଜିଲ୍ଲାରେ କରୋନା ଅଣାୟତ୍ତ ଅବସ୍ଥାକୁ ଚାଲିଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧ ହୋଇଥିବା ବେଳେ ୧୦ ଜଣ ମୃତ୍ୟୁବରଣ କଲେଣି । ଉଦବେଗର କଥା ହେଉଛି, ଗତ ୧୧ ଦିନରେ ୧୨୯ ଜଣ କରୋନା ଫ୍ରଣ୍ଟଲାଇନ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୯ ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାରେ ଲୋକାଲ୍ କେସ୍ ବଢ଼ୁଥିବାରୁ ଆଶଙ୍କା ବଢ଼ୁଛି । ଲକ୍ ଡାଉନ୍ ରେ ଅଟକିଥିବା ଜିଲ୍ଲାର ଅନେକ ଲୋକ ରାଜଧାନୀ କର୍ମସ୍ଥଳୀକୁ ଫେରିବା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇଛି ।
ଖାଲି ଗଂଜାମ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀ କର୍ମସ୍ଥଳୀକୁ ଲୋକ ଫେରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀର ବିଭିନ୍ନ ବଞ୍ଚି ରେ ରହନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆକ୍ଟିଭ୍ ସ୍ଲମ୍ ସର୍ଭିଲାନ୍ସ ଟିମ୍ ଜରିଆରେ କରୋନା ହଟସ୍ପଟ୍ ୫ଟି ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ତେବେ ପଦକ୍ଷେପରେ ବିଳମ୍ବ ହୋଇଥିବାରୁ ବ୍ୟାପକ ସଂକ୍ରମଣର ଆଶଙ୍କାକୁ ଟଳାଯାଇପାରୁନାହିଁ ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି । ୧୬୭ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ୧୧୭ ଜଣ ଏବେ ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସେଥିରେ ଅଛନ୍ତି ଏକ ଘରୋଇ ହସ୍ପିଟାଲ୍ ର ଜଣେ ୨୪ ବର୍ଷୀୟା ମହିଳା ।
ଓଡ଼ିଶାରେ କରୋନା ଗୋଷ୍ଠୀ ସଂକ୍ରମଣ ଦିଗରେ ବଢ଼ୁଥିବା କହିଛନ୍ତି ଏମସ୍ ର ପୂର୍ବତନ ନିଦେ୍ର୍ଦଶକ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର । ଯେଉଁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନି ସେମାନେ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହେଉଥିବା ସ୍ପଷ୍ଟ । ଆମେ କେହି ସ୍ୱୀକାର କରୁ ବା ନ କରୁ ରାଜ୍ୟରେ କରୋନା ଗୋଷ୍ଠୀ ସଂକ୍ରମଣ ଦିଗରେ ଗତି କରୁଥିବା ଡା. ମହାପାତ୍ର କହିଛନ୍ତି ।
ଓଡ଼ିଶାରେ କରୋନା ସ୍ଥିତି(ଜୁନ୍ ୨୮, ସଂଧ୍ୟା ୫.୩୦ ସୁଦ୍ଧା)
କରୋନା ପଜିଟିଭ୍ – ୬୬୧୪
ସୁସ୍ଥ- ୪୭୪୩
ଆକ୍ଟିଭ୍- ୧୮୪୩
ମୃତ୍ୟୁ-୨୧
ଦେଶରେ କରୋନା ସ୍ଥିତି
କରୋନା ପଜିଟିଭ୍- ୫,୩୦,୯୯୭
ସୁସ୍ଥ- ୩,୧୧,୩୬୪
ଆକ୍ଟିଭ୍-୨,୦୩,୪୪୯
ମୃତ୍ୟୁ- ୧୬,୧୨୮