ଭୁୁବନେଶ୍ୱର: ବରିଷ୍ଠ ବିଜେପି ନେତା, ସାମ୍ବାଦିକ ତଥା ସ୍ତମ୍ଭକାର ଚନ୍ଦନ ମିତ୍ରଙ୍କ ଆର୍ଟିକିଲ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ବିଜେପିକୁ ଚାପୁଡ଼ା ଲଗାଇଛି । ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନଟାଇମସ୍ ଆର୍ଟିକିଲରେ ଚନ୍ଦନ ବିଜେପିର ଓଡ଼ିଶା ମିସନ୍ ୧୨୦ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତି ଦୁର୍ବଳ ଥିବାରୁ ୧୨୦ ଆସନ ଲକ୍ଷ୍ୟକୁ ସେ ଗ୍ରହଣ କରିନାହାନ୍ତି । ତାଙ୍କର ଯୁକ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଜି ବି ଅତୁଟ ରହିଛି । ୨୦୦୯ରେ ବିଜେପିର ହାତଛାଡ଼ି ନବୀନଙ୍କ ଏକଲା ଚଲୋ ନୀତି ତାଙ୍କୁ ଅଧିକ ସଫଳତା ଦେଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପିର ମିସନ୍ ଫଳପ୍ରଦ ହେବ ବୋଲି ସେ ଜମାରୁ ବିଶ୍ୱାସ କରିନାହାନ୍ତି । ଦକ୍ଷିଣ ଭାରତ ଓ ଉତ୍ତରପ୍ରଦେଶ ପରି ଏହି ଦୁଇ ପୂର୍ବ ରାଜ୍ୟରେ ବିଜେପିର ଜାତିଆଣ ରାଜନୀତି ଫର୍ମୂଲା କାମ କରିବ ନାହିଁ ବୋଲି ଚନ୍ଦନ ଲେଖିଛନ୍ତି ।
ଚନ୍ଦନ ମିତ୍ରଙ୍କ ଆର୍ଟିକିଲ୍ କୁ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି । ଏଇଥିପାଇଁ କି କେନ୍ଦ୍ରୀୟ ପ୍ରଭାରୀ ଭାବେ ଓଡ଼ିଶା ବିଜେପିର ସାଂଗଠନିକ ଦାୟିତ୍ୱ ସେ ଅତୀତରେ ସମ୍ଭାଳିଥିଲେ । ଓଡ଼ିଶାରେ କ୍ୟାମ୍ପ କରି ବିଜେପିର ଶକ୍ତିବୃଦ୍ଧି ଅଙ୍କ କଷୁଥିଲେ । ବିଜେପିର ତଳୁ ଉପର ସଂଗଠନ ଯାଏଁ ତାଙ୍କର ଜ୍ଞାନ, ଦଖଲ ଥିଲା । ୨୦୦୯ ମସିହାରେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପିକୁ ଏକାକୀ ସବଳ କରିବା ପାଇଁ ସେ ଥିଲେ ମାଷ୍ଟର ପ୍ଲାନର୍ । ମାତ୍ର ତାଙ୍କର ସବୁ ଫର୍ମୂଲା/ଷ୍ଟ୍ରାଟେଜି ଫେଲ୍ ମାରିଥିଲା । ନବୀନଙ୍କ ଆଗରେ ବିଜେପି ଅଙ୍କ କାମ କଲାନି । ଦୀର୍ଘ ୮ ବର୍ଷ ପରେ ବି ନବୀନଙ୍କୁ ଟକ୍କର ଦେବାରେ ବିଜେପି ସମର୍ଥ ହୋଇନାହିଁ ବୋଲି ଚନ୍ଦନ ନିଜ ଆର୍ଟିକିଲ୍ ଜରିଆରେ ଜଣାଇଦେଇଛନ୍ତି ।
ଚନ୍ଦନଙ୍କ ଆକଳନ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ମୁଣ୍ଡ ଗରମ କରିଥିବା ବେଳେ ସଂଖ୍ୟାଗରିଷ୍ଠ ଧର୍ମେନ୍ଦ୍ର ବିରୋଧୀ ଗୋଷ୍ଠୀକୁ ଆମୋଦିତ କରିଛି । ଚନ୍ଦନ ଯାହା ଲେଖିଛନ୍ତି ଅକ୍ଷରେ ଅକ୍ଷରେ ସତ ବୋଲି ଦଳର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି । ସେ କହିଛନ୍ତି, ନିକଟରେ ମିସନ୍ ୧୨୦ ଅଭିଯାନରେ ଓଡ଼ିଶା ଆସିଥିବା ଖୋଦ୍ ଅମିତ୍ ଶାହା ଦଳର ଦୁର୍ବଳ ସ୍ଥିତି ଉପରେ ହୃଦୟଙ୍ଗମ କରିଛନ୍ତି । ମିସନ୍ ୧୨୦ର ସ୍ଲୋଗାନ୍ ଧରି ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାର ଯୋଜନା ଏଠି କାମ କରିବା ଉପରେ ତାଙ୍କର ବି ଘୋର ସନ୍ଦେହ ରହିଛି । ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ଶାହା ଖୁବ୍ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ । ଏଠି ବିଜେପି କ’ଣ କାମ କରୁଛି ସେ ବୁଝିପାରୁନାହାନ୍ତି ବୋଲି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଅରୁଣ ସିଂଙ୍କ ଉପରେ ଗର୍ଜିଥିଲେ ଶାହା । ଏଠି ତମେ ଦଳର ତୃଣମୂଳସ୍ତରରୁ ଯେଉଁ କାର୍ଯ୍ୟକର୍ତ୍ତାଙ୍କୁ ମିସନ୍ ୧୨୦ ମନ୍ତ୍ର ଦେବାକୁ ଡାକିଛ, ସେମାନେ ନା ହିନ୍ଦୀ ବୁଝୁଛନ୍ତି, ନା ଇଂରାଜୀ ବୁଝୁଛନ୍ତି । କେଉଁ ଭାଷାରେ ସେମାନଙ୍କୁ ବୁଝେଇବି ବୋଲି ଚଢ଼ାଗଳାରେ ଝାଡ଼ିଥିଲେ । ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଗତି ଉପରେ ଅସନ୍ତୁଷ୍ଟ ହୋଇ ଶାହା ଦିଲ୍ଲୀ ଫେରିଥିଲେ ବୋଲି ସଂପୃକ୍ତ ବରିଷ୍ଠ ନେତା କହିଛନ୍ତି ।
ଏହାକୁ ନେଇ ଦଳର ଉପରମହଲରେ ଘଣ୍ଟାଚକଟା ଚାଲିଥିବା ବେଳେ ଚନ୍ଦନଙ୍କ ଆର୍ଟିକିଲ୍ ନିଆଁରେ ଘିଅ ଢ଼ାଳିଲା ଭଳି ହୋଇଛି । ଧର୍ମେନ୍ଦ୍ରଙ୍କ ଶିବିରରେ ଏହା କମ୍ପନ ସୃଷ୍ଟି କରିଛି । ତେବେ କିଛି ନେତା ଉପରେ ଫୁଟାଣି ଦେଖାଇବାକୁ ଯାଇ ଚନ୍ଦନଙ୍କୁ କାର୍ଟୁନ୍ କରିବାକୁ ପଛାଇନାହାନ୍ତି । ଓଡ଼ିଶାରେ ବିଜେପି ସଂଗଠନର ଶକ୍ତିବୃଦ୍ଧି ଉପରେ ଚନ୍ଦନ ଦା’ଙ୍କର ଧାରଣା ନାହିଁ ବୋଲି ସେମାନେ କଟାକ୍ଷ କରିଛନ୍ତି ।